ଗୋଟିଏ ଦିନର ବ୍ୟବଧାନ ପରେ ପୁଣି କୂଅରେ ପଡିଲା ଗଜରାଜ୍ ।
ବଲାଙ୍ଗୀର : ଗୋଟିଏ ଦିନର ବ୍ୟବଧାନ ପରେ ଆଜି ପୁଣି ଏକ ବଣୁଆଁ ହାତୀ ମୁରିବାହାଲ ବନାଞ୍ଚଳ ଅଧିନସ୍ଥ ଗୁଡ଼ିଘାଟ୍ ଗ୍ରାମ ପଞ୍ଚାୟତର ଲତାସହଡା ସଂରକ୍ଷିତ ଜଙ୍ଗଲର ଏକ ପରିତ୍ୟକ୍ତ କୂଅରେ ପଡିଥିବା ଜଣାପଡିଛି । ଏନେଇ ଆଜି ସ୍ଥାନୀୟ ଲୋକେ ହାତୀଟି କୂଅରେ ପଡ଼ିଥିବା ଦେଖି ସ୍ଥାନୀୟ ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୂଅରେ ପଡ଼ିଥିବା ହାତୀକୁ ଉଦ୍ଧାର କରିବା ପାଇଁ ପ୍ରାରମ୍ଭିକ ପ୍ରୟାସ ଜାରୀ ରଖିଛନ୍ତି । ସୂଚନା ଯୋଗ୍ୟ ଯେ, ଗୋଟିଏ ଦିନ ତଳେ ଅର୍ଥାତ୍ ଗତ ଗୁରୁବାର ଦିନ ଏହି ବନାଞ୍ଚଳ ଅଧିନସ୍ଥ ବିଜାମାଲ୍ ଗାଁର ଏକ ପରିତ୍ୟକ୍ତ କୂଅରେ ଅନୁରୂପ ଭାବେ ଏକ ବଣୁଆଁ ହାତୀ ଛୁଆ ପଡି ରହିଥିବା ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ସ୍ଥାନୀୟ ବନବିଭାଗ, ଦମକଳ ବାହିନୀ ଏବଂ ପୋଲିସ୍ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି କୂଅରେ ପଡ଼ିଥିବା ସମ୍ପୃକ୍ତ ହାତୀ ଛୁଆକୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ସମୟରେ ଟିକ୍ରାପଡ଼ା କେନ୍ଦୁଲିଫ୍ ଫରେଷ୍ଟର ପ୍ରଦୀପ କୁମାର ନାଥ ଗୁରୁତର ଆହତ ହୋଇଥିଲେ ।

