ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କ ବଦଳି ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବ୍ଲକ୍ ଗ୍ରାଣ୍ଟ ପାଉଥିବା ଅଣଶିକ୍ଷକ କର୍ମଚାରୀଙ୍କୁ ଗୋଟିଏ ଶିକ୍ଷାନୁଷ୍ଠାନରୁ ଅନ୍ୟ ଏକ ଅନୁଷ୍ଠାନକୁ ବଦଳି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁରେନ୍ଦ୍ର କୁମାର ଜେନାଙ୍କ ରିଟ୍ ଅପିଲର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଧାମନଗର କଲେଜରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବା ବେଳେ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ମାର୍ଚ୍ଚ ୧୦ର ନିର୍ଦ୍ଦେଶନାମା ତାଙ୍କ ନିକଟରେ ପହଞ୍ଚିଥିଲା। ତାଙ୍କୁ ଜିଲ୍ଲା ଭିତରର ନାମୀ କଲେଜରେ କାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଆଦେଶ ଦେଇଥିଲେ। ପ୍ରଶାସନିକ କାରଣରୁ ଏପରି ଆଦେଶ ଦିଆଯାଇଥିବା ମାର୍ଚ୍ଚ ୧୦ର ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଥିଲା। ଏପରି ନିର୍ଦ୍ଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାର୍ଚ୍ଚ ୨୦ରେ ମାମଲାର ଶୁଣାଣି କରି ମାର୍ଚ୍ଚ ୧୦ର ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ। ଜଣିକିଆ ବିଚାରପତିଙ୍କ ମାର୍ଚ୍ଚ ୨୦ର ରାୟକୁ ଚାଲେଞ୍ଜ କରି ଆବେଦନକାରୀ ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ।
ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ କ୍ୟାଡର ଗଠନ କରାଯାଇନାହିଁ। ତେଣୁ ନିୟମ ଅନୁସାରେ ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ବଦଳି ହୋଇପାରିବ ନାହିଁ। ସେ ଜଣେ ବ୍ଲକ ଗ୍ରାଣ୍ଟ କର୍ମଚାରୀ। ତେଣୁ ଭଦ୍ରକ ଜିଲ୍ଲାର ମିନିଷ୍ଟରିଆଲ କର୍ମଚାରୀଙ୍କ ସାଧାରଣ କ୍ୟାଡରରେ ସେ ଅନ୍ତର୍ଭୁକ୍ତ ହୋଇନାହାନ୍ତି। ତେଣୁ ତାଙ୍କୁ ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଦାନ କରିଥିବା ଆଦେଶ ବେଆଇନ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏଥିସହ ୨୦୨୨, ଏପ୍ରିଲ ୧୬ର ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରସଙ୍ଗରେ ଆବେଦନକାରୀଙ୍କ ତରଫରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ବିଜ୍ଞପ୍ତି ଅନୁସାରେ ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କୁ ବଦଳି କରାଯାଇପାରିବ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।
ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରକାଶ କରିଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ ୨୦୨୨, ଏପ୍ରିଲ ୧୬ରେ ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟୀକରଣ ବିଜ୍ଞପ୍ତି ଜାରି କରିଥିଲା। ଏଥିରେ ବେସରକାରୀ ଅନୁଦାନପ୍ରାପ୍ତ କଲେଜର ବ୍ଲକ ଗ୍ରାଣ୍ଟ ପାଉଥିବା କର୍ମଚାରୀଙ୍କୁ ଗୋଟିଏ ଅନୁଷ୍ଠାନରୁ ଅନ୍ୟ ଅନୁଷ୍ଠାନକୁ ବଦଳି କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଏପରି କର୍ମଚାରୀମାନେ ରାଜ୍ୟବ୍ୟାପୀ ସାଧାରଣ କ୍ୟାଡର୍ର ଅନ୍ତର୍ଭୁକ୍ତ ହୋଇନଥିବାରୁ ସେମାନଙ୍କୁ ବଦଳି କରାଯାଇପାରିବ ନାହିଁ। ଏହି ବିଜ୍ଞପ୍ତିକୁ ହାଇକୋର୍ଟ ବିଚାରକୁ ନେଇ ଆବେଦନକାରୀଙ୍କୁ ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିବାକୁ ମାର୍ଚ୍ଚ ୧୦ରେ ଦିଆଯାଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଥିଲେ।