Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରଙ୍କୁ ପ୍ରଧାନ ଶିକ୍ଷକଙ୍କ ଅମାନୁଷିକ ମାଡ ଘଟଣା…ଆନ୍ଦୋଳନ ଚେତାବନୀ ପରେ ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନପ୍ରଧାନ ଶିକ୍ଷକ ସମୀର ବାରିକ ନିଲମ୍ବିତ

ଜମନକିରା : ଜମନକିରା ବ୍ଳକ ସୁବର୍ଣ୍ଣପାଲି ପଞ୍ଚାୟତ ଅନ୍ତର୍ଗତ ଘୋଡାବାନ୍ଧୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ହୋଇଛି ବଡ କାର୍ଯ୍ୟାନୁଷ୍ଠାନ। ବ୍ଳକ ଶିକ୍ଷା ଅଧିକାରୀ ତଦନ୍ତ କରି ପ୍ରଧାନ ଶିକ୍ଷକ ସମୀର ବାରିକଙ୍କୁ ନିଲମ୍ବନ କରିବା ସହିତ ବଦଳି ନେଇ ଡିଇଓଙ୍କୁ ସୁପାରିଶ କରିଛନ୍ତି। ସ୍କୁଲ ଦଣ୍ଡ ମୁକ୍ତ ଅଞ୍ଚଳରେ ଏଭଳି ଅମାନୁଷିକ ଦଣ୍ଡ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା ଅଭିଭାବକଙ୍କ ସହ ସ୍କୁଲ ପରିଚାଳନା କମିଟି। ଗତ ଶନିବାର ୨୩ ତାରିଖ ଦିନ ଏସଏମସି ସଭାପତି ଉପେନ୍ଦ୍ର କୁମୁରାଙ୍କ ନେତୃତ୍ୱରେ ଏକ ଦଳ ବିଇଓଙ୍କୁ ସାକ୍ଷାତ କରି ସୋମବାର ସୁଦ୍ଧା ପ୍ରଧାନ ଶିକ୍ଷକଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଚେତ ସ୍କୁଲରେ ତାଲା ପକାଇବା ନେଇ ଚେତାବନୀ ଦିଆଯାଇଥିଲା। ଦୀର୍ଘ ୧୦ ଦିନ ଧରି ବ୍ଳକ ଶିକ୍ଷା ବିଭାଗ ନିରବଦ୍ରଷ୍ଟା ସାଜିଥିବା ବେଳେ ଏସଏମସିର ଚେତାବନୀ ପରେ ଚେତିଛନ୍ତି ଶିକ୍ଷା ବିଭାଗ ଅଧିକାରୀ। ଏନେଇ ବିଇଓ ରୁକ୍ମଣ ପ୍ରଧାନ ଗତକାଲି ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ବେଳେ ଅଭିଯୋଗକାରୀ ଅଭିଭାବକ, ଛାତ୍ର, ସହକାରୀ ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟିର ସଭାପତି, ସଭ୍ୟ,ସଭ୍ୟା ଓ ନାଏବ ସରପଞ୍ଚଙ୍କ ବୟାନ ରେକର୍ଡ କରିବା ସହ ତଥ୍ୟ ସଂଗ୍ରହ କରିଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ର ସତ୍ୟତା ପ୍ରମାଣିତ ହୋଇଥିବା ନେଇ ବିଇଓ ପ୍ରକାଶ କରିଛନ୍ତି। ଏଥିସହ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ ସହ ବଦଳି କରାଯିବ ବୋଲି କହିଥିଲେ। ଏଥିରେ ଏସଏମସି ରାଜି ନହୋଇ ବର୍ତ୍ତମାନ ଆମକୁ ନିଲମ୍ବନ ଚିଠି ଦରକାର ବୋଲି ଜିଦ ଧରି ବିଇଓ ଙ୍କୁ ଘେରିଥିଲେ। ବିଇଓ ଅଫିସ ଯାଇ ସିଆରସିସିଙ୍କ ହାତରେ ଏକ ଘଣ୍ଟା ମଧ୍ୟରେ ନିଲମ୍ବନ ଆଦେଶ ଚିଠି ପଠାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ଏସଏମସି ଜିଦରୁ ହଟି ଥିଲେ। ବିଇଓ କାର୍ଯ୍ୟାଳୟ ପତ୍ର ସଂଖ୍ୟା- ୧୭୭୬/ତା.୧/୯/୨୦୨୫ରେ ପ୍ରଧାନ ଶିକ୍ଷକ ସମୀର ବାରିକଙ୍କ ନିଲମ୍ବନ ଚିଠି ସୁବର୍ଣପାଲି ସିଆରସିସି ସୁଦୀପ୍ତ ପଟେଲ ସ୍କୁଲକୁ ଆଣି ଆସି ଥିଲେ । ଗତକାଲି ତଦନ୍ତ ବେଳେ ସୁବର୍ଣ୍ଣପାଲି ସିଆରସିସି ପଟେଲ, ଗୁଣ୍ଡୁରୁଛୁଆଁ ସିଆରସିସି ଶ୍ରୀକାନ୍ତ ପଟେଲ ଉପସ୍ଥିତ ଥିବା ବେଳେ ଏସଏମସି ସଭାପତି ଉପେନ୍ଦ୍ର କୁମୁରା, ନାଏବ ସରପଞ୍ଚ ରୁକ୍ମଣୀ କୁମୁରାଙ୍କ ସମେତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ଗତ ୨୨ ତାରିଖରେ ସ୍କୁଲ ପ୍ରଧାନ ଶିକ୍ଷକ ସମୀର ବାରିକ ଘରୋଇ ଟ୍ୟୁସନ କଥାକୁ ନେଇ ବ୍ୟକ୍ତିଗତ ଆକ୍ରୋଶ ରଖି ଚତୁର୍ଥ ଶ୍ରେଣୀ ଛାତ୍ର ଶୋଭିତ ମୁଣ୍ଡା(୧୦)କୁ ଏକ ବାଡି ଦ୍ୱାରା ଅମାନୁଷିକ ଭାବେ ମାଡ ମାରିଥିଲେ। ପ୍ରବଳ ମାଡରେ ଛାତ୍ର ଶୋଭିତ ପିଠିରେ ଗଭୀର ଆହତ ଲାଗିଥିଲା। ସେ ଘରେ ଅସହ୍ୟ ଯନ୍ତ୍ରଣା ଭୋଗ କରିବାରୁ ପରିବାର ଲୋକେ ତାକୁ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ। ଏପରି ମାଡ ମାରିବା ଘଟଣାକୁ ଛାତ୍ରର ପିତା ନରେନ୍ଦ୍ର ମୁଣ୍ଡା ଦୃଢ଼ ପ୍ରତିବାଦ କରିବା ସହିତ ସ୍କୁଲ ପରିଚାଳନା କମିଟିର ସଭାପତି କୁମୁରାଙ୍କୁ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଗତ ୨୩ ତାରିଖରେ ସ୍କୁଲରେ ପରିଚାଳନା କମିଟିର ଏକ ଜରୁରୀ ବୈଠକ ବସିଥିଲା। ବୈଠକରେ ପ୍ରଧାନ ଶିକ୍ଷକ ମାଡ ମାରିବା କଥାକୁ ସ୍ୱୀକାର କରିଥିବା ବେଳେ ସଦସ୍ୟ ମାନେ ଦୃଢ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପ୍ରଧାନ ଶିକ୍ଷକ ଆଗରୁ ଏପରି ଅନେକ ଥର ପିଲାଙ୍କୁ ମାଡ ମାରିବା ଅଭିଯୋଗ ହେଉଥିବା ବେଳେ ସ୍କୁଲ ପରିଚାଳନା କମିଟିର ତାଗିତ ସତ୍ତ୍ୱେ ତାଙ୍କ ସ୍ୱଭାବରେ ପରିବର୍ତ୍ତନ କରୁନଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲେ। ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ପ୍ରଧାନ ଶିକ୍ଷକ ପଦବୀରୁ ହଟା ଯାଇ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିବା ସହିତ ଥାନାରେ ମଧ୍ୟ ଏତଲା ଦେବାକୁ ଛାତ୍ରଙ୍କ ଅଭିଭାବକ ଙ୍କୁ ପରାମର୍ଶ ଦିଆଯାଇଥିଲା। ଛାତ୍ରଙ୍କ ଅଭିଭାବକ ଏନେଇ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୋଷ୍ଠୀ ଶିକ୍ଷା ବିଭାଗ ସବୁ ଜାଣି ନିରବ ରହିବା ଏବଂ ଘଟଣାକୁ ଗୁରୁତର ଭାବେ ନନେଇ ସମାଧାନ ନକରିବା ଯୋଗୁଁ ଗ୍ରାମବାସୀ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବ୍ଳକ ଶିକ୍ଷା ବିଭାଗର ନିରାବତାକୁ ନେଇ ଶିକ୍ଷାବିତ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା। ଏସମ୍ପର୍କରେ ବିଇଓ ପ୍ରଧାନଙ୍କୁ ପଚାରିବାରୁ ଆଜି ସ୍କୁଲରେ ଅଭିଯୋଗକାରୀ ଅଭିଭାବକ, ଛାତ୍ର, ସହକାରୀ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭ୍ୟ ସଭ୍ୟାଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲି। ତଦନ୍ତ ବେଳେ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି। ତେଣୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉଛି ଏବଂ ଡିଇଓଙ୍କୁ ବଦଳି ନେଇ ସୁପାରିଶ କରିଛି ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ