କଳାହାଣ୍ଡି,୧୧/୦୭
ଇନ୍ଦ୍ରାବତୀ ପ୍ରକଳ୍ପରୁ ୨୫/୨୬ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ କରାଯାଇଛି । ଶୁକ୍ରବାର ପୂର୍ବାହ୍ନ ୧୦ଟା ବେଳେ ପୂଜା ଅର୍ଚ୍ଚନା ପରେ ବାମ, ଦକ୍ଷିଣ ଓ ମେଗା ଉଠା ଜଳ ସେଚନ କେନାଲମାନଙ୍କରେ ଜଳ ସେଚନର ଶୁଭାରମ୍ଭ କରାଯାଇଥିଲା । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ଆଠଟି ବ୍ଲକର ମୋଟ ୫୦୧ଗ୍ରାମର ୧,୧୮, ୦୯୦ହେକ୍ଟର ଜମିରେ ଖରିଫ ଜଳ ସେଚନର ଲକ୍ଷ ରଖାଯାଇଛି । ପ୍ରତିବର୍ଷ ଖରିଫ ଜଳ ସେଚନ ଆରମ୍ଭରୁ ଆଶା ଓ ଆଶଙ୍କା ମଧ୍ୟରେ ରହି ଆସୁଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷ ପାଇଁ ଏକ ଆଶା ଜନକ ସ୍ଥିତି ଆରମ୍ଭରୁ ହିଁ ସୃଷ୍ଟି ହୋଇଛି । ଗତ ବର୍ଷ ଆଜିର ଦିନରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ସ୍ଥିତି ୬୨୭.୩୧୦ମିଟର ରହିଥିବା ବେଳେ ଚଳିତ ବର୍ଷ ସେହି ଜଳ ସ୍ତର ପ୍ରାୟ ଛଅ ମିଟର ବୃଦ୍ଧି ପାଇ ୬୩୩.୧୯ମିଟରରେ ରହିଥିବା ସୂଚନା ମିଳିଛି । ଏଭଳି ସ୍ଥିତିରେ ଜଳ ଭଣ୍ଡାର ମଧ୍ୟକୁ ୧୮୩.୯୯୬କୁମେକ୍ସ ପାଣି ପ୍ରବେଶ କରୁଥିବା ବେଳେ ସେଚନ ଓ ବିଦ୍ୟୁତ୍ ଉତ୍ପାଦନ ପାଇଁ ୭୬.୬୬୬ କୁମେକ୍ସ ପାଣି ଛଡ଼ା ଯିବା ସହ ୨୦୫ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରାଯାଉଥିବା ସୂଚନା ମିଳିଛି । ଆଜି ଜଳ ସେଚନର ପ୍ରଥମ ଦିନ ହୋଇଥିବାରୁ ବାମ ମୁଖ୍ୟ କେନାଲରେ ୫କୁମେକ୍ସ, ଦକ୍ଷିଣରେ ୩କୁମେକ୍ସ ଓ ମେଗା ଲିଫ୍ଟ କେନାଲରେ ୩କୁମେକ୍ସ ପାଣି ଛଡ଼ା ଯାଇଥିବା ସୂଚନାରୁ ପ୍ରକାଶ । ଜଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କଲେ ବର୍ତ୍ତମାନ ସ୍ଥିତିରେ ୬୩୩.୧୯ମିଟର ଅର୍ଥାତ ସର୍ବାଧିକ ୧,୪୮, ୫୫୦ହେକ୍ଟର ମିଟର ଜଳ ଧାରଣ କ୍ଷମତା ରହିଥିବା ବେଳେ ଶୁକ୍ରବାର ସକାଳୁ ୫୮, ୮୧୮ହେକ୍ଟର ମିଟର ଅର୍ଥାତ୍ ୩୯.୫୯ପ୍ରତିଶତ ଜଳ ସଂଗୃହିତ ହୋଇ ସାରିଥିବା ଜଣା ପଡ଼ିଛି । ଯାହାକି ଇନ୍ଦ୍ରାବତୀ ପାଇଁ ସର୍ବକାଳୀନ ରେକର୍ଡ ହୋଇଛି ବୋଲି ଏକ ଆକଳନରୁ ଜଣା ପଡ଼ିଛି । ଇନ୍ଦ୍ରାବତୀ ଖରିଫ ଜଳ ସେଚନ କଳାହାଣ୍ଡି ଜିଲ୍ଲାର ଆଠଟି ବ୍ଲକରେ ସୀମିତ ଥିବା ବେଳେ ଚଳିତ ବର୍ଷ ବାମ ମୁଖ୍ୟ କେନାଲରେ ୨୪୦ଟି ଗ୍ରାମର ୫୭, ୭୨୮.୪୬ହେକ୍ଟର, ଦକ୍ଷିଣ ମୁଖ୍ୟ କେନାଲ ର ୧୭୩ଗ୍ରାମର ୩୪, ୦୮୦ ହେକ୍ଟର ଓ ମେଗା ଲିଫ୍ଟ କେନାଲର ୮୮ତି ଗ୍ରାମର ୨୬, ୨୮୧ହେକ୍ଟର ଅର୍ଥାତ୍ ମୋଟ ୧,୧୮, ୦୯୦ହେକ୍ଟର ଜମିରେ ଜଳ ସେଚନ କରାଯିବ । ନିର୍ବାଚନ ମଣ୍ଡଳୀ ମାନଙ୍କୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ୨୫, ୪୪୧.୮୮ ହେକ୍ଟର, ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ୩୯, ୩୧୩.୪୬ହେକ୍ଟର, ଧର୍ମଗଡ ନିର୍ବାଚନ ମଣ୍ଡଳୀର ୪୫, ୧୦୦.୩୯ ହେକ୍ଟର ଓ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ୮୨୩୪.୫୦ହେକ୍ଟର ଜମିରେ ଜଳ ସେଚିତ ହେବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି । ଜଳ ସେଚନର ଶୁଭ ଉଦଘାଟନ ବେଳାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି, ଦକ୍ଷିଣ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ବାମ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ଇଂ.ତୃପ କୁମାର ପାତ୍ର, ମେଗାଲିଫ୍ଟ ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଦିତ୍ୟ କୁମାର ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ବସନ୍ତ ଜାନି ଉପସ୍ଥିତ ଥିଲେ ।
ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗାଲିଫ୍ଟ ରୁ ଜଳସେଚନ ଆରମ୍ଭ।
