Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଋଣ ଭାର ସହି ନପାରି ବିଷ ପିଇ ଆତ୍ମହତ୍ୟା କଲେ ଦିବ୍ୟାଙ୍ଗ ଚାଷୀ

ଜମନକିରା : ଜମନକିରା ବ୍ଲକ ଖର୍ସନମାଲ ପଞ୍ଚାୟତ କାଣୀବନ୍ଧଳି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶରତ ମାଝୀ ( ୩୨) ନାମକ ଦିବ୍ୟାଙ୍ଗ ଚାଷୀ ଋଣ ଭାର ସହି ନପାରି ବିଷ ପିଇ ଗତକାଲି ଆତ୍ମହତ୍ୟା କରିଥିବା ନେଇ ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ରାଜସ୍ବ ବିଭାଗ, ପୋଲିସ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ସରକାରଙ୍କ ପକ୍ଷରୁ ଯାହା କିଛି ସହାୟତା ରାଶି ବ୍ୟବସ୍ଥା ଅଛି ପ୍ରଦାନ କରାଯାଇ ପାରେ ବୋଲି ତହସିଲଦାର ପ୍ରଭିନା ବିଲୁଂଗ, ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଏବଂ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ଖର୍ସନମାଲ ପଞ୍ଚାୟତ କାଣୀବନ୍ଧଳି ଗାଁରେ ମୃତ ଶରତ ଙ୍କ ସମେତ ତାଙ୍କ ଉପର ୪ ଜଣ ବଡ ଭାଇ ନିଜ ନିଜ ପରିବାର ସହ ରୁହନ୍ତି। ସମସ୍ତଙ୍କର ମୋଟାମୋଟି ଭାବେ ୨ ଏକର ଜମି ରହିଛି। ଶରତ ବହୁତ ବର୍ଷ ପୂର୍ବୁରୁ ଦୁର୍ଘଟଣାଗ୍ରସ୍ଥ ହୋଇ ଅଣ୍ଟାରୁ ଅକାମୀ ହୋଇ ଯାଇଥିଲା। ସେ ସରକାରଙ୍କ ଠାରୁ ମାସକୁ ବିକଳାଙ୍ଗ ଭତ୍ତା ହିସାବରେ ୧୨ ଶହ ଟଙ୍କା ପାଇ ଆସୁଥିଲେ। ତେବେ ରେନୁଆଲ କରି ନଥିବାରୁ ତାଙ୍କୁ ୫/୬ ମାସ ହେବ ଭତ୍ତା ମିଳୁନଥିଲା। ଅନ୍ୟ ପଟେ ସେ ଗତ ୨୦୧୪ ମସିହା ରୁ କୁଲୁଣ୍ଡି ଲ୍ୟାମ୍ପସ ରୁ ସବୁ ଜମି ଦେଇ ଏକୁଟିଆ ୬୦ ହଜାର ଟଙ୍କା ଋଣ କରିଥିଲେ। କିନ୍ତୁ ଦୁର୍ଘଟଣା ଯୋଗୁଁ ଦିବ୍ୟାଙ୍ଗ ହେବା ପରେ ଟଙ୍କା ଶୁଝି ପାରୁନଥିଲେ। ମୂଳ ଟଙ୍କା ୬୦ ହଜାର ବଢ଼ି ବଢ଼ି ଏବେ ତାହା ୧ ଲକ୍ଷ ୨୦ ହଜାର ହୋଇ ଗଲାଣି। ଋଣ ଖିଲାପ ଯୋଗୁଁ ଅନ୍ୟ ଭାଇ ମାନେ ମଧ୍ୟ ଋଣ ପାଇ ପାରୁ ନଥିଲେ। ଏସମସ୍ୟା ନେଇ ଭାଇ ଭାଇ ଭିତରେ ଅସନ୍ତୋଷ ରହି ଆସୁଥିଲା। ଗତ ଦୁଇଦିନ ତଳେ ଶରତ ଅନ୍ୟ ଭାଇ ମାନଙ୍କ ସହ କଥା ହୋଇଥିଲେ କେମିତି ଋଣ କୁ ଶୁଝିବି। ହେଲେ ଭାଇ ମାନେ କହିଲେ ତୁ ଋଣ କରିଛୁ ତୁ ଶୁଝ। ଶରତ ତାଙ୍କ ମା” ଙ୍କ ଜମି କୁ ବିକ୍ରି କରି ଶୁଝି ଦେବା ବୋଲି ଭାଇ ମାନଙ୍କୁ ଅନୁରୋଧ କରିଥିଲେ। ତେବେ ଭାଇ ମାନେ ରାଜି ହୋଇ ନଥିଲେ। ଶରତ ଙ୍କ ଗୋଟିଏ ପୁଅ ଯିଏ କି, ଚଳିତ ବର୍ଷ ୫ମ ଶ୍ରେଣୀ ପାସ କଲାପରେ ଆଦର୍ଶ ବିଦ୍ୟାଳୟ ରେ ପାଠ ପଢ଼ିବାର ଥିଲା। ତେବେ ଛୁଆର ପାଠ ପଢ଼ିବା ଆର୍ଥିକ ବ୍ୟବସ୍ଥା ନେଇ ଉଭୟ ସ୍ବାମୀ ସ୍ତ୍ରୀ ଚିନ୍ତିତ ଥିଲେ। ଏସବୁ କାରଣ ଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ଗତକାଲି ରାତ୍ର ୮/୯ ଟା ସମୟରେ ଘରେ ଥିବା କୀଟନାଶକ ଔଷଧ ପିଇ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ସ୍ତ୍ରୀ ଜାଣି ପାରି ଗାଁ ଲୋକଙ୍କୁ କହିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ବଡ ଡ଼ାକ୍ତରଖାନା କୁ ନିଆ ଯାଇଥିଲା। ତେବେ ରାତ୍ର ସାଢେ଼ ୧୧ ଟାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ବୁର୍ଲା ଥାନା ପକ୍ଷରୁ ଆଜି ସକାଳେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ଅପରାହ୍ନରେ ପାରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ପରେ ଗ୍ରାମବାସୀ ମାନେ ଆଜି ଏକତ୍ରିତ ହୋଇ ସରକାରଙ୍କ ପକ୍ଷରୁ ସହାୟତା ରାଶି ପାଇଁ ପ୍ରଶାସନ କୁ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ