ସ୍ତବ୍ଦ କରିଛି ସମ୍ବଲପୁର ସହର ର ଟ୍ରିପଲ ମର୍ଡର ଘଟଣା
 
        ଜମନକିରା : ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ବସ୍ତିରେ ଏକ ଘରେ ତାଲା ବନ୍ଦ ଥିବା ବେଳେ ଘର ଭିତରୁ ତିନି ଜଣଙ୍କର ମୃତଦେହ ପୋଲିସ ଠାବ କରିଛି। ସୁନାପାଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଯୋଗୁଁ ବସ୍ତିରେ ଶୋକର ଛାୟା ଖେଳିଯାଇଛି। ମୃତକମାନେ ହେଲେ ସଜିଆ ପରବୀନ (୩୨), ପୁଅ ଅବଦୁଲ ରେହମାନ (୧୦) ଓ ଝିଅ ହୁମାଇରା ତାଇବା (୮)।
     ପୁଲିସ କହିବା ଅନୁସାରେ,୩/୪ ଦିନ ପୂର୍ବରୁ ହତ୍ୟା ହୋଇଥିବା ବେଳେ ଘର ସାମ୍ନାରେ ତାଲା ଦିଆଯାଇଥିଲା। ଧନୁପାଲି ଥାନା ଅନ୍ତର୍ଗତ ସନାପାଲି ଅଞ୍ଚଳରେ ଏକ ଘର ଭିତରେ ୩ ଜଣଙ୍କର ମୃତଦେହ ପଡ଼ିଥିବା ନେଇ ସୂଚନା ମିଳିଥିଲା। ଏହି ଆଧାରରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଘରର ତାଲା ଭାଙ୍ଗି ବନ୍ଦ ଘରୁ ମା’ ଓ ତାଙ୍କର ପୁଅ ଓ ଝିଅଙ୍କ ମୃତଦେହ ଠାବ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସଦର ଏସ୍ଡିପିଓ ପ୍ରଦୀପ ସାହୁ, ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ମୁତୟନ ଅଛନ୍ତି। ଆଜି ସକାଳୁ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପୋଷ୍ଟମୋର୍ଟାମ କେନ୍ଦ୍ରକୁ ଶବ ଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

 
                        
 
                                 
                                 
                                 
                                 
                                