୩୧ରେ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ଶ୍ରଦ୍ଧାଞ୍ଜଳି
ସମ୍ବଲପୁର:ଆସନ୍ତା ୩୧ ତାରିଖ ରବିବାର ସନ୍ଧ୍ୟା ୬ଟା ସମୟରେ ଡା଼. ରେମଣ୍ଡ ଲୋ ‘ ଆନୁକୁଲ୍ୟରେ ସ୍ଥାନୀୟ ତପସ୍ବିନୀ ହଲରେ ଏକ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଶୀର୍ଷ ସ୍ଥାନୀୟ ଗାୟକ ଗାୟିକା ଲତା ମଙ୍ଗେସକର, ଆଶା ଭୋଁସଲେ, ମୁକେଶ, ମହମ୍ମଦ ରଫୀ, କିଶୋର କୁମାର ପ୍ରମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନେ ଗାଇଥିବା ଗୀତ ଗାନ କରାଯିବ । ସମ୍ବଲପୁରର ସୁନାମଧନ୍ୟ ଗାୟିକା ସଙ୍ଗୀତା ମିଶ୍ର ( ପମି) ଏଥିରେ ସଙ୍ଗୀତ ପରିବେଷଣ କରିବେ । ପମି ଓଡ଼ିଶାର ସଙ୍ଗୀତ ଜଗତରେ ଏକ ପ୍ରମୁଖ ନାମ ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ତଥା ଆଲବମ ସଙ୍ଗୀତ ରେ ଗାନ କରିଛନ୍ତି। ବେଶ କିଛି ବର୍ଷ ଧରି ସେ ରାଜ୍ୟର ସଙ୍ଗୀତ ଜଗତରେ ରାଜୁତି କରିଛନ୍ତି। ପୁରୁଖା ବରିଷ୍ଠ କଳାକାର ଡା଼. ରେମଣ୍ଡ ଲୋ’ ଙ୍କ ସହିତ ଶ୍ରୀମତୀ କଳ୍ପନା ସାହୁ, ଦେବାଶିଷ ହୋତା( ଚିଣ୍ଟୁ ), ମାନସ ଷଡ଼ଙ୍ଗୀ ପ୍ରମୁଖ କଳାକାର ସଙ୍ଗୀତ ପରିବେଷଣ କରିବେ ।
ଏ ଅବସରରେ ସୁନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ ମିତ୍ର ଙ୍କୁ ସମ୍ମାନିତ କରାଯିବ । ଏହା ସହିତ ଇତିହାସ ରେ ଗବେଷଣା ଜନିତ ଉତ୍କର୍ଷତା ପାଇଁ ଦୀପକ କୁମାର ପଣ୍ଡାଙ୍କୁ ଏବଂ ସାମାଜିକ କାର୍ଯ୍ୟ ପାଇଁ ଅଶୋକ କୁମାର ଜଲାନ ଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

