ଜମନକିରା :: ସମ୍ବଲପୁର ଜିଲ୍ଲା ଜମନକିରା ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ) ଅଫିସ ଏଵଂ କର୍ମଚାରୀ ବାସଗୃହ, ପ୍ରଶିକ୍ଷଣ ହଲ୍, ପାର୍କିଂ ବ୍ୟବସ୍ଥା, ପତାକା ପୋଷ୍ଟ୍ ଆଦି କୋଠା ନିର୍ମାଣ ପାଇଁ ପ୍ରତି ବ୍ଲକ ସଦର ମହକୁମାରେ ଅତିକମରେ ଅଢେଇ ଏକର ଜମି ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିକ୍ଷା ବିଭାଗ ଆଡିସନାଲ ସେକ୍ରେଟାରୀ ଦିପ୍ତିରାଣୀ ସାହୁଙ୍କ ଚିଠି ସଂଖ୍ୟା ୨୩୬୩୭,ତା.୨୭/୨/୨୦୨୫ରେ ଶୀଘ୍ର ଜମି ଚିହ୍ନଟ କରି କାର୍ଯ୍ୟଳୟ ଏବଂ କ୍ୱାର୍ଟର ପାଇଁ ପ୍ରସ୍ତୁତି କର ବୋଲି ଚିଠି କରାଯାଇଛି। ତେବେ ଉଭୟ ରାଜସ୍ବ ବିଭାଗ ଏବଂ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିକାରୀଙ୍କ ଭିତରେ ସମନ୍ୱୟ ରହୁନଥବାରୁ ଜମି ଚିହ୍ନଟ କାର୍ଯ୍ୟ ଧିମେଇ ଯାଉଛି। ଆଗକୁ ବଢ଼ି ପାରୁନି। ଆରୋପ ପ୍ରତ୍ୟାରୋପ ଭିତରେ ସମୟ ଗଡି ଚାଲିଛି। ତହସିଲଦାରଙ୍କ କହିବା ଅନୁଯାଇ ପୂର୍ବରୁ ଶିକ୍ଷା ବିଭାଗ ପକ୍ଷରୁ ଜାଗା ପାଇଁ ଆବେଦନ କରାଯାଇଥିଲା। ସେହି କ୍ରମରେ ତାଙ୍କୁ ୧୩ ଡିସିମିଲ ଜାଗା ବ୍ଲକ ପାଖରେ ଦିଆଯାଇଥିଲା। ତାହା ଅନୁମୋଦନ ହୋଇ ସାରିଛି। ଏବେ ପୁନର୍ବାର ଅଢେଇ ଏକର ଜମି ପାଇଁ କହୁଛନ୍ତି। ତେବେ ପୂର୍ବରୁ ଦିଆଯାଇଥିବା ୧୩ ଡିସିମିଲ ଜାଗା ନାକଚ କଲା ପରେ ନୂତନ ଭାବେ ଦରଖାସ୍ତ ଦେଲେ ଜାଗା ଚିହ୍ନଟ କରାଯିବ ବୋଲି କହିଥିଲେ। କିନ୍ତୁ ଶିକ୍ଷା ବିଭାଗ ଅଧିକାରୀ ବିଇଓ ରୁକ୍ମଣ ପ୍ରଧାନ ଏବଂ ବରିଷ୍ଠ କିରାଣୀ ସତ୍ୟନାରାୟଣ କଣ୍ଟାଙ୍କ କହିବା ଅନୁଯାଇ ତହସିଲ ପକ୍ଷରୁ ଆମକୁ ଆନୁଷ୍ଠାନିକ ଭାବେ ଜାଗା ଦିଆଯାଇ ନାହିଁ। ଆମେ କୋଉ ଜାଗା କୁ ନାକଚ ପାଇଁ କହିବୁ। ଆମେ ପ୍ରଥମରୁ ହିଁ ଏଡିଏମଙ୍କ ଚିଠି ଅନୁଯାଇ ୫ ଏକର ଜାଗା ପାଇଁ ଚିଠି କରିଥିଲୁ। ମାତ୍ର ଆମକୁ ମୌଖିକ ଭାବେ ୧୩ ଡିସିମିଲ ଜାଗା ଦେଇଥିବା କଥା କହିଲେ। ଏଭଳି ଦୋଷ ଲଦାଳଦି ହୋଇ ଜାଗା ଚିହ୍ନଟ ପ୍ରକ୍ରିୟା ଧୀମେଇ ଯାଇଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଆରଇଭି/ଡିଏମ୍ ବିଭାଗ ଚିଠି ସଂଖ୍ୟା ୧୫୬୮୪/ତା.୨୮/୪/୨୦୨୫ ଏଵଂ ଅତିରିକ୍ତ ଜିଲ୍ଲାପାଳ, ସମ୍ବଲପୁରଙ୍କ ଚିଠି ସଂଖ୍ୟା ୭୮୩୫/ତା.୬/୫/୨୦୨୫ ଅନୁଯାୟୀ ଜମନକିରା ତହସିଲଦାରଙ୍କୁ ପ୍ରାୟ ୨.୫୦ ଏକର ସରକାରୀ ଜାଗା ଚିହ୍ନଟ କରି ପ୍ରସ୍ତାବ ଦାଖଲ କରିବାକୁ ଆଦେଶ ମିଳିଥିଲା। ଗତ ମେ ମାସ ୩୧ ତାରିଖ ସୁଦ୍ଧା ଜାଗା ଚିହ୍ନଟ ସଂପର୍କରେ ଉପଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦାଖଲ କରିବାକୁ ଚିଠିରେ ଉଲ୍ଲେଖ ଥିବା ବେଳେ ରାଜ୍ୟ ସରକାରଙ୍କ ନିକଟକୁ ଜୁନ୍ ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରାଯିବ ବୋଲି ସମୟ ସୀମା ଧାର୍ଯ୍ୟ କରି ସୂଚୀତ କରାଯାଇଥିଲା। କୁଚିଣ୍ଡା ଉପଜିଲ୍ଲାପାଳ ଏବଂ ବିଇଓ ଅଫିସ ରୁ ବାରମ୍ବାର ଚିଠି ଲେଖି ଅବଗତ କରିଥିଲେ ହେଁ ଜମନକିରା ତହସିଲଦାର ପ୍ରଭିଣା ବିଲୁଙ୍ଗ ଓଲଟା ବିଇଓଙ୍କୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମାର୍ଗଦର୍ଶିକା ମାଗି ନୀରବ ରହିଲେ। ତହସିଲଦାର ବିଲୁଙ୍ଗଙ୍କୁ ଉପଜିଲ୍ଲାପାଳ ବାରମ୍ବାର ଚିଠି ଲେଖିବା ସତ୍ତ୍ୱେ ବିଇଓ ଅଫିସ୍ ଏଵଂ କର୍ମଚାରୀଙ୍କ ବାସଗୃହ ସାଙ୍ଗକୁ ପ୍ରଶିକ୍ଷଣ ହଲ୍ ନିର୍ମାଣ ପାଇଁ ସରକାରୀ ଜମି ଆବଣ୍ଟନ କରୁ ନାହାନ୍ତି ବୋଲି ଗୋଷ୍ଟି ଶିକ୍ଷା ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି। କୁଚିଣ୍ଡା ଠାରେ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଏଵଂ କୁଚିଣ୍ଡା ଉପଜିଲ୍ଲାପାଳ ଏକ ସମୀକ୍ଷା ବୈଠକରେ ଏସଂପର୍କରେ ବିସ୍ତୃତ ଜାଣିବାକୁ ଚାହିଁଥିଲେ। ଯେହେତୁ ବ୍ଲକ୍ ଅଂଚଳର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକର ତଦାରଖ ସାଙ୍ଗକୁ ପ୍ରଶାସନ ନିକଟରେ ଉତ୍ତରଦାୟୀ ରହିଥାଏ ବିଇଓ ଅଫିସ କୋଠା ନିର୍ମାଣ ସହିତ ଏହାର ଭିତ୍ତିଭୂମି ସୁଦୃଢ କରିବାକୁ ଜରୁରୀ ଥିବାରୁ ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସରକାରୀ ଜମି ଯୋଗାଇ ଦେବାକୁ କୁହାଯାଇଥିଲା। କିନ୍ତୁ ତହସିଲଦାର ବିଇଓଙ୍କ ନିକଟକୁ ସରକାରୀ ମାର୍ଗଦର୍ଶିକା ମାଗି ନୀରବ ଅଛନ୍ତି। ପ୍ରାୟ ୪୦୦ ଜଣ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ କୌଣସି ହଲ୍ ଟିଏ ନଥିବାରୁ ଶିକ୍ଷକ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇ ପାରୁନାହିଁ। ଶିକ୍ଷା ବିଭାଗର ଏବେ ୧୯ ଜଣ ଅଧିକାରୀ ଓ କର୍ମଚାରୀ ନିୟୋଜିତ ଥିବା ବେଳେ ବ୍ଲକ ପରିସରରେ ଥିବା କାର୍ଯ୍ୟଳୟ ବହୁତ୍ ଅସୁବିଧା ହେଉଥିବା ନେଇ ଅଧିକାରୀ ପ୍ରକାଶ କରନ୍ତି। ବିଭିନ୍ନ ପ୍ରାଥମିକ ସ୍କୁଲରେ ପାଠ ପଢ଼ାଉ ଥିବା ଶିକ୍ଷକ ଟ୍ରେନିଂ ନେବା ବେଳେ ବିଇଓ ଅଫିସ ଭିତରେ ଏକ କୋଠରୀରେ ରୁନ୍ଧି ହୋଇ ବସିବା ଛଡ଼ା ଅନ୍ୟ ପନ୍ଥା ନାହିଁ। ଯାହାକି ପ୍ରାଥମିକ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ତହସିଲଦାର ପ୍ରଭିଣା ବିଲୁଙ୍ଗଙ୍କୁ ଯୋଗାଯୋଗ କରି ପଚାରିବାରୁ ବିଇଓ ଅଫିସ୍ ପକ୍ଷରୁ ବିଧିବଦ୍ଧ ଭାବେ ଏକ ନିର୍ଦ୍ଧିଷ୍ଟ ଫର୍ମ ଯୋଗେ ଅଢେଇ ଏକର ଜାଗା ଦେବାକୁ ଆବେଦନ କରାଯିବ। ପରେ ଆବେଦନ ଉପରେ ଯାଞ୍ଚ୍ କରାଯିବା ସହ ଜମି ସର୍ଭେ କରି ଉପଯୁକ୍ତ କାଗଜାତ ପରେ ଜମିପଟ୍ଟା ଯୋଗାଇ ଦେବାର ନୀତିଗତ ବ୍ୟବସ୍ଥା ରହିଥିବା ବିଲୁଙ୍ଗ କହିଛନ୍ତି।
ଜମନକିରା ଶିକ୍ଷା ବିଭାଗ ଜାଗା ଚିହ୍ନଟ ଘଟଣା…ଉଭୟ ବିଭାଗ ଅଧିକାରୀଙ୍କ ଆରୋପ ପ୍ରତ୍ୟାରୋପ; ହେଉନି ସମାଧାନ…..ପଡ଼ି ରହିଛି ଅଢେଇ କୋଟି ଟଙ୍କା
