ବିଦ୍ୟୁତ ସମସ୍ୟା ଯୋଗୁଁ ସ୍କୁଲ ଛାତ୍ରୀ ଛାତ୍ର ମାନେ ଡହକ ବିକଳ
ଜମନକିରା : ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଷଣ୍ଢପଥର ଗାଁରେ ଥିବା ଏସଏସଡି ଉଚ୍ଚ ବିଦ୍ୟାଳୟ, ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସେବାଶ୍ରମ ସ୍କୁଲରେ ପ୍ରାୟ ୭ ଶହରୁ ଅଧିକ ଛାତ୍ରୀ ଛାତ୍ର ଅଧ୍ୟୟନ କରନ୍ତି। ଏହି ସ୍କୁଲ ଗୁଡିକକୁ ଗୋଟିଏ ଟ୍ରାନସଫର୍ମର ରୁ ବିଦ୍ୟୁତ ଯୋଗାଣ ହୋଇଥାଏ। ମାତ୍ର ଅଳ୍ପ ପାଣି ପବନ ହେଲେ ବିଦ୍ୟୁତ ଯୋଗାଣ ଠପ୍ ହୋଇଯାଏ। ଯଦ୍ୱାରା ଏତେ ସଂଖ୍ୟକ ଛାତ୍ରୀ ଛାତ୍ରଙ୍କ ସମେତ ପ୍ରାୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଗତକାଲି ଠାରୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବା ବେଳେ ଆଜି ଛାତ୍ରୀ ଛାତ୍ର ମାନେ ଖାଇବା, ପିଇବା, ରୋଷେଇ, ସ୍ନାନ, ଶୌଚ ପାଇଁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଆଜି ପ୍ରାୟ ସାଢ଼େ ୧୧ଟା ସମୟରେ ପାଣି ସମସ୍ୟା ଯୋଗୁଁ ଛାତ୍ରୀମାନେ ନିକଟସ୍ଥ ପୋଖରୀକୁ ଗାଧେଇବାକୁ ଯାଉଥିବା ଦେଖା ଦେଇଛି। ଛାତ୍ରୀ ମାନଙ୍କୁ ପଚାରିବାରୁ ସେମାନେ କହିଥିଲେ କି, ଗତକାଲି ଠାରୁ ବିଦ୍ୟୁତ ଯୋଗାଣ ଠପ୍ ହୋଇଥିବା ଯୋଗୁଁ ଆଜି ସ୍କୁଲ ଓ ହଷ୍ଟେଲରେ ପାଣି ସରି ଯାଇଥିଲା। ତେଣୁ ସ୍ନାନ ଶୌଚ ପାଇଁ ଆମ୍ଭେମାନେ ଷଣ୍ଢପଥର ନିକଟସ୍ଥ ପୋଖରୀକୁ ଯାଉଛୁ ବୋଲି ପ୍ରକାଶ କରିଥିଲେ।
ଏସଂକ୍ରାନ୍ତରେ ସ୍କୁଲ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ କହିଥିଲେ କି, ପ୍ରାୟ ଷଣ୍ଢପଥର ଅଞ୍ଚଳରେ ବିଦ୍ୟୁତ ସମସ୍ୟା ରହିଛି। ବ୍ୟାକଅପ୍ ରେ ଯାହା ଶକ୍ତି ସଞ୍ଚୟ ହୋଇ ରହିଥିଲା, ସେଥିରେ କିଛି ଛାତ୍ରୀ ଛାତ୍ର ସ୍ନାନ ଶୌଚ କଲେ। ବାକି କିଛି ଛାତ୍ରୀ ଗାଧେଇବା ପାଇଁ ଯାଇଥିଲେ ବୋଲି କହିଥିଲେ। ବିଦ୍ୟୁତ ସେକ୍ସନ ଅଧିକାରୀ ଶିବା ଶଙ୍କର ନାନୁ ଙ୍କୁ ପଚାରିବାରୁ ଶୀଘ୍ର ବିଦ୍ୟୁତ ଯୋଗାଣ କରାଯିବ ବୋଲି କହିଥିଲେ।

