ସମସ୍ତ ସରକାରୀ ସ୍କୁଲକୁ ବ୍ରଡବ୍ୟାଣ୍ଡ୍ ମାଧ୍ୟମରେ ଇଣ୍ଟରନେଟ୍ ସେବା:କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ( ଫଟୋ ) କୁଚିଣ୍ଡାରେ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟିତ


ଜମନକିରା : କେନ୍ଦ୍ର ସରକାର ନୂଆ ଶିକ୍ଷାନୀତି ମାଧ୍ୟମରେ ପ୍ରାଥମିକ ବିଦ୍ୟାଳୟରୁ ହିଁ ଶିକ୍ଷା ପଦ୍ଧତିକୁ ସୁଦୃଢ କରିବାକୁ ପଦକ୍ଷେପ ନେଇଛନ୍ତି।ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିଲେ ଅଞ୍ଚଳର ବିକାଶ ହେବାସହ ବିକଶିତ ଭାରତ ଗଠନରେ ନିଜକୁ ସାମିଲ କରି ପାରିବେ।ତେଣୁ ସମସ୍ତ ସରକାରୀ ବିଦ୍ୟାଳୟକୁ ବ୍ରଡବ୍ୟାଣ୍ଡ୍ ମାଧ୍ୟରେ ଇଣ୍ଚରନେଟ୍ ସେବା ପହଞ୍ଚାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ।ସମ୍ବଲପୁର ଜିଲ୍ଲା କୁଚିଣ୍ଡା କଲେଜ ପରିସରରେ ବହୁପ୍ରତିକ୍ଷୀତ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆ ଶିକ୍ଷାନୀତି ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ।ଶୁକ୍ରବାର ଅପରାହ୍ନରେ ମନ୍ତ୍ରୀମୁଣ୍ଡାଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିବାସହ କୁଚିଣ୍ଡା କଲେଜ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭ ଉଦଘାଟନ କରିଥିଲେ।ପରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ କୁଚିଣ୍ଡା ବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ।ଆଜି ଡବଲଇଞ୍ଜିନ ସରକାର କୁଚିଣ୍ଡାବାସୀଙ୍କ ଦାବିକୁ ସମ୍ମାନରସହ ଗ୍ରହଣ କରି ତାଙ୍କ ପୂରଣ କରିଥିବା କହିଥିଲେ।ସେ ତାଙ୍କ ବକ୍ତବ୍ଯରେ କୁଚିଣ୍ଡାରେ ପ୍ରଥମ ପର୍ଯ୍ୟାୟରେ ଚଳିତ ଶିକ୍ଷା ବର୍ଷରୁ ଶିଶୁ ବାଟିକାରୁଆରମ୍ଭ ହୋଇ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଆରମ୍ଭ ହେବ ।ଏଥିରେ ପ୍ରତ୍ୟେକ ଶ୍ରେଣୀ ପାଇଁ ୪୦ଜଣ ଲେଖାଏଁ ୨୪୦ଜଣ ପିଲା ଅଧ୍ୟୟନ କରିବେ।ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨ହଜାର ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା ହୋଇଥିବା କହିଥିଲେ।ଏହାଛଡା ଶିକ୍ଷା,ସ୍ୱାସ୍ଥ୍ୟ ଏବଂ ପିଇବା ପାଣିସହ ସହ ଜଳସେଚନ ବ୍ୟବସ୍ଥା କରାଯାଇ କୁଚିଣ୍ଡାକୁ ଏକ ଆଦର୍ଶ ଉପଖଣ୍ଡରେ ପରିଣତ କରିବାକୁ ଡବଲଇଞ୍ଜିନ ସରକାର ଲକ୍ଷ୍ୟ ରଖିଥିବା କହିଥିଲେ।ସରକାର ୩୧ଟଙ୍କା ଧାନ କେଜି,ସୁଭଦ୍ରା ଓ ଆୟୁଷ୍ମାନ ଯୋଜନାସହ ବିଭିନ୍ନ ଲୋକାଭିମୁଖି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି।ସାମଗ୍ରିକ ବିକାଶ ପାଇଁ ଆପଣ ମାନେ ଯୋଜନା ପ୍ରସ୍ତୁତ କରନ୍ତୁ ଅର୍ଥର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ପ୍ରଧାନ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ।ଗ୍ରାମ୍ଯ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ସମ୍ମାନିତ ଅତିଥିଭାବେ ଯୋଗଦେଇ କୁଚିଣ୍ଡାରେ ୧୧୦ଶଯ୍ୟା ବିଶିଷ୍ଟ ମେଡିକାଲ,ସ୍ପୋଟସ୍ ହଷ୍ଟେଲ,ଦୁଇଟି ଷ୍ଟାଡିୟମ ଏବଂ ଉପଖଣ୍ଡର ୩ଟି ବ୍ଲକରେ କଲ୍ୟାଣ ମଣ୍ଡପ ସ୍ଥାପନ ଯୋଜନା ରହିଥିବା କହିବା ସହ ସରକାର କୁଚିଣ୍ଡା ଉପଖଣ୍ଡର ଚାଷ ଜମିକୁ ଜଳସେଚନ ପାଇଁ ବଡ ବ୍ୟବସ୍ଥା କରିଥିବା କହିଥିଲେ।କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ଟଙ୍କାର ତ୍ରିପାଠୀ,ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବ, ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଡେପୁଟି କମିଶନର ସିହରଣ ବୋଷ ଓ ଅନ୍ୟତମ ଭାରପ୍ରାପ୍ତ ଆଞ୍ଚଳିକ କମିଶନର ବିରବଲ ଧିନୱା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ନୂଆଦିଲ୍ଲୀ କେନ୍ଦ୍ରୀୟ ବିଦ୍ୟାଳୟ ଯୁଗ୍ମ କମିଶନର ଶୋମିତ ଶ୍ରୀବାସ୍ତବ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଜ୍ୟ ମନ୍ତ୍ରୀ ଶ୍ରୀ ନାଏକ ୩୩କୋଟି ଟଙ୍କା ବ୍ୟୟରେ ୨୩ଗୋଟି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୭୧କୋଟି ଟଙ୍କା ବ୍ୟୟ ଅଟକଳରେ ୪୮ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ।କୁଚିଣ୍ଡା କଲେଜ ଅଧ୍ୟାପିକା ବେଲମତୀ କୁମୁରା ଓ ଅଧ୍ୟାପକ କାହ୍ନୁଚରଣ ମୁନ୍ନା ସଭାପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ,ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମ ସାଗର ଭୋଇଙ୍କ ସମେତ କୁଚିଣ୍ଡା,ବାମରା, ଜମନକିରା ବିଡିଓ, ତହସିଲଦାରଙ୍କ ସମେତ ସମସ୍ତ ଅଧିକାରୀ ମାନେ ପରିଚାଳନା କରିଥିଲେ।ସଭାରେ କୁଚିଣ୍ଡା ଉପଖଣ୍ଡର ବହୁସଂଖ୍ୟକ ପୁରୁଷ ମହିଳା ଯୋଗଦେଇଥିଲେ।