Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିସାଇଲ୍ ଟେଷ୍ଟ ପ୍ରସ୍ତୁତିରେ ଥିଲା ପାକିସ୍ତାନ, ତା ପୂର୍ବରୁ ଆରବ ସାଗରରେ ଦମ ଦେଖାଇଲା ଭାରତର Destroyer

ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ହମଲା ପରେ ବୁଧବାର ସନ୍ଧ୍ୟାରେ ଭାରତ ପାକିସ୍ତାନ ବିରୋଧରେ ୫ ବଡ଼ ପ୍ରହାର କରିଛି। ସିନ୍ଧୁ ଜଳ ଚୁକ୍ତି ବାତିଲ କରିବା ସହ ଅଟାରୀ ଚେକ୍ ପୋଷ୍ଟ ବନ୍ଦ କରାଯାଇଛି। ଏଥିରେ ବିଳି ବିଳେଇ ଉଠିଛି ପାକିସ୍ତାନ। ଭାରତକୁ  ଉଚିତ୍ ଜବାବ ଦେବା ଉଦ୍ଦେଶ୍ୟରେ ନିଜର ସୈନ୍ୟ ପ୍ରସ୍ତୁତିକୁ ଜୋରଦାର କରିଛି। ଏପରିକି ଭୂପୃଷ୍ଠରୁ ଭୂ ପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ମିସାଇଲ ପରୀକ୍ଷଣ ଆରମ୍ଭ କରି ଦେଇଛି। ଯଦ୍ଵାରା ସେ ଭାରତକୁ ଦେଖାଇ ପାରିବ ଯେ, ଭାରତ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ। ହେଲେ ପାକିସ୍ତାନ ଏହି ପରୀକ୍ଷଣ କରିବା ପୂର୍ବରୁ ଭାରତୀୟ ନୌସେନା ଆରବ ସାଗରରେ ଦେଖାଇଛି ନିଜର ଦମ। ଯୁଦ୍ଧଜାହାଜ ଆଇଏନଏସ ସୁରତ ଆରବ ସାଗରରେ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ ମିସାଇଲ ଡେସଟ୍ରୟରର ସଫଳ ପରୀକ୍ଷଣ କରିଛି। 

ପାକିସ୍ତାନୀ ନୌସେନା ଆରବ ସାଗରେ ଭୂପୃଷ୍ଟରୁ ଭୂପୃଷ୍ଠକୁ ଲକ୍ଷ୍ୟ ଭେଦ କରି ପାରୁଥିବା ମିସାଇଲର ପରୀକ୍ଷଣ କରିବାକୁ ଯାଉଥିବା ବେଳେ ତା ଆଗରୁ ଭାରତ ନିଜର ଶକ୍ତି ଦେଖାଇଛି। ଏହି ସମୟରେ INS ସୁରତ ଆରବ ସାଗର ଉପରେ କ୍ଷୀପ୍ର ଗତିରେ ଉଡ଼ୁଥିବା ଟାର୍ଗେଟ୍‌କୁ MR-SAM ମିସାଇଲ  ପ୍ରଣାଳୀରୁ ସଠିକ ଲକ୍ଷ୍ୟ ଭେଦ କରି ଏହାକୁ ମାରି ତଳେ ଖସାଇଛି।  MR-SAM ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରୁଥିବା ମିସାଇଲ ଓ ଅନ୍ୟ ଆକାଶରେ ଉଡ଼ୁଥିବା ଲକ୍ଷ୍ୟକୁ ମାରି ଖସାଇବାରେ ବେଶ ପ୍ରଭାବଶାଳୀ ଅସ୍ତ୍ର। 

ଏହି ପରୀକ୍ଷଣ ପରେ ଭାରତୀୟ ନୌସେନା ଏକ୍ସରେ ଲେଖିଛନ୍ତି, ଭାରତୀୟ ନୌସେନାର ସଦ୍ୟତମ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ମିସାଇଲ ବିଧ୍ଵଂସକ ଆଇଏନଏସ ସୁରତ ସମୁଦ୍ରରେ ଲକ୍ଷ୍ୟକୁ ସଫଳତାସହ ଟାର୍ଗେଟ୍ କରିଛି। ଏହା ଆମ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବାରେ ବେଶ ସହାୟକ ହେବ। ଏହା ନୌସେନାକୁ ଆହୁରି ସଶକ୍ତ କରିବ। 

ନୌସେନାର ମୁଖପାତ୍ର କହିଛନ୍ତି, ଏହି ଉପଲବ୍ଧି ସ୍ଵଦେଶ ଯୁଦ୍ଧପୋତ ଡିଜାଇନ, ବିକାଶ ତଥା ସଞ୍ଚାଳନରେ ଭାରତର ଶକ୍ତିକୁ ଦର୍ଶାଉଛି। ଏହା ପ୍ରତିରକ୍ଷା ବିନିର୍ମାଣରେ ଆତ୍ମ ନିର୍ଭରତା ପାଇଁ ରାଷ୍ଟ୍ରର ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି। ଏହି ଉପଲବ୍ଧି ଦେଶର ସମୁଦ୍ରୀ ହିତର ରକ୍ଷା ପାଇଁ ଭାରତୀୟ ନୌସେନାର ଅତୁଟ ପ୍ରତିବଦ୍ଧତା ଓ ଆତ୍ମ ନିର୍ଭର ଭାରତର ସମର୍ପଣର ପ୍ରମାଣ। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ