ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳଙ୍କ ପରିବାରକୁ କ୍ରାଇମବ୍ରାଞ୍ଚର ଜେରା


ଓଡ଼ିଶା ଡଟ୍ ନ୍ୟୁଜ୍: ବହୁ ଚର୍ଚ୍ଚତ ନବ ଦାସ ହତ୍ୟା ମାମଲା । ଅଭିଯୁକ୍ତ ଗୋପାଳ ଦାସଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତାକାରୀ ଟିମ୍ ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି । ଗୋପାଳଙ୍କ ଭାଇ, ପୁଅ ଓ ପୁତୁରାଙ୍କୁ ଜେରା କରାଯାଉଛି ।  ଏହି ମାମଲାରେ ପୂର୍ବରୁ ଗୋପାଳଙ୍କ ଭାଇ, ପୁତୁରା, ପୁଅ ଓ ପତ୍ନୀଙ୍କ ବୟାନ ରେକର୍ଡ କରାଯାଇଥିଲା । କିନ୍ତୁ ହତ୍ୟାକାଣ୍ଡ ପଛରେ ଛପି ରହିଥିବା ଷଡଯନ୍ତ୍ର ସମ୍ପର୍କିତ ଅନେକ ପ୍ରଶ୍ନକୁ ସେତେବେଳେ ଅଣଦେଖା କରାଯାଇଥିଲା ବୋଲି ଅନୁମାନ କରାଯାଉଛି । ତଦନ୍ତକାରୀ ଟିମ୍ ଏବେ ସେ ସବୁ ଦିଗକୁ ନେଇ ପୁଣି ଥରେ ପଚରାଉଚରା କରୁଛି ।

ଦୁଇଦିନ ଭିତରେ ୫ଜଣଙ୍କୁ ପଚରାଉଚରା କରାଯାଇଛି ଓ ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ଗୋପାଳଙ୍କ ଭାଇ ସତ୍ୟ ନାରାୟଣଙ୍କୁ ବ୍ରହ୍ମପୁର ଟାଉନ ଥାନାକୁ ଡାକି ପଚରାଉଚରା କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । ସତ୍ୟନାରାୟଣ ଝାରସୁଗୁଡ଼ାରେ ହୋଟେଲ କରିଥିଲେ । ହତ୍ୟାକାଣ୍ଡ ପୂର୍ବରୁ ସେ ହୋଟେଲ ବନ୍ଦ କରିବା ସହ ଝାରସୁଗୁଡ଼ା ଛାଡ଼ି ଦେଇଥିଲେ । ତେଣୁ ସତ୍ୟନାରାୟଣ ଏହି ହତ୍ୟାକାଣ୍ଡ ବାବଦରେ ପୂର୍ବରୁ ଖବର ପାଇଥିଲେ ବୋଲି ସନ୍ଦେହ କରାଯାଉଛି । ସେନେଇ ତାଙ୍କୁ ଘନଘନ ଜେରା କରାଯାଇଛି ।

ସେହିପରି ଗୋପାଳଙ୍କ ପୁତୁରା ପ୍ରଦୀପ ଦାସ ଏବଂ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଛି । ପୂର୍ବରୁ ଗୋପଳଙ୍କ ପତ୍ନୀଙ୍କ ବୟାନ ରେକର୍ଡ ହୋଇଥିଲେ ମଧ୍ୟ ଆଉ ଥରେ ତାଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ସେପଟେ ଅଭିଯୁକ୍ତ ଗୋପାଳଙ୍କ ମୋବାଇଲ ପୁଣି ଥରେ ଯାଞ୍ଚ କରାଯାଉଛି । ଘଟଣାର ୬ ମାସ ପୂର୍ବରୁ କଲ ଡିଟେଲ ସଂଗ୍ରହ କରାଯାଉଛି । ଏହି ଅବଧି ଭିତରେ ଗୋପାଳ ସହ କଥା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଛି ନମ୍ବର ସନ୍ଦେହ ଘେରକୁ ଆସିଛି ।