ଉପ ଜିଲ୍ଲାପାଳ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଘଟଣା,ଜେଲଗଲେ ଲାଞ୍ଚୁଆ ଉପ ଜିଲ୍ଲାପାଳ।


କଳାହାଣ୍ଡି,୧୦/୦୬
କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା ରବିବାର ରାତିରେ ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାସହ ଭିଜିଲାନ୍ସ ତାଙ୍କ ଘରୁ ଛାନ ଭିନ ବେଳେ ନଗଦ ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କା ଜବତ କରିଥିଲା। ପରେ ଉପ ଜିଲାପାଳ ଚକମାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇ ସେଠାରେ ଜେରା କରାଯାଇଥିଲା। ଏହି ସମୟରେ ସେ ଜବତ ଟଙ୍କାର ହିସାବ ଦେଇ ନ ପାରିବାରୁ ତଥା ସଠିକ ଉତ୍ତର ଦେଇ ପାରି ନ ଥିବାରୁ ସୋମବାର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେଠାରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଜେଲ ଯିବାକୁ ପଡିଛି। ସେହିପରି ବର୍ତ୍ତମାନ ମଧ୍ୟ ଏହି ଘଟଣାର ତଦନ୍ତ ଚାଲିଛି ବୋଲି ଭବାନୀପାଟଣାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଟକ ଭିଜିଲାନ୍ସ ସେଲ ଡିଭିଜନର ଏସପି ଏମ.ରାଧାକ୍ରୀଷ୍ଣା ସୂଚନା ଦେଇଛନ୍ତି।
ଏପଟେ ଅଧିକ ତଦନ୍ତ ପାଇଁ ଧର୍ମଗଡ଼ ସ୍ଥିତ ଉପଜିଲାପାଳଙ୍କ ଅଫିସରେ ଭିଜିଲାନ୍ସ ବିଭାଗର ତିନି ଜଣିଆ ସ୍ଵତନ୍ତ୍ର ଟିମ୍ ଛାନବିନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ପ୍ରକାଶ ଯେ, କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ୍‌ ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ଧର୍ମଗଡ଼ ଉପଜିଲାପାଳ ଚକମା ୨୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରଥମ ପର୍ଯ୍ୟାୟ ରେ ରବିବାର ରାତିରେ ଉପ ଜିଲ୍ଲାପାଳ ତାଙ୍କ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ନେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା। ଅଭିଯୋଗକାରୀଙ୍କୁ ଉପଜିଲାପାଳ ଧର୍ମଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଡାକି ଲାଞ୍ଚ ରାଶି ଯାଞ୍ଚ କରିଥିଲେ। ପରେ ଉକ୍ତ ଟଙ୍କାକୁ ତାଙ୍କ ବାସଭବନ ଅଫିସ ଟେବୁଲ୍‌ ଡ୍ରୟର ଭିତରେ ରଖିଥିଲେ। ଏହି ସମୟରେ ଭିଜିଲାନ୍ସ ଚଢ଼ଉ କରି ଉପଜିଲାପାଳଙ୍କ ହାତ ଧୋଇବା ଓ ଟେବୁଲ ଡ୍ରୟର ଧୋଇବାରୁ ଉଭୟ ସକାରାତ୍ମକ ରାସାୟନିକ ପ୍ରତିକ୍ରିୟା ଦେଇଥିବା ଜଣାପଡ଼ିଛି। ଏହା ପରେ ତାଙ୍କ ସରକାରୀ ବାସଭବନରେ ଯାଞ୍ଚ କରାଯିବା ବେଳେ ଆହୁରି ନଗଦ ୪୭ ଲକ୍ଷ ୪୭ ହଜାର ୬ଶହ ଟଙ୍କା ଜବତ ହୋଇଥିଲା। ଏ ନେଇଁ ଭିଜିଲାନ୍ସ ବିଭାଗରେ ଏକ ମାମଲା (ନଂ.୬/୨୦୨୫) ରୁଜୁ ହୋଇଛି। ଏହି ଚଢାଉ ରେ ଦୁଇଜଣ ସେଲ୍ ଏସପି ଓ ୪ ଜଣ ଡିଏସପି ସାମିଲ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ସୁଚନା ଦେଇଛି। ସୂଚନା ଯୋଗ୍ୟ, ଗତ ୨୦୨୪ ଜାନୁୟାରୀ ମାସରୁ ଧର୍ମଗଡ଼ ଉପଜିଲାପାଳ ଭାବେ ଚକମା ଦାୟିତ୍ବ ନେଇଥିଲେ। ୨୦୨୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଚକ୍‌ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ। ଅଗରତାଲା ଏନ୍‌ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ଚକ୍‌ମା ୟୁପିଏସ୍‌ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ଆଇ ଏ ଏସ ପାଇବା ପୂର୍ବରୁ ସେ ଆଇ ଏଫ ଏସ ପାଇ (୨୦୧୯ ବ୍ୟାର୍ଚ୍ଚ) ମୟୁରଭଞ୍ଜ ଜିଲା ବାରିପଦା ରେ ଏସିଏଫ ଭାବେ ଜୁନ ୨୦୨୧ ପ୍ରଯ୍ୟନ୍ତ କାର୍ଯ୍ୟରତ ଥିଲେ । ପରେ ଆଇ ଏ ଏସ ପାଇ ଧର୍ମଗଡ଼ ଉପଜିଲାପାଳ ଭାବେ ଯୋଗଦେଇଥିଲେ। ଅନ୍ୟପଟେ, ଜଣେ ଆଇଏଏସ ଲାଞ୍ଚ ନେଇଁ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।