କଳାହାଣ୍ଡି: ପୁଣି ଥରେ ବଢ଼ିଲା ତାତି । ଆଜି ରାଜ୍ୟ ବ୍ୟାପି ପ୍ରବଳ ଖରା ଓ ଗୁଳୁଗୁଳିର ପ୍ରଭାବ ଦେଖିବାକୁ ମିଳିଥିବାବେଳେ କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣାରେ ଆଜି ସର୍ବାଧିକ ୪୩.୦୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ସାରା ରାଜ୍ୟରେ ବଲାଙ୍ଗୀର ୪୪.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ଟିଟିଲାଗଡ଼ ୪୪ ଓ ଝାରସୁଗୁଡ଼ା ୪୩.୬ ଏବଂ ତା’ ତଳକୁ ରହିଛି ଭବାନୀପାଟଣା । ତେବେ ଜିଲ୍ଲାର କେବଳ ଭବାନୀପାଟଣା ନୁହେଁ କେସିଙ୍ଗା, ଜୁନାଗଡ଼, ଧର୍ମଗଡ଼, ଲାଞ୍ଜିଗଡ଼, ନର୍ଲା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଖରାର ପ୍ରକୋପ ଦେଖିବାକୁ ମିଳିଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲସି, ସରବତ, ଆଖୁରସ ଠେଲା ଆଦିଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଥିଲା ।