Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା କଲେଜକୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପାଇଁ ଆନ୍ଦୋଳନ କରିବ ଛାତ୍ର ସାମ୍ମୁଖ୍ୟ

ଜମନକିରା : ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଅଞ୍ଚଳର ସର୍ବ ପୁରାତନ କୁଚିଣ୍ଡା ମହାବିଦ୍ୟାଳୟ କେବଳ ସମ୍ବଲପୁର ଜିଲ୍ଲାରେ ନୁହେଁ ବରଂ ଆଖପାଖ ଜିଲ୍ଲାରେ ମଧ୍ୟ ତାର ଶିକ୍ଷା ପାଇଁ ନାଁ କମେଇଛି l ଏହି ମହାବିଦ୍ୟାଳୟ ପରି ଏଗାରଟି ମହାବିଦ୍ୟାଳୟ ଯେଉଁଗୁଡିକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆଇ.ଟି.ଡି.ଏ ଅଞ୍ଚଳରେ ଗଢି ଉଠିଛି ସେହି ମହାବିଦ୍ୟାଳୟ ମାନଙ୍କୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ହେମନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଥିଲାବେଳେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା l ହେଲେ ଏହି ମହାବିଦ୍ୟାଳୟ ସରକାରୀ ମାନ୍ୟତା ପାଇବା ଦୂରର କଥା ପଚାଶ ବର୍ଷରୁ ଉର୍ଦ୍ଧ୍ୱ ବିତିଯାଇଥିଲେ ସୁଦ୍ଧା ଏବେ ଯାଏଁ ତାର ନିଜସ୍ୱ ଭୂମି ଖଣ୍ଡେ ପାଇ ପାରିନାହିଁ l ସେହିପରି ମହାବିଦ୍ୟାଳୟରେ ଚାଲୁଥିବା ପି.ଜି ଓ ବି.ଇ.ଡି ପାଠ୍ୟକ୍ରମ ମଧ୍ୟ ବନ୍ଦ ହୋଇ ଯାଇଛି l ଅନ୍ୟପଟେ ଉପଖଣ୍ଡର ଅନ୍ୟତମ ପ୍ରମୁଖ ମହାବିଦ୍ୟାଳୟ ବାମରାରେ ଡିଗ୍ରୀ ରେ ବିଜ୍ଞାନ ପାଠ୍ୟକ୍ରମ ନାହିଁ ଓ ଜମନକିରା ଡିଗ୍ରୀ ମହାବିଦ୍ୟାଳୟର ବିଜ୍ଞାନ ପାଠ୍ୟକ୍ରମକୁ ସେଲଫ୍ ଫାଇନାନ୍ସ ମୋଡ ରେ ଚାଲୁଅଛି ଅନ୍ୟପଟେ କିଛି ବର୍ଷ ହେବ ଏ ଅଂଚଳରେ ଗଢିଉଠିଥିବା ଶିକ୍ଷା ସଂସ୍ଥା ଗୁଡିକରେ ଶିକ୍ଷାର ମାନଦଣ୍ଡ ଲଗାତାର ଖସିବାରେ ଲାଗିଛି l ସେହିପରି ସରକାରୀ ନିୟମ ଅନୁସାରେ ସମସ୍ତ ଆଇ.ଟି.ଡି.ଏ ଅଞ୍ଚଳରେ ଗୋଟିଏ ମହିଳା ଡିଗ୍ରୀ କଲେଜ ଖୋଲିବାର ବ୍ୟବସ୍ଥା ଥାଇ ସୁଦ୍ଧା ମହିଳା ଡିଗ୍ରୀ କଲେଜ ଟିଏ ସ୍ଥାପନ ହୋଇ ପାରିନାହିଁ l ଏହି ସବୁ ଅସୁବିଧାକୁ ଆଖି ଆଗରେ ରଖି ପଶ୍ଚିମ ଓଡିଶାର ପ୍ରମୁଖ ଛାତ୍ର ସଂଗଠନ ତଥା ଝାରସୁଗୁଡାରେ ସରକାରୀ କଲେଜ ପାଇଁ ସଂଘର୍ଷ କରୁଥିବା ଛାତ୍ର ସଂଗଠନ ଛାତ୍ର ସାମ୍ମୁଖ୍ୟ ଆଜି କୁଚିଣ୍ଡାର ଶିକ୍ଷା ବ୍ୟବସ୍ଥା ପ୍ରତି ଚିନ୍ତିତ ବୁଦ୍ଧିଜୀବୀ ଓ ନେତୃତ୍ୱ ବର୍ଗଙ୍କୁ ନେଇ କୁଚିଣ୍ଡା ଆଦିବାସୀ ଭବନ ଠାରେ ଏକ ବୈଠକ ଆହୁତ କରିଥିଲା l ଏହି ବୈଠକରେ ସମ୍ମୁଖ୍ୟ ପାଞ୍ଚ ଦଫା ଦାବି ଯଥା କୁଚିଣ୍ଡା ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସରକାରୀ କଲେଜ ମାନ୍ୟତା ଓ ବନ୍ଦ ହୋଇଯାଇଥିବା ପି.ଜି, ବି.ଇ.ଡ଼ି ପାଠ୍ୟକ୍ରମର ପୁନଃ ଆରମ୍ଭ, ଶିକ୍ଷାର ମାନଦଣ୍ଡ ସୁଧାର ପାଇଁ କୁଚିଣ୍ଡା ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ସନ୍ତାନ ସନ୍ତତିଙ୍କର ଶିକ୍ଷା ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ କରେଇବାକୁ ବାଧ୍ୟତା ମୂଳକ କରିବା, କୁଚିଣ୍ଡାରେ ଏକ ସ୍ନାତକ ମହିଳା ମହାବିଦ୍ୟାଳୟ ଖୋଲିବା, ବାମରା ମହାବିଦ୍ୟାଳୟରେ ବିଜ୍ଞାନ ପାଠ୍ୟକ୍ରମ ଆରମ୍ଭ ଓ ପୂର୍ଣ୍ଣାଙ୍ଗ କଲେଜ ମାନ୍ୟତା ପ୍ରଦାନ, ଜମନକିରା ମହାବିଦ୍ୟାଳୟରେ ଥିବା ବିଜ୍ଞାନ ପାଠ୍ୟକ୍ରମକୁ ପୂର୍ଣ୍ଣାଙ୍ଗ ମାନ୍ୟତା ପ୍ରଦାନ କୁ ନେଇ ଆନ୍ଦୋଳନ କରିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା l
ଅନ୍ୟତ୍ର ସାଙ୍ଗଠନିକ ସୁପରିଚାଳନା ନିମନ୍ତେ ଏହି ଉପଖଣ୍ଡ ସ୍ତରୀୟ ଛାତ୍ର ସଂଗଠନକୁ ଆଞ୍ଚଳିକ ଛାତ୍ର ସମ୍ମୁଖ୍ୟ କୁଚିଣ୍ଡା ଭାବରେ ନାମିତ କରାଯାଇଥିବା ବେଳେ ସଂଗଠନରେ ଏକ କୋଡିଏ ଜଣ ବିଶିଷ୍ଟ ଉପଦେଷ୍ଟା ମଣ୍ଡଳୀ ଓ ଏକ ଆଞ୍ଚଳିକ ଛାତ୍ର କ୍ରିୟାନୁଷ୍ଠାନ କମିଟି ଗଠିତ ହେବ ବୋଲି ପ୍ରସ୍ତାବ ପାରିତ ହୋଇଥିଲା l ତେବେ ସାମ୍ମୁଖ୍ୟର କେନ୍ଦ୍ରୀୟ ସଂଯୋଜକ ଜିତେନ୍ଦ୍ରିୟ ଧୂରୁଆଙ୍କୁ କୁଚିଣ୍ଡା ଅଞ୍ଚଳ ନିରୀକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଛି ସେ ଆସନ୍ତା ଛବିଶ ମଇରେ କୁଚିଣ୍ଡା ଆସି ଆଞ୍ଚଳିକ ଛାତ୍ର କ୍ରିୟାନୁଷ୍ଠାନ କମିଟି ପାଇଁ ଆହ୍ୱାନ ଦେବେ l ତାସହ ସାମ୍ମୁଖ୍ୟ ଘୋଷଣା କରିଛିଯେ ଆସନ୍ତା ଜୁନ ଦୁଇ ତାରିଖ ଦିନ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଘଣ୍ଟିଆ ଧାରଣା ରେ ବସିବ ଓ ସାଧାରଣ ସଭା କରିବ l ଏହି କାର୍ଯ୍ୟକ୍ରମରେ ଛାତ୍ର ସମ୍ମୁଖ୍ୟର କେନ୍ଦ୍ରୀୟ ସହ ସଂଯୋଜକ ଅସୀମ ପଟେଲ, ସମାଜ ବାଦୀ ଛାତ୍ର ନେତା ପ୍ରିତମ ପୃସେଟ, ଜେମ୍ସ ମନ୍ମୟ ପ୍ରଧାନ ପ୍ରମୁଖ ଛାତ୍ର ନେତା ଉପସ୍ଥିତ ଥିବା ବେଳେ କୁଟୁରାଚୁଆଁ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜ ସେବି ସୁବାସ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରଭାତ ବେହେରା, କୃଷକ ନେତା ବନମାଳୀ ନାୟକ, କୁସୁମୀ ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାୟକ, ଗୋଛାରା ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗଙ୍ଗାଧର ନାଏକ, ଚାଷୀ ନେତା ଅଶୋକ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ଯୁବନେତା ରଶ୍ମୀକାନ୍ତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକରେ ପୂର୍ବତନ ବିଧାୟକ ଶ୍ରୀ ବୃନ୍ଦାବନ ମାଝୀ ଉପସ୍ଥିତ ରହି ପାରି ନଥିବାରୁ ତାଙ୍କର ଆନ୍ଦୋଳନ ପ୍ରତି ସମର୍ଥନ ଥିବାର ବାର୍ତା ପାଠ କରାଯାଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ