Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଡ଼କ ନିୟମ ଉଲ୍ଲଙ୍ଘନକାରୀ ମାନଙ୍କ ପାଇଁ କଡ଼ା ନିୟମ !୨୧ରୁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ବର,୧୨।୩ : ପରିବହନ ବିଭାଗର ନୂଆ ପଦକ୍ଷେପ। ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ପରିବହନ ବିଭାଗ ପକ୍ଷରୁ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ଏବଂ ଅତିରିକ୍ତ ଆର୍‌ଟିଓଙ୍କୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ସଡ଼କ ସୁରକ୍ଷା ନିୟମ ଅନୁପାଳନକୁ ଅଧିକ କଠୋର କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ ହେବ। ନିୟମ ଉଲ୍ଲଙ୍ଘନ କରି ନିଜ ସହ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ଜୀବନ ବିପଦରେ ପକାଉଥିବା ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ସଚେତନତା କରାଯିବ ।

ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନଗୁଡ଼ିକରେ ଏହି ଯାଞ୍ଚ ହେବ। ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚଳାଇବା, ବିନା ହେଲମେଟ୍, ଭୁଲ୍ ଦିଗରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା, ନାବାଳକ ଗାଡ଼ି ଚାଳନା, ଦୁଇ ଚକିଆରେ ଦୁଇଜଣରୁ ଅଧିକ ଯିବା ଏବଂ ଅନ୍ୟାନ୍ୟ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନର କଡ଼ାକଡ଼ି ଯାଞ୍ଚ ହେବ। ଏହା ସହିତ ଖଣି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ପର, ଡମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଭାରୀଯାନ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଏବଂ ଅନ୍ୟାନ୍ୟ ଆଇନଗତ ନିୟମ ସଠିକ୍ ଭାବେ ପାଳନ ଉପରେ ଗୁରୁତ୍ୱ ଦିଆଯିବ। ଏହି ଅଭିଯାନକୁ ପ୍ରଭାବଶାଳୀ କରିବା ପାଇଁ ପରିବହନ ବିଭାଗ ଦ୍ୱାରା ଜିଲ୍ଲା ପ୍ରଶାସନ ଓ ପୁଲିସର ମିଳିତ ସହଯୋଗରେ ଯାଞ୍ଚ କରାଯିବ।

ତେବେ ଏହି ସମୟ ମଧ୍ୟରେ ବିଭିନ୍ନ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବ। ହେଲମେଟ୍, ସିଟ୍‌ବେଲ୍ଟ ପିନ୍ଧିବାକୁ ସଚେତନତା, ଦ୍ରୁତଗତିର ଭୟାବହତା ଆଦି ସମ୍ପର୍କରେ ସଡ଼କ ବ୍ୟବହାରକାରୀଙ୍କୁ ବୁଝାଯିବ। ସେହିଭଳି ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ଚାଳକ ଓ ଯାତ୍ରୀଙ୍କ ପାଇଁ ସଡ଼କ ସୁରକ୍ଷା ପରାମର୍ଶ କାର୍ଯ୍ୟକ୍ରମ, ଗାଡ଼ି ମାଲିକ ସଂଘ ଓ ପରିବହନ ୟୁନିଅନ ସହିତ ଆଲୋଚନା ଏବଂ ଶିକ୍ଷାନୁଷ୍ଠାନ ତଥା ସାର୍ବଜନୀନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ହେବ। ସୂଚନା ଅନୁସାରେ, ସଡ଼କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନ ‘ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ’ ଗୁରୁତ୍ୱକୁ ବୁଝାଇବା ଉପରେ ଗୁରୁତ୍ବ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ