ହଟିଲା ଡ୍ରିମ-୧୧, ଏବେ କିଏ ହେବ ଟିମ୍ ଇଣ୍ଡିଆର ନୂଆ ସ୍ପୋନସର୍


ନୂଆଦିଲ୍ଲୀ: ଦେଶରେ ଅନଲାଇନ୍ ଗେମିଂ ଆଇନ ଲାଗୁ ହେବା ପରେ ଫ୍ୟାଣ୍ଟାସି ଗେମିଂ କମ୍ପାନୀ ଡ୍ରିମ-୧୧ ଏହାର ଅନଲାଇନ୍ ବ୍ୟବସାୟ ବନ୍ଦ କରିଦେଇଛି।

ଏପରିକି ଡ୍ରିମ୧୧ ଅଧିକାରୀମାନେ ବିସିସିଆଇକୁ ଭେଟି ଏସିଆ କପରେ ଭାରତୀୟ ଦଳକୁ ପ୍ରାୟୋଜକ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ତେବେ ‘ଡ୍ରିମ୧୧’ର ଜୁଲାଇ ୨୦୨୩ରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବିସିସିଆଇ ସହିତ ୩୫୮ କୋଟି ଟଙ୍କାର ଚୁକ୍ତି କରିଥିଲା। ବର୍ତ୍ତମାନ୍ ପ୍ରଶ୍ନ ଉଠୁଛି ଯଦି ‘ଡ୍ରିମ ୧୧’ ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ପ୍ରାୟୋଜକ କରିବ ନାହିଁ, ତେବେ ଟିମ୍ ଇଣ୍ଡିଆର ନୂତନ ପ୍ରାୟୋଜକ କିଏ ହେବ। ତେବେ ଏସବୁ ମଧ୍ୟରେ ଟାଟା ଗ୍ରୁପ୍ ର ନାମ ଆଗରେ ରହିଛି। ଟାଟା ଗ୍ରୁପ୍ ଭାରତୀୟ ବଜାରରେ ଏକ ଶକ୍ତିଶାଳୀ ଏବଂ ବିଶ୍ୱସ୍ତ ନାମ।

ବର୍ତ୍ତମାନ୍ ପରିସ୍ଥିତିରେ ଟାଟା ୨୦୨୮ପର୍ଯ୍ୟନ୍ତ IPLର ଟାଇଟଲ୍ ସ୍ପନସର ଭାବରେ ରହିଛି। ଏଥିସହିତ କ୍ରୀଡ଼ା ଜଗତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରାଧାନ୍ୟ ମଧ୍ୟ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ରିଲାଏନ୍ସ ଜିଓ ଡିଜିଟାଲ୍ ଏବଂ ଟେଲିକମ୍ ବଜାରରେ ବହୁତ ସକ୍ରିୟ ଏବଂ ବିଶେଷକରି କ୍ରୀଡ଼ା ଜଗତରେ ମଧ୍ୟ ନିରନ୍ତର ନିଜର ପରିଚୟ ସୃଷ୍ଟି କରିବାରେ ଲାଗିଛି। ତେବେ ଏହା କହିଲେ ଭୁଲ୍ ହେବ ନାହିଁ ଯେ ରିଲାଏନ୍ସ ମଧ୍ୟ bcci ସମ୍ମୁଖରେ ସ୍ପନସର ହେବାର ଦାବି ରଖିପାରେ। ଅପରପକ୍ଷରେ ଅନଲାଇନ୍ ସପିଂ ପ୍ଲାଟଫର୍ମ Amazon ଏବଂ Flipkart ଭଳି କମ୍ପାନୀଗୁଡ଼ିକ ମଧ୍ୟ ଏହି ଦାବିରେ ନିଜକୁ ସାମିଲ କରିପାରିବେ। ଏହି କମ୍ପାନୀଗୁଡ଼ିକ ଭାରତରେ ନିଜର ସ୍ଥାନକୁ ଆହୁରି ମଜବୁତ କରିବା ପାଇଁ ଭାରତୀୟ କ୍ରିକେଟ ଦଳର ସାହାଯ୍ୟ ନେଇପାରିବେ। କାରଣ କ୍ରିକେଟ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ଖେଳ ଏବଂ ଯଦି ଏମାନେ କ୍ରିକେଟ ସହିତ ଜଡିତ ହୁଅନ୍ତି ତେବେ ଏମାନେ ଏହାଦ୍ବାରା ବଡ଼ ଲାଭ ପାଇପାରିବେ।

କେବଳ ଏହି କମ୍ପାନୀ ଗୁଡ଼ିକ ନୁହେଁ ଭାରତୀୟ ପୁରୁଷ କ୍ରିକେଟ ଦଳକୁ ସ୍ପନସର କରିବା ପାଇଁ ଫିନଟେକ୍ କମ୍ପାନୀଗୁଡ଼ିକ ମଧ୍ୟ ଆଗକୁ ଆସିବା ନେଇ ସମ୍ଭାବନା ରହିଛି। ଭାରତରେ ଷ୍ଟକ୍ ବଜାରରେ ନିବେଶ ନିରନ୍ତର ବୃଦ୍ଧି ପାଉଛି, ଯାହାକୁ ଦୃଷ୍ଟିରେ ରଖି ଫିନଟେକ୍ କମ୍ପାନୀଗୁଡ଼ିକ ସ୍ପନସର କରିବା ପାଇଁ ଆଗକୁ ଆସିପାରନ୍ତି। Zerodha, Angel One, Groww ଭଳି କମ୍ପାନୀଗୁଡ଼ିକ ନିରନ୍ତର ଆଗକୁ ବଢ଼ିବାରେ ଲାଗିଛନ୍ତି। ଏହି କମ୍ପାନୀଗୁଡ଼ିକ ମଧ୍ୟରୁ କିଛି ପ୍ରାୟୋଜକ ଭାବରେ IPL ସହିତ ମଧ୍ୟ ଜଡିତ ଅଛନ୍ତି।