ବେଆଇନ୍ ପଥର ବ୍ଲାଷ୍ଟିଂ ଯୋଗୁଁ ଦୁଇଟି ଗାଁ ପାର୍ଶ୍ଵ ଆଦିବାସୀ ଘର କ୍ଷତିଗ୍ରସ୍ତ, ୧୪୪ ଧାରା ଲଗେଇଲେ ଉପ-ଜିଲ୍ଲାପାଳ
ଜମନକିରା : ଜମନକିରା ତହସିଲ ଅନ୍ତର୍ଗତ କୁଇଲାରିଯୋର ଠାରେ ବେଆଇନ ପଥର ବ୍ଲାଷ୍ଟିଂ ଏବଂ କ୍ରସର ମାଲିକଙ୍କ ଜୋର ଯୁଲୁମ୍ ଯୋଗୁଁ ୨ ଟି ଗାଁର ପାର୍ଶ୍ଵବର୍ତ୍ତି ଅନେକ ଆଦିବାସୀ ଘର ଭାଙ୍ଗିରୁଜି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗାଁଲୋକ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳ ଏବଂ ନେତା ଠାରୁ ମନ୍ତ୍ରୀ ଙ୍କ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କଲେ ନାହିଁ। ଗତ ୩୦ ତାରିଖ ଦିନ ଗାଁଲୋକ କ୍ରସର ଠାରେ ଆନ୍ଦୋଳନ କରିବା ପାଇଁ ପ୍ରୟାସ କରୁଥିବା ବେଳେ କୁଚିଣ୍ଡା ଉପଜିଲ୍ଲାପାଳ ସରଭରାନ ସି ଖବର ପାଇ ଘଟଣା ସ୍ଥଳକୁ ଆସି ଲୋକଙ୍କୁ ବୁଝାସୁଝା କରି କ୍ରସର୍ ଓ ପଥର ଖନନ କୁ ବନ୍ଦ କରିଥିବା ଏବଂ ସେଠାରେ ୧୪୪ ଧାରା ଜାରି କରିଥବା ଜଣାଯାଇଛି।ଉପଜିଲ୍ଲାପାଳଙ୍କ ସହ ଜମନକିରା ତହସିଲଦାର ପ୍ରଵିଣା ବିଳୁଙ୍ଗ ଏବଂ ମାଇନିଙ୍ଗ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, କୁଇଲାରିଯୋର୍ ରେ ଏକ ଘରୋଇ ସଂସ୍ଥା ଗତ ୩ ବର୍ଷ ପାଖାପାଖି ହେବ ଲିଜ୍ ଆକାରରେ ଏକ ଜାଗା ନେଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ସେଠାରେ ଉକ୍ତ ସଂସ୍ଥା ବେଆଇନ ଭାବେ ପଥର ଖନନ କରିବା ପାଇଁ ବ୍ଲାଷ୍ଟିଂ କରି ଗୋଡ଼ି ପଥର ଅନ୍ୟ ଜାଗାକୁ ସ୍ଥାନାନ୍ତରିତ କରୁଥିଲା। ବ୍ଲାଷ୍ଟିଙ୍ଗ ହେବା ଦ୍ବାରା ଘର ଦ୍ୱାର ଫାଟି ଯାଉଥିଲା। ଏ ସମସ୍ୟା ସମ୍ପର୍କରେ ତହସିଲଦାର, ଉପଜିଲ୍ଲାପାଳ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ବହୁବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସମସ୍ୟା ସମାଧାନ କରାଗଲା ନାହିଁ କି କ୍ଷତିପୂରଣ ଦିଆଗଲାନହି। ଲୋକେ ସିରିଡ ସରପଂଚ ଗଜେନ୍ଦ୍ର ନାଏକ, ଭୋଜପୁର ସରପଂଚ କର୍ପୁର ପାତ୍ର ଏବଂ ଆଦିବାସୀ ନେତା ରମଣୀ କିସାନଙ୍କ ମିଳିତ ନେତୃତ୍ୱରେ ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୂର୍ବରୁ ଏକ ଦାବିପତ୍ର ଦେଇ ଦୋଷୀ ସଂସ୍ଥା ଓ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜମନକିରା ବ୍ଲକ୍ ସିରିଡ ପଂଚାୟତର କୁଇଲାରିଜୋର୍ ଏଵଂ ଭୋଜପୁର ପଂଚାୟତର ଗୁଦ୍ରାପଡ଼ା ଗାଁ ପାର୍ଶ୍ଵରେ ବେଆଇନ୍ ପଥର ଖନନ ଓ ବ୍ଲାଷ୍ଟିଂ ଯୋଗୁଁ ଅନେକ ଆଦିବାସୀ ପରିବାର ଘର ଗୁଡ଼ିକ ଫାଟ ସୃଷ୍ଟି ହେବା ସହ ଗଭୀର ବୋର୍ ୱେଲ୍ ପୋତି ହୋଇ ପଡ଼ିଥିଲା। ଏନେଇ ଗତ ବର୍ଷ ଡିସେମ୍ବର ୮ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଅଞ୍ଚଳର ଲୋକେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳଙ୍କୁ ଏ ସଂପର୍କରେ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଥିଲା। ଉପଜିଲ୍ଲାପାଳ ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ ଜମନକିରା ତହସିଲଦାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ। ମାଜିଷ୍ଟ୍ରେଟ ତଥା ଜମନକିରା ତହସିଲଦାର ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଖଣି ଓ ପରିବେଶ ବିଭାଗ ଅଧିକାରୀ, ଜମନକିରା ରେଞ୍ଜ ଅଧିକାରୀ, ଆରଆଇ ପ୍ରମୁଖ ପଥର କ୍ୱାରି ସ୍ଥଳ ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ଏକ ପାହାଡ଼ ଉପରେ ଏକ ବଡ଼ ମୋବାଇଲ୍ କ୍ରସର୍ ସ୍ଥାପନ ସହ କାର୍ଯ୍ୟ କରୁଥିବା ନିରୀକ୍ଷଣ ବେଳେ ଜଣାପଡ଼ିଥିଲା। ଉଭୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଗାଁ ପାର୍ଶ୍ଵରେ ପଥର ବ୍ଲାଷ୍ଟିଂ ଯୋଗୁଁ କ୍ଷତିଗ୍ରସ୍ତ ଘର ଗୁଡ଼ିକ ଫଟୋ ସହ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ କ୍ଷତିଗ୍ରସ୍ତ ପରିବାରଙ୍କୁ କୌଣସି ପ୍ରକାର କ୍ଷତିପୂରଣ ଦିଆଗଲା ନାହିଁ। ପରେ ଗତ ୧୩/୧/୨୦୨୫ ତାରିଖ ସୋମବାର ଦିନ ଜମନକିରା ବ୍ଲକ୍ ସଭା ଗୃହ ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଶୁଣାଣି ରେ ଅଭିଯୋଗ ମଧ୍ୟ କରିଥିଲେ। ବେଆଇନ୍ ପଥର ବ୍ଲାଷ୍ଟିଂ ବନ୍ଦ୍ କରିବାକୁ ସେଠାରେ ଉପସ୍ଥିତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିଛି ଦିନ ପଥର ବ୍ଲାଷ୍ଟିଂ ବନ୍ଦ୍ ହେବା ପରେ ପୁନର୍ବାର ପଥର ବ୍ଲାଷ୍ଟିଂ ଚାଲୁ କରାଯାଇଥିଲା। ଏନେଇ ତତ୍କାଳୀନ ଉପଜିଲ୍ଲାପାଳ ତାରିଖ ୩/୦୫/୨୦୨୫ ଦିନ ସିରିଡ଼ ପଂଚାୟତରେ ଏକ ଜନ ଶୁଣାଣି ଅନୁଷ୍ଠିତ ହେବ ବୋଲି ଚିଠି କରାଯାଇଥିଲା। ଫଳରେ ଭୋଜପୁର, ଡିମିରିମୁଣ୍ଡା ଏଵଂ ସିରିଡ ୩ ଗୋଟି ପଞ୍ଚାୟତର ସରପଂଚ ସାଙ୍ଗକୁ କୁଇଲାରିଜୋର୍, ସୁଇପଦର୍, ଗୁଦ୍ରାପଡ଼ା ଗାଁର ଅନେକ କ୍ଷତିଗ୍ରସ୍ତ ଆଦିବାସୀ ଲୋକେ ଉପସ୍ଥିତ ଥାଇ ଜନ ଶୁଣାଣୀ ହୋଇଥିଲା। ନିଷ୍ପତି ବେଳେ ବେଆଇନ୍ ପଥର ବ୍ଲାଷ୍ଟିଂ ଯୋଗୁଁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଏବଂ ଏଦିଗରେ ତଦନ୍ତ ନ ସରିବା ପର୍ଯ୍ୟନ୍ତ ପଥର ଖନନ ଏବଂ ପଥର ବ୍ଲାଷ୍ଟିଂ ବନ୍ଦ୍ ରଖିବାକୁ ପରାମର୍ଶ ଦିଆଯାଇଥିଲା।ଏହାସତ୍ତ୍ୱେ ପଥର ଖନନ ସାଙ୍ଗକୁ ବେଆଇନ୍ ପଥର ବ୍ଲାଷ୍ଟିଂ ଚାଲୁଥିବା ନେଇ ତାରିଖ ୮/୯/୨୦୨୫ ଦିନ ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ଅଭିଯୋଗ କରାଯାଇଥିଲା। ଅଭିଯୋଗରେ ବେଆଇନ୍ ପଥର ବ୍ଲାଷ୍ଟିଂ ଓ ପଥର ଖନନ ଯୋଗୁଁ ରାଜ୍ୟ ସରକାରଙ୍କ ରାଜସ୍ୱହାନି ହେବା ସହ ଅନେକ ଗରିବ ଆଦିବାସୀ ଘର ଭାଙ୍ଗିରୁଜି ନଷ୍ଟ ହୋଇଥିବା ବେଳେ ସଂପୃକ୍ତ ସଂସ୍ଥା ଓ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲେ। ତେବେ କୌଣସି ପ୍ରତିକାର ନକରିବାରୁ ଉତ୍ୟକ୍ତ ଲୋକେ ଗତ ୩୦ ତାରିଖ ଦିନ କ୍ରସର୍ କୁ ଜାଳି ପୋଡ଼ି ଦେବା ସୂଚନା ପରେ ଉପଜିଲ୍ଲାପାଳ, ତହସିଲଦାର, ମାଇନିଙ୍ଗ ଅଧିକାରୀ ଏବଂ ପୋଲିସ ଉପସ୍ଥିତିରେ କ୍ରସର କୁ ସମାଧାନ ନହେବା ଯାଏ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ କରିଥଲେ। ଯଦି ଏଥିରେ କିଛି ଖିଲାପ ହୁଏ ମାଇନିଙ୍ଗ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଲୋକଙ୍କ ସାମ୍ନାରେ ଚେତାବନୀ ଦେଇଥିବା ଜଣାଯାଇଛି।

