ଧଳା ସ୍କର୍ପିଓରେ କଳା କାରବାର ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ମାଫିଆ ଫେରାର୍ ।
ବଲାଙ୍ଗୀର,୧୫।୪: ରାଜ୍ୟରେ ପୁଣି ସକ୍ରିୟ ହୋଇଛନ୍ତି ଗଞ୍ଜେଇ ମାଫିଆ। ଏଥର କୌଣସି ଟ୍ରକ୍ କିମ୍ବା କଣ୍ଟେନର ନୁହେଁ, ବରଂ ଏକ ଦ୍ରୁତଗାମୀ ବିଳାସପୂର୍ଣ୍ଣ ‘ଧଳା ସ୍କର୍ପିଓ’କୁ ମାଧ୍ୟମ କରିଥିଲେ ଚୋରା ଚାଲାଣକାରୀ। ମାତ୍ର ପୁଲିସର ଚତୁରତା ଯୋଗୁଁ ଏହି ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ଉଦ୍ୟମ ପଣ୍ଡ ହୋଇଛି। ପୁଇନ୍ତଲା ପୁଲିସ ଏହି ଗାଡ଼ିରୁ ପ୍ରାୟ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଗାଡ଼ିରେ ବୌଦ୍ଧରୁ ବଲାଙ୍ଗୀର ଦେଇ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ତରଭା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା। ଏହାପରେ ସଂପୃକ୍ତ ସ୍କର୍ପିଓକୁ ଫିଲ୍ମ ଷ୍ଟାଇଲ୍ରେ ଗୋଡ଼ାଇଥିଲା ତରଭା ପୁଲିସ । ପୁଲିସ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ, ଚାଲାଣକାରୀ ମାନେ ଅତି ଦ୍ରୁତ ଗତିରେ ଗାଡ଼ି ନେଇ ବଲାଙ୍ଗୀର ଅଭିମୁଖେ ଛୁଟିଥିଲେ। ଏହାପରେ ତରଭା ପୁଲିସ ସଙ୍ଗେ ସଙ୍ଗେ ପୁଇଁନ୍ତଲା ପୁଲିସକୁ ସତର୍କ କରାଇ ଦେଇଥିଲା। ପୁଇଁନ୍ତଲା ପୁଲିସ ବଲାଙ୍ଗୀର ବାଇପାସ୍ ନିକଟରେ ବ୍ୟାରିକେଡ୍ ଲଗାଇ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ମାଫିଆ ମାନେ ଏତେ ଭୟଙ୍କର ଥିଲେ ଯେ, ସେମାନେ ପୁଲିସ ବ୍ୟାରିକେଡ୍କୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ। ଶେଷରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଏକ ପଡ଼ିଆ ଭିତରକୁ ପଶିଯାଇଥିଲା। ପୁଲିସ ପହଞ୍ଚିବା ପୂର୍ବରୁ ଗାଡ଼ିରେ ଥିବା ୩ରୁ ୪ ଜଣ ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଚମ୍ପଟ ମାରିଥିଲେ। ପରଦିନ ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାଡ଼ିଟିକୁ ଯାଞ୍ଚ କରାଯିବା ପରେ ସେଥିରୁ ୩୧ଟି ପ୍ୟାକେଟରେ ଭର୍ତ୍ତି ହୋଇଥିବା ପ୍ରାୟ ୩ କ୍ୱିଣ୍ଟାଲ ଗଞ୍ଜେଇ ମିଳିଥିଲା। ପୁଲିସ ସୂଚନା ଅନୁଯାୟୀ, ଗାଡ଼ିରେ ବ୍ୟବହୃତ ହୋଇଥିବା ନମ୍ବର ପ୍ଲେଟ୍ (CG 04 QD 4385) ଅସଲି ଅଟେ। ଏହି ଘଟଣା ପଛରେ ଏକ ବଡ଼ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ର ହାତ ଥିବା ସନ୍ଦେହ କରାଯାଉଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ପୁଇଁତଲା ପୋଲିସ କହିଛି ।

