Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ୮୯୧. ୩୯ କୋଟି ଟଙ୍କା, ୩୬୧୨ ପ୍ରକଳ୍ପ ଉପହାର ଉଦଯାପିତ ହେଲା ୨୮ତମ କଳାହାଣ୍ଡି ଉତ୍ସବ।

କଳାହାଣ୍ଡି,୧୯/୦୧
୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲାବାସୀଙ୍କୁ ୮୯୧. ୩୯ କୋଟି ଟଙ୍କା ବିନିମୟରେ ୩୬୧୨ ଗୋଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ଘୋଷଣା କରିଛନ୍ତି। ଆଞ୍ଚଳିକ ବୈଷମ୍ୟ ନୁହେଁ ବରଂ ରାଜ୍ୟର ସବୁ ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଚାଷୀ, ଯୁବବର୍ଗ ସମସ୍ତଙ୍କୁ ପ୍ରାଥମିକତା ଦେବା ସହିତ ପ୍ରଧାନମନ୍ତ୍ରୀଙ୍କ ବିକାଶ ଭି ବିରାସତ ଭି ଆହ୍ୱାନକୁ ସ୍ୱୀକାର କରିବାରେ ଆମ ସରକାର ଆଗରେ ଅଛନ୍ତି। ରାଜ୍ୟର ବରପୁତ୍ରମାନଙ୍କୁ ସମ୍ମାନ ଓ ସେମାନଙ୍କ ସ୍ମୃତିରକ୍ଷା କରିବା, କଳା, ସଂସ୍କୃତି ସହିତ ବିକାଶକୁ ଆଗେଇନେବା ଆମ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। କଳାହାଣ୍ଡିବାସୀଙ୍କ ଭଲ ପାଇବା ମୋତେ ଅଭିଭୂତ କରିଛି, ଏ ଜିଲ୍ଲାରୁ ଆମ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନାର ଆରମ୍ଭ କରିଥିଲା। କୃଷି ଓ ଅନ୍ୟାନ୍ୟ ପ୍ରକଳ୍ପ ସ୍ଥାପନ ସହିତ ସମସ୍ତଙ୍କ ସହଭାଗିତା ଉପରେ ଏ ଜିଲ୍ଲା ଏ ରାଜ୍ୟର ବିକାଶ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି। ମୋ ସ୍ୱପ୍ନର କଳାହାଣ୍ଡି ପାଇଁ ଆପଣମାନେ ନେତୃତ୍ୱ ନେବାର ସମୟ ଆସିଛି ବୋଲି ସେ କହିଛନ୍ତି। ଖୁବ ଶୀଘ୍ର କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବ। ଜିଲ୍ଲାର ସମସ୍ୟା ସହିତ ସମାଧାନ ଦିଗରେ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିବା ସହିତ ଜିଲ୍ଲାର ଇନ୍ଦ୍ରାବତୀ, ରାହୁଲ, ଉତେଇ, ସାନ୍ଦୁଲ ନଦୀ ଦ୍ୱାରା ଜଳସେଚନ ମାର୍ଗ ପ୍ରଶସ୍ତ ହେବ ଏବଂ ରାଜ୍ୟର ଏକ ନମ୍ବର ଧାନ ଉତ୍ପାଦନକାରି ଜିଲ୍ଲା ଭାବେ କଳାହାଣ୍ଡି ପରିଚୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି କରିଥିଲେ। ମୁଖ୍ୟମନ୍ତ୍ରୀ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ସ୍ଥାନୀୟ ପୁଲିସ ରିଜର୍ଭ ପଡ଼ିଆରେ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ସେ ମାଣିକେଶ୍ବରୀଙ୍କ ଦର୍ଶନ କରିବା ପାଇଁ ଯାଇଥିଲେ। ତାଙ୍କ ସହିତ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲୋକସଭା ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ସାମିଲ ହୋଇଥିଲେ। ଏହାପରେ ସେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସୋମା ମହାପାତ୍ର ସଭା ପରିଚାଳନା କରିଥିଲେ। ଜିଲ୍ଲାପାଳ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ସେହିପରି ସଭା ପୂର୍ବରୁ ଲୋକ ଗାୟକ ସର୍ବେଶ୍ୱର ଭୋଇ ଓ ସାଥୀଙ୍କ ଦ୍ୱାରା ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟରେ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଘୁମୁରା, ପ୍ରତିଭାର ସିଙ୍ଗାରି ନୃତ୍ୟ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ ନୃତ୍ୟ, କଳାବିକାଶ କେନ୍ଦ୍ରର ଓଡ଼ିଶୀ ନୃତ୍ୟ, ମୟୂରୀ ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ବିରଞ୍ଚି ନାରାୟଣ ମୁଣ୍ଡ ଓ ନିହାରୀକା ନାୟକ ମଞ୍ଚ ସଂଯୋଜନା କରିଥିଲେ। ସେହିପରି ପାରବା ମୁକ୍ତମଞ୍ଚରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବନଶ୍ରୀ ଦାଶ, ଆଶୁତୋଷ, ଧନଞ୍ଜୟ, ଆରୁଷି, ଚନ୍ଦ୍ରାଂଶୁ, ଶିବଦତ୍ତ, ପ୍ରତାପ ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜିଲ୍ଲାର ବିଭିନ୍ନ ବିଷୟକୁ ନେଇ ଅତ୍ୟନ୍ତ ଆକର୍ଷଣୀୟ ଡ୍ରୋନ ଶେଷରେ ଷ୍ଟାର ଗାୟିକା ଅର୍ଚ୍ଚନା ପାଢ଼ୀ ଓ ସାଥୀଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମକୁ ଲକ୍ଷଲକ୍ଷ ଲୋକେ ବିଳମ୍ବିତ ରାତିଯାଏଁ ଉପଭୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ୨୩ ପ୍ଲାଟୁନ ପୁଲିସ ନିୟୋଜିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ