ବଲାଙ୍ଗୀର ୨ ଗୋଷ୍ଠି ମଧ୍ୟରେ ଗୋଷ୍ଠି ସଂଘର୍ଷ , ସ୍କୁଟି ଭଙ୍ଗାରୁଜା ।
ବଲାଙ୍ଗୀର : ବଲାଙ୍ଗୀର ସହର ମଧ୍ୟରେ ଗତକାଲି ସଂନ୍ଧ୍ୟ ସମୟରେ ୨ ଗୋଷ୍ଠି ମଧ୍ୟରେ ଗୋଷ୍ଠି ସଂଘର୍ଷ ହୋଇଛି । ସୂଚନା ଅନୁସାରେ, ଗତକାଲି ସଂନ୍ଧ୍ୟା ସମୟରେ ବଲାଙ୍ଗୀର ସହର ଆନନ୍ଦନଗର ରେ ୨ ଗୋଷ୍ଠି ମଧ୍ୟରେ ଗୋଷ୍ଠି ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି । ଏହି ଗୋଷ୍ଠୀ ସଂଘର୍ଷ ୨ ଗୋଷ୍ଠୀର ପ୍ରାୟ ୫ ରୁ ୬ ଜଣ ଯୁବକ ମଧ୍ୟରେ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଘଟଣାସ୍ଥଳରେ ଭଙ୍ଗାରୁଜା ହୋଇଥିବା ଏକ ନୀଳ ରଙ୍ଗର ସ୍କୁଟି ସହ ଗୋଟିଏ ଚପଳ ଏବଂ ଗୋଟିଏ ହେଡ ଫୋନ୍ ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଗୋଷ୍ଠୀ ସଂଘର୍ଷ ବେଳେ ଗୋଟିଏ ଗୋଷ୍ଠୀର ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତାଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ର ଦ୍ବାରା ଆକ୍ରମଣ ହୋଇଥିବା ପୋଲିସ୍ କହିଛି । ଆକ୍ରମଣ ଫଳରେ ସମ୍ପୃକ୍ତ ଯୁବକ ଜଣକ ଗୁରୁତର ଆହତ ହୋଇ ହୋଇ ଘଟଣାସ୍ଥଳରେ ପଡ଼ି ରହିଥିବା ବେଳେ ବଲାଙ୍ଗୀର ଟାଉନ୍ ପୋଲିସ୍ ଏନେଇ ସୂଚନା ପାଇ ଘଟଣା ଜାଗାରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ତାଙ୍କୁ ଭୀମ ଭୋଇ ମେଡିକାଲ୍ କୁ ଚିକିତ୍ସା ପାଇଁ ପଠାଇଛି । ଆହତ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଘଟଣା ସ୍ଥଳରେ ଭଙ୍ଗାରୁଜା ହୋଇ ପଡ଼ିଥିବା ସ୍କୁଟି ସୁନ୍ଦରଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ତେବେ କେଉଁ କାରଣରୁ ସଂପୃକ୍ତ ୨ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଛି ତାହା ସ୍ପଷ୍ଟ ହୋଇ ପାଇନାହିଁ । ଅନ୍ୟପକ୍ଷରେ ଘଟଣା ଘଟିଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି । ବଲାଙ୍ଗୀର ଟାଉନ୍ ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।

