Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପଖଣ୍ଡସ୍ଥ ଜମନକିରା ଓ ବାମରା ବ୍ଲକରେ ଏକଲବ୍ୟ ସ୍କୁଲ ଓ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ସହ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ଜମନକିରା ଏବଂ ବାମରା ବ୍ଲକରେ ଏକଲବ୍ୟ ସ୍କୁଲ, ଯୁକ୍ତ ୨ ମହାବିଦ୍ୟାଳୟ ଖୋଲିବା ସହ ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ଆଜି ଗୁରୁବାର ଜିଲ୍ଲା ଆଦିବାସୀ କଲ୍ୟାଣ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପରିଷଦର ଉପ-ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣାକର କିଶାନଙ୍କ ନେରୁତ୍ୱରେ କୁଚିଣ୍ଡା ଉପ-ଜିଲ୍ଲାପାଲ ବିଭୂତି ଭୂଷଣ ନାୟକ ଓ ପିଏ,ଆଇଟିଡିଏ ହେମସାଗର ଭୋଇଙ୍କୁ ଆଦିବାସୀ ପରିଷଦର ଏକ ପ୍ରତନିଧି ମଣ୍ଡଳୀ ସାକ୍ଷାତ କରି ଦୁଇ ଦଫା ସମ୍ବଳିତ ଦାବିପତ୍ର ସମ୍ବଲପୁର ଜିଲ୍ଲାପାଲଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଦାବିପତ୍ରରେ ବିଚାର ବିଭାଗୀୟ କଟକଣା ମୁକ୍ତ ହୋଇ ସାରିଥିବାରୁ କୁଚିଣ୍ଡା ସ୍ଥିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟରେ ପୂର୍ବରୁ ଚୟନ ହୋଇଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବା ସହ ଚଳିତ ଶିକ୍ଷା ବର୍ଷରୁ ନୂତନ ଭାବେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଛି। ଏଥିସହ ଉଭୟ ଜମନକିରା ଓ ବାମରାରେ ଚଳିତ ଶିକ୍ଷା ବର୍ଷରୁ ହିଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ଖୋଲି ବାକୁ ଦାବି କରା ଯାଇଛି। ଦାବିପତ୍ର ପ୍ରଦାନ ବେଳେ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦର ସଭାପତି ସୁବାସ ଚନ୍ଦ୍ର ନାୟକ, ଉପ-ସଭାପତି ରମେଶ ପ୍ରଧାନ, କିଶାନ ସମାଜ କୁଚିଣ୍ଡା ଉପଖଣ୍ଡ ମହାଗୁଡି ସଭାପତି ଶୋଭାରାମ ପ୍ରଧାନ, ଜିଲ୍ଲା କିଶାନ ସମାଜ ସଭାପତି ପଞ୍ଚାନନ ପ୍ରଧାନ, ପୂର୍ବତନ ସରପଂଚ ତଥା ଆପ ନେତା ଲିଙ୍କନ କିଣ୍ଡୋ, ରମଣୀ କିଶାନ,ରୁଦ୍ରପ୍ରତାପ ବାଘ, ସୁଜୟ ବାଘ, ଭରତ ଚିଲ, ସଞ୍ଜୟ ବାଘ, ବସନ୍ତ ଛତ୍ରିଆ ପ୍ରମୁଖ ସାମିଲ ଥିଲେ। ଆସନ୍ତା ୧୭ ତାରିଖ ଦିନ ପ୍ରତିନିଧି ଦଳଙ୍କ ସହ ଆଦିବାସୀ ମଙ୍ଗଳ ବିଭାଗର କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା କରିବାକୁ ଉଭୟ ଉପ-ଜିଲ୍ଲାପାଳ ଓ ପିଏ, ଆଇଟିଡିଏ ରାଜି ହୋଇଥିବା ଜଣାଯାଇଛି। ଏହି ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଉଦ୍ୟମ ଅବ୍ୟାହତ ରଖିବା ସହିତ ଆବଶ୍ୟକ ହେଲେ ଆନ୍ଦୋଳନ କରାଯିବାକୁ ଆଦିବାସୀ ଭବନରେ ଅନୁଷ୍ଠିତ ସଭାରେ ମତ ପ୍ରକାଶ ପାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ