ନୂଆ ସଂସଦ ଭବନରେ ଏକାକଳୀନ ବସିବେ ୧୨୮୦ ସାଂସଦ; ୨୦୨୪ ନିର୍ବାଚନ ପୂର୍ବରୁ ବଢିବ କି ଲୋକସଭା ଆସନ?


ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପରେ, ଭାରତର ମାନ୍ୟଗଣ୍ୟ ଲୋକ ବର୍ତ୍ତମାନ ନୂତନ ସଂସଦ ଭବନରେ ବସି ଆଇନ ପ୍ରଣୟନ କରିବେ। ୮୬୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ନୂତନ ସଂସଦ ଗୃହ। ୨୮ ମେରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଉଦଘାଟନ କରିବେ। ଏହି ସହସଦ ଗୃହର ଆକୃତି ତ୍ରିରଙ୍ଗା ସଦୃଶ ନିର୍ମିତ ହୋଇଛି।

ରାଜ୍ୟସଭା ଓ ଲୋକସଭା ସହିତ ନୂତନ ସଂସଦ ଗୃହରେ ଏକ ସମ୍ବିଧାନ ହଲ୍ ମଧ୍ୟ ରହିବ। ଏଥିରେ ଦେଶର ସାମ୍ବିଧାନିକ ଐତିହ୍ୟର ଏକ ପ୍ରଦର୍ଶନୀ ଆୟୋଜିତ ହେବ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ନୂତନ ଗୃହରେ ଲୋକସଭାରେ ୮୮୮ ଜଣ ସାଂସଦ ବସିବାର କ୍ଷମତା ରଖିଛି।

ନୂତନ ଗୃହରେ ମଧ୍ୟ ରାଜ୍ୟସଭାର ଆକାର ଲୋକସଭା ତୁଳନାରେ ଛୋଟ। ୩୮୪ ଜଣ ସାଂସଦ ରାଜ୍ୟସଭାରେ ବସିପାରିବେ। ମୋଟ ୧୨୮୦ ସାଂସଦ ଉଭୟ ଗୃହର ମିଳିତ ବୈଠକରେ ଏକାଠି ବସିପାରିବେ। ନୂତନ ସଂସଦ ଭବନକୁ ଭୂକମ୍ପ ପ୍ରତିରୋଧକ କରାଯାଇଛି ଏବଂ ଏହାର ଚଟାଣର ରଙ୍ଗ ଧୂସର-ସବୁଜ ହୋଇଛି।

ଦେଶରେ ସମ୍ପ୍ରତି ୫୪୫ଟି ଲୋକସଭା ଆସନ ଅଛି। ସେଥିମଧ୍ୟରୁ ୫୪୩ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ପୁରୁଣା ସଂସଦ ଗୃହରେ ଲୋକସଭା ସାଂସଦମାନଙ୍କର ବସିବାର କ୍ଷମତା ୫୯୦ ଥିଲା। ଏଭଳି ପରିସ୍ଥିତିରେ ନୂତନ ସଂସଦ ଗୃହରେ ଆସନର କ୍ଷମତା କିପରି ବୃଦ୍ଧି ପାଇଛି ସେ ନେଇ ଅନେକ ପ୍ରଶ୍ନ ଉଠିଛି।

ତେବେ ଭାରତରେ ଲୋକସଭା ଆସନ ସଂଖ୍ୟା ସ୍ଥିର କରିବାକୁ ଏକ ନୂତନ ସୀମା ରହିବ କି? ଆଗାମୀ ସମୟରେ ୫୪୩ ରୁ ଅଧିକ ଲୋକସଭା ଆସନ ପାଇଁ ନିର୍ବାଚନ ହେବ କି? ସରକାର ଉଭୟ ଗୃହରେ ଆସନ ସଂଖ୍ୟା ବୃଦ୍ଧି କରିବେ କି? ଏ ନେଇ ଏବେ ପ୍ରଶ୍ନ ଉଠିଥିବାର ଦେଖିବାକୁ ମିଳିଛି।