Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକ ସହ ବାଇକ ଧକ୍କା, ବାଇକ ଚାଳକ ମୃତ

ଜମନକିରା : ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ରାଜରାସ୍ତା ୫୩ ରେ ଆଜି ଘଟିଛି ଏକ ମର୍ମନ୍ତୁତ ଦୁର୍ଘଟଣା। ଟ୍ରକ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଜମନକିରା ଥାନା ଚିନିମହୁଲ ଗାଁର ବିପ୍ର କିଷାନ ( ୨୪) ବୋଲି ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଚାଳକ କୁ ଥାନାରେ ଅଟକ ରଖିଛି। ଏନେଇ ପୋଲିସ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ପଠେଇଥିବା ପୋଲିସ କହିଛି।
ପୋଲିସର ସୂଚନା ଅନୁଯାୟୀ, ଆଜି ଜମନକିରା ଥାନା ବଡରମା ପଞ୍ଚାୟତ ଚିନିମହୁଳ ଗାଁର ବିପ୍ର କୌଣସି କାମ ପାଇଁ ସେହି ଗାଁର ଜଣେ ବ୍ୟକ୍ତି ଠାରୁ ବଜାଜ ପଲ୍ସର ବାଇକ କୁ ମାଗି ସମ୍ବଲପୁର କୁ ଯାଇଥିଲା। ସମ୍ବଲପୁରରୁ କାମ ସାରି ସାଢେ଼ ୨ଟା ବେଳେ ଫେରିବା ବେଳେ ଗୋଡ଼ପାଲି ଫାଣ୍ଡି ନିକଟସ୍ଥ ରାଜରାସ୍ତା ୫୩ ପୋଲ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକ ବିପ୍ର ର ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହୋଇ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇ ଟ୍ରକ କୁ ଅଟକେଇ ଥିଲେ। ଦୁର୍ଘଟଣା ପରେ କିଛି ସମୟ ପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଅବରୋଧ କରିଥିଲେ। ଏଥିସହ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ରାସ୍ତା ନିର୍ମାଣ ସଂସ୍ଥା ବର୍ଷାଧିକାଳ ରାସ୍ତା କାମ କରି ଆସୁଛି। କାମ ସଂପୂର୍ଣ୍ଣ ଦୀର୍ଘ ୫ ବର୍ଷ ହେଲାଣି ସରୁନାହିଁ। ନିର୍ମାଣ ସଂସ୍ଥାର ଅବହେଳା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ହେଉଥିବା ନେଇ ସ୍ଥାନୀୟ ଲୋକେ ପୋଲିସ ଆଗରେ ଅଭିଯୋଗ କରିବାରୁ ପୋଲିସ ଅଧିକାରୀ ସଂପୃକ୍ତ ଠିକା ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଡକେଇ ଥିବା ଜଣାଯାଇଛି। ପୋଲିସର ପ୍ରତିଶ୍ରୁତି ପରେ ରାସ୍ତାରେ ଯାତାୟାତ ସ୍ଵାଭାବିକ ହୋଇଥିଲା। ଅନ୍ୟପଟେ ଶବ କୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି। ଘଟଣା ସ୍ଥଳରେ ଥାନା ଆଇଆଇସି ପ୍ରେମଜିତ ଦାସ, ଏସଆଉ ସୁଧୀର ମହାକୁଲ ପହଞ୍ଚି ଲୋକଙ୍କୁ ବାଝାସୁଝା କରିଥିବା ବେଳେ ଯାତାୟାତ ସ୍ଵାଭାବିକ ହୋଇଛି। ପୋଲିସ ଘଟଣା ସ୍ଥଳରେ ରହି ସ୍ଥିତିକୁ ନିୟନ୍ତ୍ରଣ ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ