Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଡିଏ ପକ୍ଷରୁ ‘ପଥ ଉତ୍ସବ’ ଆୟୋଜିତ: ସାଂସ୍କୃତିକ ଓ ସ୍ୱାସ୍ଥ୍ୟ ସଚେତନତାର ପେଣ୍ଠସ୍ଥଳୀ ସାଜିଲା ସହରର ରାସ୍ତା

କଟକ, ୨୮ ଏପ୍ରିଲ, ୨୦୨୬: କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ (ସିଡିଏ) ପକ୍ଷରୁ ମଙ୍ଗଳବାର ଦିନ ବାରବାଟୀ ଷ୍ଟାଡିୟମ ସମ୍ମୁଖ ରାସ୍ତାରେ ‘ପଥ ଉତ୍ସବ’ ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସହରର ଏକ ପ୍ରମୁଖ ରାସ୍ତାକୁ ସଂସ୍କୃତି, ସ୍ୱାସ୍ଥ୍ୟ ଏବଂ ସାମାଜିକ ମିଳନର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ କରିଥିଲା। ଏହି ଉତ୍ସବ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ସବୁ ବର୍ଗର ନାଗରିକ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ । କଟକର ସମୃଦ୍ଧ କଳା ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହ ଲୋକଙ୍କ ମଧ୍ୟରେ ଏକ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଗଠନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ଏହି ଗୌରବମୟ କାର୍ଯ୍ୟକ୍ରମରେ ମାନ୍ୟବର କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, କଟକ ମେୟର ଶ୍ରୀ ସୁବାଷ ଚନ୍ଦ୍ର ସିଂ, ଆଡଭୋକେଟ ଜେନେରାଲ ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଏବଂ ମାନ୍ୟବର ବିଧାୟିକା ସୋଫିଆ ଫିର୍ଦୋସ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ବିଧାୟକ ସୌଭିକ ବିଶ୍ୱାଳ, ଡେୋପୁଟି ମେୟର ଦମୟନ୍ତୀ ମାଝୀ, ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ବନ୍ଦିତା ଦାଶ ଏବଂ ଓଲିଉଡ କଳାକାର ଶ୍ରୀତମ ଦାସ, ଅରିନ୍ଦମ ରାୟ ଓ ବିଦୁସ୍ମିତା ଦାଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହି ଉତ୍ସବର ଶୋଭା ବଢ଼ାଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ଗଠନରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ଓଡ଼ିଆ ଅସ୍ମିତାକୁ ନେଇ ବକ୍ତାମାନେ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ଉତ୍ସବରେ ସାଧାରଣ ଜନତାଙ୍କ ପାଇଁ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଯୋଗ ଶିବିର, ଫିଟନେସ୍ ପ୍ରଦର୍ଶନ ଏବଂ ବିଭିନ୍ନ କ୍ରୀଡ଼ା ମାଧ୍ୟମରେ ଲୋକଙ୍କୁ ସୁସ୍ଥ ରହିବା ପାଇଁ ଉତ୍ସାହିତ କରାଯାଇଥିଲା । ସ୍ଥାନୀୟ କଳାକାରଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ରଙ୍ଗାରଙ୍ଗ କରିଥିଲା । ଓଲିଉଡ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ନିତିକା ମିଶ୍ର, ସୁଭାଶିଷ ଶର୍ମା ଏବଂ ଶୁଭମଙ୍କ ପ୍ରଦର୍ଶନ ସହ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ସୁମଧୁର ସଙ୍ଗୀତ ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା ।

ଏହା ବ୍ୟତୀତ ଫେସ୍ ପେଣ୍ଟିଂ, ପାରମ୍ପରିକ ଖେଳ, କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଏବଂ କର୍ମଶାଳା ମଧ୍ୟ ଏହି ଉତ୍ସବର ଅଂଶବିଶେଷ ଥିଲା । ଏହି ପ୍ରଦର୍ଶନୀଗୁଡ଼ିକ ସ୍ଥାନୀୟ କଳାକାରମାନଙ୍କୁ ସେମାନଙ୍କର କଳା ପ୍ରଦର୍ଶନ ପାଇଁ ଏକ ବଡ଼ ସୁଯୋଗ ଦେଇଥିଲା । ଶେଷରେ, ସିଡିଏ ପକ୍ଷରୁ ସମସ୍ତ ଅଂଶଗ୍ରହଣକାରୀ ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଯାଇଥିଲା । ସହରରେ ଏଭଳି ସାମାଜିକ ଓ ସାଂସ୍କୃତିକ ଜାଗରଣ ପାଇଁ ଆଗାମୀ ଦିନରେ ମଧ୍ୟ ସିଡିଏ ଏଭଳି କାର୍ଯ୍ୟକ୍ରମ ଜାରି ରଖିବ ବୋଲି ପ୍ରତିଶ୍ରୁତି ଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ