Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ତାର ଚୋରୀ ରାକେଟର ପର୍ଦ୍ଦାଫାଶ; ୫ଗିରଫ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରୁ ବିଦ୍ୟୁତ ତାର ସହ ଲୁହା ପାଇପ୍, ଟ୍ରାନ୍ସଫର୍ମର, ସେଣ୍ଟ୍ରିଙ୍ଗ ପ୍ଲେଟ ଆଦି ଚୋରୀ ରାକେଟରେ ପର୍ଦ୍ଦାଫାଶ କରିଛି କୁଚିଣ୍ଡା ପୋଲିସ।ଏଥି ନିମନ୍ତେ ଗଠିତ ଏକ ପୋଲିସ ସ୍କ୍ୱାର୍ଡ ଦ୍ୱାରା ଚଢ଼ାଉ କରାଯାଇ ରାକେଟରେ ୫ଜଣଙ୍କୁ ଗିରଫ କରିବା ସହ ବିଭିନ୍ନ ଚୋରୀ ସାମଗ୍ରୀ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶରୁ ଆସି କୁଚିଣ୍ଡା ଥାନା କୁଚିଣ୍ଡା ରାମଜୀପଡାରେ ରହୁଥିବା ଗୁପଚୁପ ବିକାଳୀ ଶୁଶିଳ ପାଣ୍ଡେ(୨୬), ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଟାଙ୍ଗରମୁଣ୍ଡାର ମୀନକେତନ ଓରାମ(୨୪), ଜମନକିରା ଥାନା ବଡଖଲିଆର ତ୍ରିନାଥ ଖିଚିଡି(୩୦) ଓ ଲକ୍ଷ୍ମୀ ଛେଣ୍ଡିଆ(୨୭) ଏବଂ କୁଚିଣ୍ଡା ଥାନା ଲେପେଇକାନୀର ହରେଶ କିଷାନ(୨୫)। ଅଭିଯୁକ୍ତ ମାନଙ୍କୁ ଗିରଫ କରି ପୋଲିସ ଶନିବାର ସନ୍ଧ୍ୟାରେ କୁଚିଣ୍ଡା ଏସଡ଼ିଜେଏମ୍ କୋର୍ଟକୁ ଚାଲାଣ କରିଥିବା ନେଇ ଖବରଦାତା ସମ୍ମିଳନୀରେ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ କହିଛନ୍ତି। ପୋଲିସ ଅଭିଯୁକ୍ତଙ୍କ ଠାରୁ ୧୦କ୍ୱିଣ୍ଟାଲ ଆଲୁମିନିୟମ ବିଦ୍ୟୁତ ତାର, ୩କେଜି ତମ୍ବା ତାର, ୩ଟି ବାଇକ୍, ୩ଟି ପାଇପ୍ କଟର ଓ ହ୍ୟାଣ୍ଡ ଗ୍ଲୋଵ ଜବତ କରିଛି।ସୂଚନା ଅନୁଯାୟୀ,ଦୀର୍ଘ ୫/୬ମାସ ହେବ ଏହି ରାକେଟ ବିଭିନ୍ନ ସ୍ଥାନରୁ ଚୋରୀ କରି ଆସୁଥିଲେ ଓ କୁଚିଣ୍ଡା, ଜମନକିରା ଏବଂ ମହୁଲପାଲି ଥାନାରେ ଏନେଇ ମାମଲା ମଧ୍ୟ ରୁଜୁ ହୋଇଛି। କୁଚିଣ୍ଡା ରାମଜୀପଡାର ଗୁପଚୁପ ବିକାଳୀ ଶୁଶିଳ ପାଣ୍ଡେ ଓ କବାଡି ବ୍ୟବସାୟୀ ମନୋଜ କୁମାର ରାୟ ଚୋରୀ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏମାନେ ଦୁହେଁ ଗିରଫ ଅଭିଯୁକ୍ତଙ୍କ ସହ ୪/୫ଜଣଙ୍କୁ ଡାକି ରହିବା ଖାଇବା ବ୍ୟବସ୍ଥା କରି ଦିନ ବେଳା ବିଭିନ୍ନ ସ୍ଥାନକୁ ଯାଇ ରେକି କରୁଥିଲେ ଓ ରାତିରେ ଚୋରୀ କରୁଥିଲେ। ଗତ ମଇ ୩ରେ ମହୁଲପାଲି ଥାନା ସାଗରପାଲି ଗ୍ରାମରୁ ୧୨୦ ଗୋଟି ସେଣ୍ଟ୍ରିଙ୍ଗ ପ୍ଲେଟ୍, ଜୁନ ୯ରେ କୁନ୍ତୁରାବାହାଲ ଗ୍ରାମରୁ ଲୁହା ପାଇପ୍ ଓ ସେଣ୍ଟ୍ରିଙ୍ଗ ପ୍ଲେଟ୍ ଚୋରୀ କରିଥିଲେ। ସେହିପରି କୁଚିଣ୍ଡା ଥାନା ସୁବର୍ଣ୍ଣପାଲି ଓ ସାନଜଟିଆପାଲି ଗ୍ରାମରୁ ଟ୍ରାନ୍ସଫର୍ମର ଓ ତମ୍ବା ତାର, ବରଘାଟରୁ ଟ୍ରାନ୍ସଫର୍ମର କଏଲ ଏବଂ ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଜାମକାନି ଓ ସାହାସପୁର ଅଞ୍ଚଳରୁ ବିଦ୍ୟୁତ ତାର ଚୋରୀ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି।ରୀତିମତ ଏଭଳି ଚୋରୀ ଅଭିଯୋଗ ହେବାପରେ ସମ୍ବଲପୁର ଏସପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶ କ୍ରମେ କୁଚିଣ୍ଡା ଏସଡିପିଓ ଏବଂ କୁଚିଣ୍ଡା ଆଇଆଇସି ବାମଦେବ ଶଙ୍ଖୁଆଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏସଆଇ ଅମର ହୋତା, ଲଭଲି ପ୍ରଧାନ, ଏଏସଆଇ ସୋମନାଥ ବିଶ୍ୱାଳ, କନଷ୍ଟେବଲ
ପଙ୍କଜ ଡନସେନା, ତରୁଣ କିଷାନ, ମେସକ ଗୁରିଆ, ଶୁଶାନ୍ତ ବରିହା, ଭୁଜବଳ ମାଝି ଏବଂବନିତା ନାଏକଙ୍କୁ ନେଇ ଏକ ପୋଲିସ ଟିମ୍ ଗଠନ କରାଯାଇଥିଲା।ଏହି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ରାକେଟର ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାର ଅନ୍ୟତମ ମାଷ୍ଟର ମାଇଣ୍ଡ କୁଚିଣ୍ଡାର କବାଡି ବ୍ୟବସାୟୀ ମନୋଜ ରାୟ ସମେତ ଅନ୍ୟମାନେ ଫେରାର ଥିବା ଏସଡିପିଓ ଦାସ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ