ମହୁମାଛି ଆକ୍ରମଣ, ରକ୍ଷା ପାଈଁ ପାଣିରେ ବୁଡି ବୃଦ୍ଧ ମୃତ
ଜମନକିରା : ଜମନକିର ଥାନା ଅନ୍ତର୍ଗତ ଗୁଲୁଜିପାଲି ଗ୍ରାମର ବାସୁଦେବ କିସାନ (୬୦) ମହୁଲ ଫୁଲ ଗୋଟାଉଥିବା ସମୟରେ ମହୁ ମାଛି ଆକ୍ରମଣ ରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ନାଳରେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଇ ମୁଣ୍ଡକୁ ବୁଡାଇ ରଖିବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଜମନକିରା ପୋଲିସ ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ଶବ କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା କୁ ପଠେଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ପୋଲିସର ସୂଚନା ଅନୁଯାଇ, ଗତକାଲି ବାସୁଦେବ ଓ ତାଙ୍କ ସ୍ତ୍ରୀ ମହୁଲ ଗୋଟାଇବାକୁ ଗାଁ ନିକଟସ୍ଥ ନାଳ ପାଖକୁ ଯାଇଥିଲେ। ସେଠାରେ ମହୁଲ ଗୋଟାଇବା ସମୟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ବହୁ ସଂଖ୍ୟକ ମହୁମାଛିଙ୍କ ଆକ୍ରମଣରେ ତାଙ୍କ ମୁଣ୍ଡ ଓ ଶରୀରର ପ୍ରତ୍ୟେକ ଅଂଶ କୁ କାମୁଡି ଥିଲେ। ଫଳରେ ଜୀବନ ବିକଳରେ ସେ ପାଖରେ ଥିବା ନାଳ ଭିତରେ ପଶି ପାଣିରେ ସମ୍ପୂର୍ଣ୍ଣ ଶରୀରକୁ ବୁଡ଼େଇ ରଖିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଅନତି ଦୂରରେ ତାଙ୍କ ସ୍ତ୍ରୀ ମହୁଲ ଫୁଲ ଗୋଟାଉ ଥିଲେ।କିନ୍ତୁ ସ୍ୱାମୀଙ୍କ ବିଳମ୍ବ ହେବାରୁ ତାଙ୍କ ସ୍ତ୍ରୀ ଖୋଜା ଖୋଜି କରିଥିଲେ। ପରେ ନାଳ ଭିତରେ ବୁଡ଼ି ରହିଥିବା ଦେଖିଥିଲେ। ଏହା ଜାଣିବା ପରେ ପାଖରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଡାକ ଛାଡିଥିଲେ। ଲୋକଙ୍କ ସହାୟତାରେ ତାଙ୍କ ସ୍ୱାମୀଙ୍କୁ ପାଣି ରୁ ଉଦ୍ଧାର କରି ତୁରନ୍ତ ଫାଶୀମାଲ ଡାକ୍ତରଖାନା କୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜମନକିରା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

