ପୁରୀ: ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ। ଭକ୍ତିରେ ଭିଜୁଛି ବଡ଼ଦାଣ୍ଡ। ରତ୍ନସିଂହାସନ ଛାଡ଼ି ଭକ୍ତଙ୍କ ଗହଣରେ ବିରାଜିଛନ୍ତି କାଳିଆ ସାଆନ୍ତ। ରଥରେ ବିଜେକରି ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ।ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଉଠୁଛି ପଡୁଛି ଶ୍ରୀକ୍ଷେତ୍ର ପୁରୀ ।
ଗୁରୁବାର ସକାଳେ ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିଛି ଅଣସର ତାଟି। ଏହାପରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁବିଗ୍ରହ। ଦୁର୍ଲ୍ଲଭ ନବଯୌବନ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଲାଗିଛି ପୁରୀ ବଡଦାଣ୍ଡରେ। ୧୫ ଦିନର ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ।ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରି ଜ୍ୱରରେ ପଡ଼ିଥିଲେ ଦାରୁଦିଅଁ। ଅଣସର ଘରେ ଚାଲିଥିଲା ଗୁପ୍ତ ଉପଚାର।
ଆଜି ଦିନ ୧୨ଟା ୩୦ରେ ପହଣ୍ଡି ସରିବା ପରେ ଅପରାହ୍ଣ ୨ଟା ୩୦ରୁ ୩ଟା ୩୦ ଭିତରେ ଛେରା ପହଁରା ସରିବ। ଏହାପରେ ଚାରମାଳ ଫିଟା ସାଙ୍ଗକୁ ରଥରେ ଘୋଡ଼ା ସାରଥୀ ଲଗାଯିବ। ଅପରାହ୍ଣ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ପ୍ରଥମେ ବଳଭଦ୍ର, ଏହାପରେ ମା ସୁଭଦ୍ରାଙ୍କ ରଥ ଏବଂ ଶେଷରେ ପ୍ରଭୃ ଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହେବ।
ଗତକାଲି ଆଜ୍ଞାମାଳ ବିଜେ ପରେ ରଥଖଳାରୁ ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ୩ ରଥ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା।ବଡଦାଣ୍ଡରେ ମାନବୀୟଲୀଳାରେ ସାମିଲ ହେବେ ଅଗଣିତ ଭକ୍ତ | ଚଳିତ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ କରି ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।