ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଯାଞ୍ଚ କମିଟିର ସମସ୍ତ ସଦସ୍ୟାଙ୍କ ଅନୁପସ୍ଥିତିରେ ଚାଲିଛି ଯାଞ୍ଚ ପ୍ରକ୍ରିୟା; ସରକାରୀ ନିୟମ କୁ ଫୁ


ଜମନକିରା : ରାଜ୍ୟ ସରକାରଙ୍କ ଷ୍ଟାଣ୍ଣ୍ଡିଙ୍ଗ ଅର୍ଡର ଅନୁଯାୟୀ ସାରା ରାଜ୍ୟରେ ମାସର ପ୍ରତ୍ୟେକ ୨୩ ତାରିଖ ଦିନ ଛତୁଆ ପ୍ରସ୍ତୁତି ସମୟରେ ଏକ ଯାଞ୍ଚ କମିଟିର ସଦସ୍ୟା, ସୁପରଭାଇଜର, ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଛତୁଆ ମିଶ୍ରଣ ଏବଂ ପ୍ୟାକେଟ ପ୍ରସ୍ତୁତି କରିବା ପାଇଁ ନିୟମ ରହିଛି। ମାତ୍ର ଜମନକିରା ବ୍ଲକରେ ଏହାର ଖୋଲାଖୋଲି ଭାବେ ସମ୍ପୂର୍ଣ୍ଣ ଉଲଂଘନ ହେଉଥିବା ଅଭିଯୋଗ ହେଉଛି। ଏହି କ୍ରମରେ ଉକ୍ତ ଯାଞ୍ଚ କମିଟିରେ ସଦସ୍ୟା ଭାବେ ଜଣେ ୱାର୍ଡ ମେମ୍ବର କିମ୍ବା ସରପଞ୍ଚ, ଜଣେ ପ୍ରସୂତି ମା”, ଜଣେ ଗର୍ଭବତୀ ମା”, ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି କେନ୍ଦ୍ରରେ ପଢୁଥିବା ଏକ ଛୁଆର ଜଣେ ମା” ଜଣେ ସ୍ଵେଚ୍ଛା ସେବୀ ମହିଳା ପ୍ରମୁଖ ଉପସ୍ଥିତିରେ ଛତୁଆ ପ୍ରସ୍ତୁତ କରିବା ନେଇ ନିୟମ ରହିଛି। ଏହା ସାଙ୍ଗକୁ ବିଭାଗୀୟ ସମନ୍ୱିତ ଶିଶୁ ଓ ମାତ୍ରୁ କଲ୍ୟାଣ ବିଭାଗର ସୁପର୍ଭାଇଜର, ସିଡିପିଓ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ଛତୁଆ ପ୍ରସ୍ତୁତି ବେଳେ ଯାଞ୍ଚ କରିବା କଥା। ଏହା ସାଙ୍ଗକୁ ସ୍ଵତନ୍ତ୍ର ଭାବେ ଏହାକୁ ତଦାରଖ କରିବା ପାଇଁ ବିଡ଼ିଓ ଏବଂ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ କରି ଅଛନ୍ତି। ଗତକାଲି ୨୩ ତାରିଖ ଦିନ ଜମନକିରା ବ୍ଲକର ୨ଟି ସ୍ଥାନରେ ଛତୁଆ ପ୍ରସ୍ତୁତ କରାଯାଉଥିଲା। ମାତ୍ର ଉକ୍ତ ଉଭୟ କେନ୍ଦ୍ରରେ ଛତୁଆ ପ୍ରସ୍ତୁତି ବେଳେ ଦାୟିତ୍ୱରେ ଥିବା ଯାଞ୍ଚ କମିଟିର ନା ଥିଲେ ସମସ୍ତ ସଦସ୍ୟା ନା ଥିଲେ ପ୍ରଶାସନିକ ଅଧିକାରୀ। ଏଭଳି ଚରମ ଅବହେଳା ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା” ମାନଙ୍କ ପ୍ରତି ଅଣଦେଖା ଭଳି ମନେ କରାଯାଏ। ଶୁଣିବାକୁ ମିଳୁଛି କି, ଛତୁଆ ମାନ ଠିକ୍ ନଥିବାରୁ ହିତାଧିକାରୀ ମାନେ ଗାଈ ଗୋରୁ ଙ୍କୁ ଖୁଏଇ ଦେଉଥିବା ଆଉ କେତେକ ବିକ୍ରି କରି ଦେଉଥିବା ଅଭିଯୋଗ ହେଉଛି। ଆଗାମୀ ଦିନରେ ଏଭଳି ସମସ୍ୟା ଯେମିତି ଆଗକୁ ନହୁଏ ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ ବୋଲି ସାଧାରଣରେ ଦାବି ହେଉଛି।
ଏସଂକ୍ରାନ୍ତରେ ଅନୁପସ୍ଥିତି ନେଇ ତହସିଲଦାର ପ୍ରଭିଣା ଵିଲୁଙ୍ଗ ଏବଂ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ତାଙ୍କ ମୋବାଇଲ ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ଫୋନ ନ ଉଠେଇବାରୁ ତାଙ୍କ ପ୍ରତିକ୍ରିୟା ନିଆ ଯାଇ ପାରିନଥିଲା।