Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ

ସମ୍ବଲପୁର:ତ୍ୟାଗମୟ ଜୀବନ ଦର୍ଶନ ବିଶ୍ଵାବ୍ୟାପି ଆଲୋକ ପ୍ରଦାନ କରିଥାଏ। ଏଭଳି ଏକ ଆଲୋକର ଜୀବନ ଚର୍ଚ୍ଚା ସମ୍ବଳଭୂମି ପାଇଁ ନବ ଦିଗନ୍ତର ବାଟ ଦେଖାଏ। ଯାହାକି ଓଡିଶା ଇତିହାସ ମାଟିରୁ ଲୋପ ପାଇବାକୁ ଯାଉଥିବା ବେଳେ କିଛି ଉଦ୍ୟୋକ୍ତା ଆଜି ସମାଜ ଦର୍ପଣ ର ମୁହଁ ହୋଇ ଆଗାମୀ ପୀଢ଼ି ପାଇଁ ନୂତନ ବାର୍ତ୍ତା ଦେବାକୁ ଆଗେଇ ଆସିଛନ୍ତି।
ରବିବାର ଓଡ଼ିଶା ସାଂସ୍କୃତିକ ସମାଜର ସ୍ବାଧୀନତା ସଂଗ୍ରାମୀ ଭବନରେ ସମ୍ବଲପୁରର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଦୟାନନ୍ଦ ଶତପଥୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଫେସର ଡଃ ଆଦିତ୍ୟ ପ୍ରସାଦ ପାଢୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଟେକଚାନ୍ଦ ଦୁଆନ ଯୋଗଦେଇ ଦୟାନନ୍ଦ ଶତପଥୀଙ୍କ ସଂଘର୍ଷ ଓ ତ୍ୟାଗମୟ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥିଲେ।
ସଭାର ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ପ୍ରାକ୍ତନ ସାଂସଦ ଭବାନୀ ଶଙ୍କର ହୋତା ସ୍ବର୍ଗତ ଦୟାନନ୍ଦ ଶତପଥୀଙ୍କୁ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ତଥା ପରବର୍ତ୍ତୀ କାଳରେ ଜଣେ ସାମ୍ଯବାଦୀ ମହାନାୟକ ଭାବେ ଅଭିହିତ କରିଥିଲେ। ମୁଖ୍ୟବକ୍ତା ପ୍ରାଧ୍ୟାପକ ଟେକଚାନ୍ଦ ଦୁଆନ ନିଜର ବକ୍ତବ୍ୟରେ ସଂଗ୍ରାମୀ ଦୟାନନ୍ଦଙ୍କୁ ଗାନ୍ଧୀବାଦର ପ୍ରବଳ ପ୍ରଚାରକ ତଥା ଗାନ୍ଧିଜୀଙ୍କ ଅଷ୍ଟାଦଶ ସୂତ୍ରୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଯୋକ୍ତା ଭାବେ କାର୍ଯ୍ୟ କରି ସ୍ବାଧୀନତା ସଂଗ୍ରାମୀଙ୍କ ମାଟି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ପାଣିମୋରା ଗ୍ରାମରେ ତାଙ୍କ ପ୍ରୟୋଗ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଦୟାନନ୍ଦ ଜଣେ ଶିକ୍ଷକ ଓ ସାମ୍ବାଦିକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରି ଜୀବନର ଅନ୍ତିମ ପର୍ଯ୍ୟାୟରେ ମଧ୍ୟ ସେହି ଭୂମିକାରେ ନିଜର ଅବଶିଷ୍ଟ ସମୟ ଅତିବାହିତ କରିଥିଲେ। ଭାରତୀୟ ଜାତୀୟ ଆନ୍ଦୋଳନରେ ତାଙ୍କ ଉଦ୍ୟମରେ ପାଣିମୋରା ଗ୍ରାମରୁ ୪୨ ଜଣ ସ୍ଵାଧୀନତା ସଂଗ୍ରାମୀ ଉତ୍ସାହିତ ହୋଇ ଯୋଗଦାନ କରିଥିଲେ।ସେ ଥିଲେ ଜଣେ ସ୍ୱାଭିମାନୀ,ନିର୍ଭୀକ ତଥା ଦାୟିତ୍ୱବାନ ବ୍ୟକ୍ତିତ୍ୱ।କର୍ମଯୋଗୀ ଭାବେ ସ୍ବାଧୀନତା ସଂଗ୍ରାମୀ ଦୟାନନ୍ଦଙ୍କୁ ପ୍ରାଧ୍ୟାପକ ଦୁଆନ ତାଙ୍କ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏକ ଆଲୋକର ବର୍ତ୍ତିକା ଭାବେ ନବ ନିର୍ମାଣ ପାଇଁ ଆଗାମୀ ପୀଢ଼ି ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ । ମୁଖ୍ୟ ଅତିଥି ପ୍ରସନ୍ନ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ କହିଥିଲେ ଯେ, ଭାରତୀୟ ସ୍ବାଧୀନତା ସଂଗ୍ରାମୀଙ୍କର ଯୋଗଦାନକୁ ଆମେ ଯଦି ଭୁଲିଯିବା ତେବେ ଆମର ଉତ୍ତରପିଢ଼ି ଆମ ଠାରୁ ଆଉ ଶିଖିବେ କ’ଣ ? ମୂଲ୍ୟବୋଧର ଅବକ୍ଷୟ ହେଉଥିବା ସମୟରେ ସଂଗ୍ରାମୀ ଦୟାନନ୍ଦଙ୍କୁ ମନେ ପକେଇବା, ଆଜି ଦିନର ଏକ ଆହ୍ୱାନ।ଯେଉଁ ଜାତି ନିଜର ଅତୀତ ଇତିହାସକୁ ଭୁଲିଯାଏ, ସେହି ଜାତିର ଭବିଷ୍ୟତ ବଂଶଧର ସବୁବେଳେ ଅସୁରକ୍ଷିତ। ଦୟାନନ୍ଦ ଶତପଥୀ ଥିଲେ ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ଵ।ସେ ଅସ୍ପୃଶ୍ୟତା ବିରୋଧରେ ନିଜର ଆଭିମୁଖ୍ୟକୁ ବାଲ୍ଯଜୀବନରୁ ସ୍ପଷ୍ଟ କରିଥିଲେ। ସେ ସ୍କୁଲରେ ନିଜର ବାଲ୍ୟଶିକ୍ଷା ଅର୍ଜନ କରିଥିଲେ।ସେ ଥିଲେ ଜଣେ ସାଲିସ୍ ବିହୀନ ତଥା ସ୍ବାର୍ଥରହିତ ବ୍ୟକ୍ତିତ୍ଵ। ଆଉ ଏମାନେହିଁ ସମାଜ ଦର୍ପଣ ବୋଲି ମୁଖ୍ୟଅତିଥି କହି ସମଗ୍ର ସମାଜକୁ ଦେଇଥିଲେ ଏକ ନୂତନ ବାର୍ତ୍ତା।ସଭାପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ନିଜର ବକ୍ତବ୍ୟରେ ଦୟାନନ୍ଦ ଶତପଥୀଙ୍କ ତ୍ଯାଗ ଓ ସାଧନାର ଜଣେ ଉଚ୍ଚ କୋଟୀର ପ୍ରତୀକ ବୋଲି କହିଥିଲେ।
ଦୟାନନ୍ଦ ଶତପଥୀ ଜୟନ୍ତୀ ସ୍ମୃତି କମିଟିର ସଂପାଦକ ପ୍ରଫୁଲ୍ଲ ହୋତା ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ସଂଗଠକ ରାଜେନ୍ଦ୍ର ନାୟକଙ୍କୁ ଦୟାନନ୍ଦ ଶତପଥୀ ସ୍ମୁତି ସମ୍ମାନ ଦ୍ବାରା ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଡଃ ଗୌରିଦାସ ପଧାନ ମାନପତ୍ର ପାଠ କରିଥିଲେ ଏବଂ ପରିଶେଷରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ପାଟଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ସମାଜର ବିଭିନ୍ନ ବର୍ଗ ଓ ସଂଗଠନ ର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ