Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମିକୁ ପାଣି ହେଲେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ; ଭୋଜପୁରରେ ଜିଲ୍ଲାସ୍ତରୀୟ କୃଷକ ଦିବସ

ଜମନକିରା : ବୈଶାଖ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ଚାଷୀଙ୍କ ପାଇଁ ସ୍ମରଣୀୟ ଦିନଟିଏ। ଚାଷୀ ଏହି ଦିନରେ ବିଲକୁ ଅକ୍ଷୀମୁଠି ନେଇ ଚାଷ ଅନୁକୂଳ କରିଥାଏ।ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଭୋଇପୁର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ବୁଧବାର ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ପାରମ୍ପାରିକ ଧୋତି ପଗଡି ପରିଧାନ କରି ବିଲରେ ହଳ ଓ ଲଙ୍ଗଳରେ ଅକ୍ଷୀମୁଠି ଅନୁକୂଳ କରିଥିଲେ। ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆୟୋଜିତ କୃଷକ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ଜେନା ଅଧ୍ୟକ୍ଷତା କରିଥିଲେ। ଏଥିରେ ମନ୍ତ୍ରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଜମିରେ ଜଳସେଚନ ଅଭାବରୁ ଚାଷୀ ମରୁଡିର ଶିକାର ହେଉଛି। ଚାଷ ସମାଜ ପାଇଁ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଅଙ୍ଗ ହୋଇଥିଲେ ହେଁ ବାସ୍ତବରେ ବର୍ଷା ଅଭାବରୁ କୁଚିଣ୍ଡା ଉପଖଣ୍ଡରେ ପ୍ରତିବର୍ଷ ମରୁଡି ପରିସ୍ଥିତି ସୃଷ୍ଟି ହୋଇ ଆସୁଛି। ତେଣୁ ଜମିରେ ଜଳସେଚନ ବ୍ୟବସ୍ଥା ହେଲେ ଛାଷୀଙ୍କ ଆୟ ଦ୍ୱିଗୁଣିତ ହେବ।ଖରିଫ ଧାନ ଚାଷସହ ରବି ଋତୁରେ ପନିପରିବା ଓ ତୈଳବୀଜ ଚାଷ କରି ଚାଷୀ କିଭଳି ଅଧିକ ଲାଭବାନ ହେବେ ସରକାର ଯୋଜନା ପ୍ରସ୍ତୁତ କରିଥିବା ବେଳେ ଅନୁକୂଳ ପାଗ, ଉତ୍ତମ ବିହନ, ରାସାୟନିକ ସାର ସହ ଉଚିତ ବଜାର ବ୍ୟବସ୍ଥା ହେଲେ ଚାଷୀମାନେ ଉପକୃତ ହେବେ ବୋଲି କହିଥିଲେ। ଏହାଛଡା ଶଙ୍ଖାଭାଙ୍ଗୁଣି ଓ ଲମ୍ବୋଦରା ନାଳ ଉପରେ ଜଳ ସଂରକ୍ଷଣ ପାଇଁ ମେଗା ଆନିକଟ ନିର୍ମାଣ କରି ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ସରକାରୀ ଯୋଜନା ରହିଥିବା କହିଥିଲେ।ତେଣୁ ଆମ ସରକାର କୃଷିର ଉନ୍ନତି ପାଇଁ ବଜେଟରେ ଅଧିକ ଅର୍ଥର ବ୍ୟବସ୍ଥା କରିଥିବା ସୃଚନା ଦେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ, ବାମରା ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି ଧୂରୁଆ, ଜିଲ୍ଲାପରିଷଦ ସଭ୍ୟ ଦିବ୍ୟରାଜ କିଷାନ, ଜିଲ୍ଲା କୃଷକ ସଂଗଠନ ଉପସଭାପତି ସରୋଜ କୁମାର ପ୍ରଧାନ, ଭୋଜପୁର ସରପଞ୍ଚ କର୍ପୁର ପାତ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅକ୍ଷୟ ତୃତୀୟାର ବିଶେଷତ୍ୱ ଉପରେ ବକ୍ତବ୍ଯ ଦେଇଥିଲେ। ଏହି ଅବସରରେ ମାଣ୍ଡିଆରେ ଖଡିଆପାଲିର ମାଁ ସାରଳା ଏସଏଚଜିଙ୍କୁ ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ସାମଗ୍ରୀ ପାଇଁ, ଭେଷଜ ପଟେଲଙ୍କୁ ସଫଳ ଚାଷୀ ଓ ଜୋସେବ ଟେଟେଙ୍କୁ ଉଦ୍ୟାନ କୃଷି ପାଇଁ ସମ୍ମାନିତ କରାଯାଇଥିଲା।ସମାଜସେବୀ ମଳୟ ବେହେରା ସଭା ପରିଚାଳନା କରିଥିବା ବେଳେ କୁଚିଣ୍ଡା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଜମନକିରା ବ୍ଲକ କୃଷି ଅଧିକାରୀ କାଦମ୍ବିନୀ ଶତପଥୀ ଙ୍କ ତତ୍ତ୍ଵାବଧାନରେ ସମାପନ ହୋଇଥିଲା। ଏଥିରେ ଜିଲ୍ଲା, ଉପଖଣ୍ଡ ଏବଂ ବ୍ଲକ ସ୍ତରୀୟ କୃଷି, ଉଦ୍ୟାନ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ