ଅଣସର ଘରେ ଶ୍ରୀଜିଉ, ଆଜିଠୁ ଅଲାରନାଥଙ୍କ ଦର୍ଶନ ଆରମ୍ଭ


ପୁରୀ: ସ୍ନାନବେଦୀରେ ଦିବ୍ୟ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ତିନି ଠାକୁର। ଅଣସର ଘରେ ଚାଲିଛି ଗୁପ୍ତ ପୂଜା। ସେଥିପାଇଁ ରତ୍ନସିଂହାସନରେ ତିନି ଠାକୁରଙ୍କ ସ୍ଥାନରେ ପୂଜା ପାଉଛନ୍ତି ପଟ୍ଟି ଦିଅଁ। ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ପଟ୍ଟି ଦିଅଁ ଭାବେ ପୂଜା ପାଇଥାଆନ୍ତି।

ସୂଚନା ଅନୁଯାୟୀ, ଆଜି ଭୋର ୪ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତୀ, ତଡ଼ପ ଲାଗି, ଅବକାଶ, ବେଶ, ତୁଳସୀ ଲାଗି ହୋଇଥିଲା। ସାଢେ଼ ୫ ଟାରେ ଗୋପାଳ ବଲ୍ଲଭ ସରିବା ପରେ ସର୍ବସାଧାରଣ ଦର୍ଶନ ୬ ଟାରୁ ଆରମ୍ଭ ହୋଇଛି।

ଶ୍ରୀଜିଉ ଅଣସର ଘରେ ଥିବାରୁ ବ୍ରହ୍ମଗିରିର ଅଲାରନାଥ ପୀଠରେ ଆଜିଠାରୁ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସକାଳୁ ସକାଳୁ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିଛି । ବିଶ୍ୱାସ ରହିଛି ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କଲେ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେହି ଫଳ ପ୍ରାପ୍ତି ହୋଇଥାଏ।