ସମ୍ବିଧାନ ଦିବସ ପାଳିତ,ସୁବାସ ନାୟକ ସମ୍ମାନିତ
ଜମନକିରା : ଜମନକିରା ବ୍ଲକ ମହଦା ଗ୍ରାମ ର ରାଜୀବ ଭବନ ପରିସରରେ ଗ୍ରାମ ପଞ୍ଚାୟତ ପକ୍ଷରୁ ବୁଦ୍ଧ ସାମାଜିକ ପରିବର୍ତ୍ତନ ସମିତିର ସହାୟତାରେ ପି. ଇ. ଓ. ସାଲେଗ୍ରାମ୍ ଭୋଇଙ୍କ ସଭାପତିତ୍ବରେ ଏବଂ ଆବାହକ ସୁରୁମଣି ଶୁନାନୀଙ୍କ ସଂଯୋଜନାରେ ସମ୍ବିଧାନ ଦିବସ ଓ ଲୋକ ସଭାର ପ୍ରଥମ ଓଡ଼ିଆ ବାଚସ୍ପତି ରବି ରାୟଙ୍କ ଜୟନ୍ତୀ ଶତ ବାର୍ଷିକୀ ପାଳିତ ହୋଇ ଯାଇଛି। ଏଥିରେ ବିଶିଷ୍ଟ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମ୍ବିଧାନ ଗଠନ ପକ୍ରିୟାରେ ଡ଼.ଆମ୍ବେଦକରଙ୍କ ଉତ୍ସର୍ଗୀକୃତ ଭୂମିକା ଓ ପ୍ରସ୍ତାବନା ଉପରେ ଆଲୋଚନା କରିଥିଲେ। ସେ ରବି ରାୟ ଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟବକ୍ତା ଭାବରେ ଧନକଉଡ଼ା ର ଅବସର ପ୍ରାପ୍ତ ଏ. ବି. ଇ.ଓ. ଭବାନି ଶଙ୍କର ସାହୁ ଯୋଗଦେଇ ସମ୍ବିଧାନ ସଚେତନତାର ଆବଶ୍ୟକତା ଉପରେ କହିଥିଲେ। ସାମାଜିକ କର୍ମୀ ଶ୍ରଦ୍ଧାକର ଜୟପୁର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୂର୍ବତନ ଲୋକ ସଭା ବାଚସ୍ପତି ରବି ରାୟଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ସୁବାସ ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା।ପ୍ରାରମ୍ଭରେ ଭିଶ୍ମଦେବ ଶୁନାନୀ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ହୋମଶ୍ୱର୍ ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଦିଲ୍ଲୀପ ତାଣ୍ଡିଆ, ରୋହିତ ସୁନାନୀ, ଲକ୍ଷ୍ମୀ କାନ୍ତ କୁସୁମ, ମନୋହର ମହାନନ୍ଦ ପ୍ରମୁଖ ପରିଚାଳନା କରିଥିଲେ।

