ମୋହନ ସାର୍‌ଙ୍କ ଅବସର ! ଛାତ୍ରଛାତ୍ରୀଙ୍କ ଉପହାର,କାର୍ଯ୍ୟକ୍ରମରେ ଭାବ ବିହ୍ଵଳ ପରିବେଶ।


କଳାହାଣ୍ଡି,୧୩/୦୭
ବିଦ୍ୟାଳୟ ହେଉଛି ମନ୍ଦିର ଆଉ ଏହି ମନ୍ଦିର ର ଦେବତା ହେଉଛନ୍ତି ଶିକ୍ଷକ।ଯିଏ ଶିକ୍ଷା, ଉପଦେଶ,ପ୍ରେରଣା ରେ ଛାତ୍ର ସମାଜରେ ଆଦର୍ଶ ଭାବରେ ପ୍ରତିଷ୍ଠିତ ହୁଏ।ତେବେ ଜଣେ ଶିକ୍ଷକଙ୍କ ଅବସର ପରେ ବିଦାୟୀ କାଳୀନ ସମ୍ବର୍ଦ୍ଧନାରେ ତାଙ୍କ ଠାରେ ଶିକ୍ଷାଲାଭ କରିଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ପ୍ରେମ ସମସ୍ତଙ୍କ ଆଖିକୁ ଓଦା କରିଦେଇଥିଲା । ଏଭଳି ଜଣେ ଆଦର୍ଶ ଶିକ୍ଷକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଗୌତିଆପଡା ପଡା ସରକାରୀ ବିଦ୍ୟାଳୟର ଶିକ୍ଷକ ମୋହନ ପ୍ରସାଦ ମୁଣ୍ଡ । ୧୯୯୭ ମସିହାରୁ ସେ ଏହି ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ । ଶିକ୍ଷକତା ଭଳି ଏକ ପବିତ୍ର ବୃତ୍ତିରେ ଦୀର୍ଘ ୨୭ ବର୍ଷ କାଳ ଗୋଟିଏ ବିଦ୍ୟାଳୟ ରେ ରହି ସେ ନିଜ ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ନିଜ ଗାଁ ବିଦ୍ୟାଳୟ ବୋଲି ତାଙ୍କର ବିଦ୍ୟାଳୟ ପ୍ରତି ରହିଥିଲା ଅନେକ ଅବଦାନ । ନିଜ ଶିକ୍ଷକତା ଜୀବନ ଭିତରେ ସେ ପାଠ ପଢେଇଥିବା ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ପାଇ ଆଜି ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ଶିକ୍ଷକତା ସହ ସେ ଜଣେ ସାହିତ୍ୟ ଅନୁରାଗୀ ମଣିଷ। ନିଜ ଆଦର୍ଶ ଶିକ୍ଷକଙ୍କୁ ଅବସର ବେଳେ ନିଆରା ଢଙ୍ଗରେ ବିଦାୟ ଦେବା ପାଇଁ ପ୍ରଥମେ କିଛି ପୁରାତନ ଛାତ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ । ଚାହୁଁ ଚାହୁଁ ଏଥିରେ ୨୭ ବର୍ଷ ତଳର ଛାତ୍ରଛାତ୍ରୀ ମାନେ ବି ଯୋଡି ହୋଇ ଏଭଳି ଏକ ସମ୍ବର୍ଦ୍ଧନା ଉତ୍ସବ କରିବା ପାଇଁ ଯୋଜନା ପ୍ରସ୍ତୁତ କଲେ । ମୋହନ ସାରଙ୍କୁ ବିଦାୟ ଜଣେଇବା ପାଇଁ ନୂଆ ଓ ପୁରୁଣା ପିଲା ଏକତ୍ରୀତ ହୋଇଥିଲେ । ବ୍ୟାଣ୍ଡ ବାଜା ସହିତ ସାରଙ୍କୁ ଗ୍ରାମ୍ୟ ପରିକ୍ରମା କରାଯାଇ ସାରଙ୍କୁ ଉପହାର ସ୍ୱରୂପ ବହୁ ମୂଲ୍ୟବାନ ସାମଗ୍ରୀ ପ୍ରଦାନ କରି ଭବ୍ୟ ବିଦାୟ ଦେଇଥିଲେ ।ବିଦାୟ ବେଳେ ସମସ୍ତ ଛାତ୍ରଛାତ୍ରୀ ଆଖିରେ ଲୁହ ଆଉ ମୁହଁରେ ଶିକ୍ଷକ ଙ୍କ ପ୍ରତି କୃତଜ୍ଞତା ଝଲସୁଥିଲା।କାର୍ଯ୍ୟକ୍ରମ ରେ ସନ୍ତୋଷ ଚୌଧୁରୀ,ବାଳଗୋପାଳ ତେଣ୍ଡକାରୀ,ଅଭିମନ୍ୟୁ ପଣ୍ଡା, ଗୁଣନିଧି ନାଏକ,ପରମାନନ୍ଦ ମାଝୀ,ସୁଶୀଲ କୁମାର ମୁଣ୍ଡ ,ଖଗେଶ୍ୱର ମାଝୀ ସିଆରସିସି ସତ୍ୟାନନ୍ଦ ନାଏକ ଉପସ୍ଥିତ ଥିବା ବେଳେ ମଞ୍ଚ ପରିଚାଳନା ମନ୍ମଥ କୁମାର ମିଶ୍ର ଓ ଧନ୍ୟବାଦ ଅର୍ପଣ ଶ୍ରୀବଲ୍ଲଭ ନାଏକ କରିଥିଲେ।