ସମ୍ବଲପୁର: ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ପ୍ରତିଷ୍ଠାନ ଆଇଆଇଏମ ସମ୍ବଲପୁର ଜାତୀୟ ଡିଜିଟାଲ ଲାଇବ୍ରେରୀ ଅଫ ଇଣ୍ଡିଆ (ଏନ୍ଡିଏଲ୍ଆଇ) ଏବଂ ଆଇଆଇଟି ଖଡ଼ଗପୁର ସହ ମିଳିତ ସହଯୋଗରେ “ଏନ୍ଡିଏଲ୍ଆଇ ଅନ୍ୱେଷଣ: ଲାଇବ୍ରେରିଆନମାନଙ୍କୁ ଡିଜିଟାଲ ଜ୍ଞାନର ସାମର୍ଥ୍ୟ ସହିତ ସଶକ୍ତ କରିବା’ ବିଷୟବସ୍ତୁ ଉପରେ ଏକ ଦିନିକିଆ ଜାତୀୟ ଡିଜିଟାଲ ପାଠାଗାର କର୍ମଶାଳା ଆୟୋଜନ କରାଯାଇଛି। ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ସମସ୍ତ ପ୍ରାନ୍ତରୁ ଆସିଥିବା ପାଠାଗାର ପେଷାଦାରମାନଙ୍କୁ ସଶକ୍ତ କରିବା।
ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପ୍ରଯୋଜିତ ଏବଂ ଆଇଆଇଟି ଖଡ଼ଗପୁର ଦ୍ୱାରା ଡିଜାଇନ୍ କରାଯାଇଥିବା ‘ଜାତୀୟ ଡିଜିଟାଲ ଲାଇବ୍ରେରୀ ଅଫ ଇଣ୍ଡିଆ’ (ଏନ୍ଡିଏଲ୍ଆଇ) ଏକ ଏକକ ପ୍ରବେଶ ବିନ୍ଦୁ ଯାହା ବିଭିନ୍ନ ବିଷୟ ଏବଂ ଶିକ୍ଷାଗତ ସ୍ତରରେ ଶିକ୍ଷାଭିତିକ ଉପକରଣକୁ ସୁବିଧାରେ ପ୍ରଦାନ କରୁଛି। ଏନ୍ଡିଏଲ୍ଆଇ ଅନେକ ଭାରତୀୟ ଭାଷାକୁ ସମର୍ଥନ କରେ ଏବଂ ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ଉପଯୋଗୀ ଯାହା ସାରା ଦୁନିଆର ଜ୍ଞାନକୁ ସହଜରେ ପହଚାଂଉଛି। ଆଇଆଇଏମ ସମ୍ବଲପୁରର ଲାଇବ୍ରେରୀ ମଧ୍ୟ ଏକ ୨୪/୭ ଘଂଟିଆ ଡିଜିଟାଲ ଜ୍ଞାନ କେନ୍ଦ୍ର, ଯାହା ଏବିଆଇ ଇନଫର୍ମ୍ସ, ଏସିଏମ୍ ଡିଜିଟାଲ ଲାଇବ୍ରେରୀ, ସ୍ପିଙ୍ଗର ନେଚର, ସ୍କୋପସ୍, ବ୍ଲୁମବର୍ଗ ଓ କ୍ୟାପିଟାଲ୍ ଆଇକ୍ୟୁ ଭଳି ଆଧୁନିକ ଡିଜିଟାଲ ସମ୍ବଳ ସହିତ ହଜାର ହଜାର ପୁସ୍ତକ, ଜର୍ଣ୍ଣାଲ ଏବଂ ଗବେଷଣା ଡାଟାବେସକୁ ପ୍ରଦାନ କରୁଛି। ଏହି ଉଭୟ ପ୍ଲାଟଫର୍ମ ମିଶି ଆଇଆଇଏମ ସମ୍ବଲପୁରର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଚମତ୍କାର, ପ୍ରଯୁକ୍ତି-ଆଧାରିତ ଶିକ୍ଷା ଏବଂ ଗବେଷଣା ପରିବେଶ ସୃଷ୍ଟି କରିଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର (ଡ଼କ୍ଟର) ମହାଦେବ ଜୟସ୍ୱାଲ; ସମ୍ମାନିତ ଅତିଥି ଭାବରେ ଆଇଆଇଏମ ସମ୍ବଲପୁରର ପାଠାଗାର କମିଟି ଅଧ୍ୟକ୍ଷ ପ୍ରଫେସର (ଡ଼କ୍ଟର) ରାମକୃଷ୍ଣ ପାଢ଼ୀ; ଆୟୋଜନ ମୁଖ୍ୟ ଭାବରେ ଆଇଆଇଏମ ସମ୍ବଲପୁରର ଲାଇବ୍ରେରିଆନ୍ ଡ଼କ୍ଟର ଏସ. କନ୍ନନ; ଜାତୀୟ ଡିଜିଟାଲ ଲାଇବ୍ରେରୀ ଅଫ ଇଣ୍ଡିଆର ଯୁଗ୍ମ ପ୍ରମୁଖ ଇନଭେଷ୍ଟିଗେଟର ଓ ଆଇଆଇଟି ଖଡ଼ଗପୁରର ସେଂଟ୍ରାଲ ଲାଇବ୍ରେରୀର ଲାଇବ୍ରେରିଆନ୍ ଡ଼କ୍ଟର ବି. ସୁତ୍ରଧାର; ରିସୋର୍ସ ପର୍ସନ ଭାବେ ଏନ୍ଡିଏଲ୍ଆଇ କ୍ଲବ୍ର ଆଉଟ୍ରିଚ୍ ମ୍ୟାନେଜର ଦୁବେନ୍ଦୁ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରୁ ଆସିଥିବା ୧୦୦ରୁ ଅଧିକ ପାଠାଗାର ପେଷାଦାରମାନେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଉଦ୍ଘାଟନୀ ଅଭିଭାଷଣରେ କହିଥିଲେ ଯେ, “ଡିଜିଟାଲ ଜ୍ଞାନର ମୁକ୍ତ ପ୍ରବେଶ ସର୍ବସାଧାରଣ ଶିକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଜିର ଡିଜିଟାଲ ଯୁଗରେ ଗବେଷଣା ପ୍ରକାଶନ, କେସ୍ ଷ୍ଟଡି ଏବଂ ଡାଟାବେସ୍ ପ୍ରାୟତଃ ଅଧିକ ମୂଲ୍ୟରେ ଉପଲବ୍ଧ ହୋଇଥାଏ ଯାହା ଭାରତ ଭଳି ଦେଶରେ ଅନେକ ପ୍ରତିଷ୍ଠାନ ପାଇଁ ସୁବିଧାଜନକ ହୋଇପାରିନାହିଁ। ଫଳସ୍ୱରୂପ, ମୂଲ୍ୟବାନ ଜ୍ଞାନ କେବଳ କେତେକ ପ୍ରତିଷ୍ଠିତ ପ୍ରତିଷ୍ଠାନ ପାଇଁ ସୀମିତ ରହିଯାଇଛି। ମୁଁ ଏହି ମୁକ୍ତ ପ୍ରବେଶ ପ୍ରୟାସକୁ ସମର୍ଥନ କରୁଛି, ବୁଦ୍ଧିଜୀବୀ ସମ୍ବଳଗୁଡ଼ିକ ଏକ ନିରବଚ୍ଛିନ୍ନ ଆଧାରରେ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ସୁଯୋଗ ନିଶ୍ଚିତ କରିବା ଉଚିତ୍। ଆମେ ହୃଦୟରୁ ଏହି ପ୍ରୟାସକୁ ସମର୍ଥନ କରୁଛୁ । ଆଇଆଇଏମ ସମ୍ବଲପୁର ଶୀଘ୍ର ଗ୍ଲୋବାଲ୍ କେସ୍ କ୍ୟାପାବିଲିଟି ସେଂଟର (ଜିସିସିସି) ଆରମ୍ଭ କରିବାକୁ ଯାଉଛି ଯାହା ବିଶ୍ୱର ବିଭିନ୍ନ କେସ୍ ଷ୍ଟଡି ଏବଂ ଗବେଷଣାକୁ ମାଗଣାରେ, ଏଆଇ-ସମର୍ôଥତ ଭାବରେ ପ୍ରଦାନ କରିବ। ଯାହାଦ୍ୱାରା ଜ୍ଞାନ ଆଉ କେବଳ ପ୍ରତିଷ୍ଠିତ ପ୍ରତିଷ୍ଠାନ ପାଇଁ ସୀମିତ ରହିବ ନାହିଁ।’’
ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧନ କରି ରିସୋର୍ସ ପର୍ସନ ଡ଼କ୍ଟର ବି. ସୁତ୍ରଧାର ଡିଜିଟାଲ ଲାଇବ୍ରେରୀର ଗୁରୁତ୍ୱ ବିଷୟରେ ବ୍ୟାଖ୍ୟା କରିଥିଲେ ଏବଂ ଏହାକୁ କିପରି ବ୍ୟବହାର କରାଯିବ ସେ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ।
କାର୍ଯ୍ୟକ୍ରମରେ ଡକ୍ଟର ବି ସୁତ୍ରଧର “ଏନ୍ଡିଏଲ୍ଆଇ ଫର୍ ୟଙ୍ଗ ରିଡିଂ ହାବିଟ୍ ଆଣ୍ଡ୍ ବିୟଣ୍ଡ’ ଏବଂ ଶ୍ରୀ ଦୁବେନ୍ଦୁ ଚକ୍ରବର୍ତୀଙ୍କ ଦ୍ୱାରା “ବ୍ରିଜ ଦ ନଲେଜ ଗ୍ୟାପ୍: ଦ ରୋଲ ଅଫ ଏନ୍ଡିଏଲ୍ଆଇ କ୍ଲବ ଇନ ଏଜୁକେସନ୍’ ଏବଂ ‘ଓପନ ଏକ୍ସେସ ରିସୋର୍ସ ଆଣ୍ଡ କନ୍ଟ୍ରିବ୍ୟୁସନ ଅଇ ଇଣ୍ଡିଆ ଟି ଦି ଓଏଆର’ ଡ. ଏସ କନ୍ନନଙ୍କ ଦ୍ୱାରା ବୈଷୟିକ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।