କଂଗ୍ରେସ ର 12 ଘଣ୍ଟିଆ ବନ୍ଦ ରେଙ୍ଗାଲି ରେ ଶାନ୍ତିପୂର୍ଣ୍ଣ ରହିଲା।


ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ସମର୍ଥନ କରିଛନ୍ତି ବାମପନ୍ଥୀ ସହିତ ୮ ଟି ବିରୋଧୀ ଦଳ । ପୀଡ଼ିତାଙ୍କୁ ନ୍ୟାୟ ତଥା ମହିଳାଙ୍କୁ ସମ୍ମାନ ଦାବିରେ ଗୁରୁବାର ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ଯାଏଁ ବନ୍ଦ ଡାକରା ଦିଆଯାଇଥିଲା। ରେଙ୍ଗାଲି ରେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରି ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ, ରେଙ୍ଗାଲି ଅଞ୍ଚଳରେ ଥିବା ସମସ୍ତ ସରକାରୀ ବେସରକରୀ ଶିକ୍ଷାନୁଷ୍ଠନଗୁଡ଼ିକୁ ବନ୍ଦ ରହିଥିଲା। କଂଗ୍ରେସ ନେତା ଓ କର୍ମୀ ମାନେ ରେଙ୍ଗାଲି ତହସିଲ୍ ଛକ ଠାରେ ରାଜ୍ୟ ରାଜପଥ 10କୁ ଅବରୋଧ କରିଥିଲେ। ଏହି ବନ୍ଦ ରେ ଜିଲ୍ଲା କଂଗ୍ରେସ ଉପସଭାପତି ସୁବାଷ ବିଶ୍ଵାଳ, ସି ପି ଆଇ ରାଜ୍ୟ ସହ ସମ୍ପାଦକ କ୍ଷୀରୋଦ ସିଂହଦେଓ, ରେଙ୍ଗାଲି ବ୍ଲକ କଂଗ୍ରେସ ସଭାପତି ଚତୁର୍ଭୁଜ ଝାଙ୍କର, ଜିଲ୍ଲା କଂଗ୍ରେସ ସମ୍ପାଦକ ସରୋଜ ପୂଝାରୀ, ସି ପି ଆଇ ଜୋନ ସମ୍ପାଦକ ନିରୋଦ ସିଂହଦେଓ, ମିତ୍ରଭାନୁ ପୋଢ଼, ଗଣେଶ ସୋହେଲା, ଅନିଲ ବେହେରା, ସାଗରା ଭୋଇ, ଜଗନ୍ନାଥ ମେହେର, ମୋହନ ନାୟକ, ମନ୍ତ୍ରୀ ଙ୍କ ସହ ବହୁ କଂଗ୍ରେସ ଓ ସି ପି ଆଇ କର୍ମୀ ଯୋଗ ଦେଇଥିଲେ।

ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇଛି ପାରଳାଖେମୁଣ୍ଡି:୧୭/୭(ଗରୁଡ ଧ୍ଵଜ ଚୌଧୁରୀ): ସମଗ୍ର ଗଜପତି ଜିଲ୍ଲାରେ କଂଗ୍ରେସର ବନ୍ଦ ପାଳନ ଡାକରାକୁ ମିଳିଛି ଜନସମର୍ଥନ. ଗଜପତି ଜିଲ୍ଲାର ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲା ର ମୋଟ 7 ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷଣୀ ଓ କାଶୀନଗର ଏନଏସି ଓ ବ୍ଲକ ଅଞ୍ଚଳରେ ସଫଳ ହୋଇଛି ବନ୍ଦ ପାଳନା। ସାରା ଜିଲ୍ଲାରେ ବନ୍ଦ ପାଳନ ଯୋଗୁଁ ଜୀବନ ଯାତ୍ରା ସମ୍ପୂର୍ଣ ବ୍ୟାହତ ହୋଇଛି। ଚକ ଅଖ ବନ୍ଦ ଥିବା ବେଳେ ସମସ୍ତ ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ଦୋକାନ ବଜାର, ସରକାରୀ ଅଫିସ ଓ ବ୍ୟାଙ୍କ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ନାରୀକୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରକାଶ କରି କହିଛନ୍ତିଯେ, ବାଲେଶ୍ବର ଫକୀରମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କୁ ସୁରକ୍ଷା ଦେଇ ପାରି ନାହାଁନ୍ତି ସରକାର। ତାଙ୍କ ଅସ୍ଵାଭାବିକ ମୃତ୍ୟୁ ପଛରେ ଥିବା ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହ ପିଡିତାଙ୍କ ପରିବାରକୁ ୫ କୋଟି ସହାୟତା ପ୍ରଦାନ ଦାବି କରିଛନ୍ତି. ଏହି ବନ୍ଦ ପାଳନରେ ଗଜପତି ଜିଲ୍ଲା ସିପିଏମ ଦଳର ଦଣ୍ଡ ପାଣି ରଇତ, ସିପିଆଇର ଶ୍ରୀନିବାସ ବେହେରାଙ୍କ ସମେତ ବହୁ ବାମପନ୍ଥି ସଦସ୍ୟ ଯୋଗ ଦେଇ ବନ୍ଦ ପାଳନକୁ ସମ୍ପୂର୍ଣ ସଫଳ କରିଥିଲେ. କଂଗ୍ରେସ ନେତ୍ରୀ ଜସ୍ମିନ ଶେଖଙ୍କ ସମେତ ବହୁ ନେତା କର୍ମୀ ପାରଳାଖେମୁଣ୍ଡି ଠାରେ ବନ୍ଦ ପାଳନରେ ସାମିଲ ହୋଇଥିଲେ. ବିଜେପି ସରକାରଙ୍କ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଫଟୋଚିତ୍ରକୁ ଦାହ କରିବା ସହ ସେମାନଙ୍କ ଇସ୍ତଫା ଦାବି କରାଯାଇଥିଲା.