Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ: ମେ ୧୪ ରୁ ରବି ଧାନ କ୍ରୟ ଆରମ୍ଭ

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ରବି ଋତୁ ପାଇଁ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଚଳିତ ବର୍ଷ ଜିଲ୍ଲାସ୍ତରୀୟ କ୍ରୟ ସମିତି ଦ୍ୱାରା ଅନୁମୋଦିତ କ୍ରୟ ଆରମ୍ଭ କରିବାର ପ୍ରସ୍ତାବିତ ତାରିଖ ହେଉଛି ୧୪ ମେ ୨୦୨୫ । ଏଥିରେ ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ୩୨ଟି ପ୍ରାଥମିକ କୃଷି ସମବାୟ ସମିତି/ବୃହତ ଅଞ୍ଚଳ ବହୁମୁଖୀ ସମିତି ଅଂଶଗ୍ରହଣ କରିବେ। ମୋଟ ୫୮ଟି ଧାନ କ୍ରୟ କେନ୍ଦ୍ର ଖୋଲାଯିବ। ଏଥିରେ ୪୬ ଜଣ କଷ୍ଟମ ମିଲର ଅଂଶଗ୍ରହଣ କରିବେ। ଏଥର ୧୬,୫୦୪ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ସମୁଦାୟ ଯାଞ୍ଚ ହୋଇଥିବା ଚାଷୀ ଙ୍କ ସଂଖ୍ୟା ୧୬,୪୯୦ ରହିଛି। ପି-ପାସ୍ (ଅନଲାଇନ୍ ମୋଡ୍ ରେ ରିଅଲ୍ ଟାଇମ୍ କ୍ରୟ) ମାଧ୍ୟମରେ କ୍ରୟ କରାଯିବ ଯେଉଁଠାରେ କେନ୍ଦ୍ରୀୟ ଟୋକନ୍ ଜାରି କରାଯିବ ଏବଂ କୃଷକଙ୍କ ପଞ୍ଜୀକୃତ ମୋବାଇଲକୁ ଏସଏମଏସ ପଠାଯିବ । ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନ୍ ଲାଇନ୍ ମୋଡ୍ ରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଧାନର ମୂଲ୍ୟ (ସର୍ବନିମ୍ନ ସହାୟକ ମୂଲ୍ୟ ) ଜମା କରାଯିବ ଏବଂ ପ୍ରତି ୭ ଦିନରେ ରିମାଇଣ୍ଡର ମେସେଜ୍ ମଧ୍ୟ ପଠାଯିବ। କେ.ଏମ.ଏସ ୨୦୨୪-୨୫ ରେ ସାଧାରଣ ଧାନ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଏବଂ ଗ୍ରେଡ୍ ‘ଏ’ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩୨୦ ଟଙ୍କା ରହିଛି। ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀ କୁ ଦୃଷ୍ଟି ରେ ରଖି ସମସ୍ତ ଧାନ କ୍ରୟ ଗୁଡିକରେ ଯେକୌଣସି ପ୍ରକାର ଅସୁବିଧାକୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ଧାନ ସଂଗ୍ରହ କେନ୍ଦ୍ର ରେ ଡିଜିଟାଲ ଆଦ୍ରତା ମିଟର, ୱେଟ ବ୍ରିଜ, ବିଶ୍ଳେଷଣ କିଟ, ପଲିତାରପୋଲିନ ଆଦି ଯୋଗାଇବା ସହ ପ୍ରତିକ୍ଷା କକ୍ଷ ,ପାନୀୟ ଜଳ, ଲାଇଟ, ସୌଚାଳୟ, ସିସିଟିଭି ଆଦି ର ବ୍ୟବସ୍ତା କରାଯିବ।
ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ବିଧାୟକ-ରେଢାଖୋଲ, ଶ୍ରୀ ପ୍ରସନ୍ନ ଆଚାର୍ୟ,ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ କୁମୁଦିନି ନାୟକ, ମାନ୍ୟବର ବିଧାୟକ-ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର ଙ୍କ ଲୋକପ୍ରତିନିଧି, ମାନ୍ୟବର ବିଧାୟକ-କୁଚିଣ୍ଡା ଶ୍ରୀ ରବିନାରାୟଣ ନାୟକ ଙ୍କ ଲୋକପ୍ରତିନିଧି, ମାନ୍ୟବର ବିଧାୟକ-ରେଙ୍ଗାଲି ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ ଙ୍କ ଲୋକପ୍ରତିନିଧି, , ଜିଲ୍ଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ବୀରେନ୍ଦ୍ର ସୋରେଙ୍ଗ ଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, ମିଲର୍ସ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।