ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ ର ସମୀକ୍ଷା:ମହାନଦୀ ହେବ ଅଧିକ ଆକର୍ଷଣୀୟ
ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ଚାଲିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଭିତ୍ତିଭୂମି ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ପାଇଁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଆୟୁକ୍ତ-ତଥା-ସଚିବ ବଲୱନ୍ତ ସିଂହ ସମ୍ବଲପୁର ଗସ୍ତ କରିଛନ୍ତି l ଏହି ଗସ୍ତ କାଳରେ ବିଭିନ୍ନ ପ୍ରକଳ୍ପ ର ପରିଦର୍ଶନ କରିଥିବା ବେଳେ ଏହି ବିଷୟରେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଓ ମହାନଗର ନିଗମ ର ଆୟୁକ୍ତ ରେହାନ ଖତ୍ରୀ ଙ୍କର ସହ ବିସ୍ତୃତ ଆଲୋଚନା କରିଛନ୍ତି l
ଶ୍ରୀ ସିଂହ ମା’ ସମଲେଶ୍ୱରୀ ମନ୍ଦିର ଯାଇ ଇଷ୍ଟଦେବୀ ମାଁ ସମଲେଶ୍ୱରୀ ଙ୍କୁ ଦର୍ଶନ କରିବା ସହ ସେଠାରେ ନବନିର୍ମିତ ୱାଟରବଡି ଶୋ’ର ଅନୁଭୂତି ନେବା ସହ ଆଗାମୀ ଦିନରେ ଆରମ୍ଭ ହେବାକୁ ଥିବା ପ୍ରସିଦ୍ଧ ‘ମହାନଦୀ ଆଳତି’ର ପ୍ରାକ୍-ପରୀକ୍ଷଣ ର ତଦାରଖ କରିଥିଲେ lଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର-ତଥା-ସଚିବ ଶ୍ରୀ ସିଂହ ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କ ମିଳିତ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ବୈଠକ ପ୍ରସ୍ତାବିତ ରିଙ୍ଗ ରୋଡ୍ ପ୍ରକଳ୍ପର ଅଗ୍ରଗତି ନେଇ, ଆଇକନିକ୍ ବ୍ରିଜ୍ ପ୍ରକଳ୍ପ ଅଞ୍ଚଳର ପ୍ରମୁଖ ଆକର୍ଷଣ ସାଜିବାକୁ ଥିବା ପ୍ରସ୍ତାବିତ ଆଇକନିକ୍ ବ୍ରିଜ୍ ପ୍ରକଳ୍ପର ରୂପରେଖ ଓ କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରିଥିଲେ l
ଏହି ଅବସରରେ ଚାଉଁର ବ୍ରିଜ ଠୁ ନେଇ ଗୁଡ଼େଶ୍ୱର ମନ୍ଦିର ଯାଏ ନିର୍ମାଣ ହେବାକୁ ଥିବା ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କୁ ସମୀକ୍ଷା କରିବା ସହ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସମ୍ବଲପୁର ର ମହାନଦୀ ଆହୁରି ଆକର୍ଷଣୀୟ ହେବ ବୋଲି ଶ୍ରୀ ସିଂହ ସୂଚନା ଦେଇଥିଲେ l ଏହି ପ୍ରକଳ୍ପ ହେବା ଦ୍ୱାରା ପର୍ଯଟକ ଙ୍କ ଆକର୍ଷଣ ବଢିବା ସହ ପର୍ଯ୍ୟଟନ କ୍ଷେତ୍ର ରେ ବଡ଼ ଉପଲବ୍ଧି ହେବ ବୋଲି କହିଥିଲେ l ଏହି ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ ସହ ସମଲେଶ୍ୱରି ମନ୍ଦିର ଆଳତି ଓ ଅଯୋଧ୍ୟା ସରୋବର ର ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ୍ୟ ଶ୍ରୀ ସିଂହ କହିଥିଲେ।

