ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ବୁଲି ଦେଖିଲେ ଜି-୨୦ ପ୍ରତିନିଧି


ଭୁବନେଶ୍ୱର: ଜି-୨୦ ପ୍ରତିନିଧି ଦଳ ଆଜି ଭୁବନେଶ୍ବରର ଖଣ୍ଡଗିରି ଓ ଉଦୟଗିରି ବୁଲି ଦେଖିଛନ୍ତି । ଏହାସହ ଖଣ୍ଡଗିରି ପାହାଡରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇଛନ୍ତି ଜି-୨୦ ସଦସ୍ୟ। ଜି-୨୦ ସଦସ୍ୟଙ୍କ ସହିତ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ମଧ୍ୟ ଉପସ୍ଥିତ ଥିଲେ । ଏମାନଙ୍କ ସହିତ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସଭାପତି ନିତିନ ମଥୁରିଆ, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅର୍ଦ୍ଧେନ୍ଦୁ ମହାପାତ୍ର ଏବଂ କେନ୍ଦ୍ର ତଥା ଦଳର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଜି -୨୦ ସଦସ୍ୟଙ୍କ ସହ କେନ୍ଦ୍ର ମନ୍ତ୍ରୀ ଲେଖୀ ମଙ୍ଗଳବାର ପୁରୀ ଜିଲ୍ଲାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। କୋଣାର୍କ ଐତିହ୍ୟର ସୁରକ୍ଷା ପାଇଁ କାର୍ଯ୍ୟ କରାଯାଉଥିବା କହିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି, କୋଣାର୍କରେ ବ୍ୟବହାର ହୋଇଥିବା ପଥର ଟିକେ ଭିନ୍ନ । ଏହି ମନ୍ଦିର ସମୁଦ୍ର ନିକଟରେ ରହିଛି । ଲୁଣା ପବନ ଦ୍ୱାରା ପଥର ଅବକ୍ଷୟ ହେଉଛି । ଏହାର ସଂରକ୍ଷଣ ପାଇଁ କେମିକାଲ ଟ୍ରିଟମେଣ୍ଟ କରାଯାଉଛି । ଏହା ଭିତରେ ଭର୍ତ୍ତି ହୋଇଥିବା ବାଲିକୁ ନିଷ୍କାସନ ପାଇଁ କାମ ଆରମ୍ଭ ହୋଇଛି । ଐତିହ୍ୟ କାର୍ତ୍ତୀରାଜିର ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ମନ୍ତ୍ରୀ ।

ଭୁବନେଶ୍ୱରରେ ଜି -୨୦ ବୈଠକ ମେ ୧୫ ରୁ ୧୭ ଯାଏ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନର ପ୍ରତିନିଧୀମାନେ ଯୋଗ ଦେଇଥିଲେ।