ଭାରତ ଆସୁଛନ୍ତି କକ୍ରୋଚ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ ଦୀପକେ, ଚିନ୍ତାରେ ପରିବାର
ଆମେରିକାର ବୋଷ୍ଟନରେ ରହୁଥିବା ୩୦ ବର୍ଷୀୟ ଅଭିଜିତ ଦୀପକେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଆସନ୍ତା ୬ ଜୁନରେ ଭାରତ ଆସିବେ ଏବଂ ନିଟ୍ ପରୀକ୍ଷା ଓ ଦେଶର ଶିକ୍ଷା ବ୍ୟବସ୍ଥାରେ ଥିବା ଅନିୟମିତତା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବେ ବୋଲି କହିଛନ୍ତି। ସେ ସମର୍ଥକମାନଙ୍କ ସହ ନୂଆଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାର ଯୋଜନା ରଖିଛନ୍ତି।
ଅଭିଜିତଙ୍କ ଏହି ପଦକ୍ଷେପକୁ ନେଇ ମହାରାଷ୍ଟ୍ରରେ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି। ଛତ୍ରପତି ସମ୍ଭାଜୀ ନଗରସ୍ଥିତ ତାଙ୍କ ଘର ଏବେ ଖାଲି ପଡ଼ିଥିବା ବେଳେ ପରିବାର ସଦସ୍ୟମାନେ ସୁରକ୍ଷା ଦୃଷ୍ଟିରୁ ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି। ଅଭିଜିତଙ୍କ ବାପା ଭଗବାନରାଓ ଦୀପକେ କହିଛନ୍ତି ଯେ, ତାଙ୍କ ପୁଅ ଆଇନକୁ ସମ୍ମାନ କରନ୍ତି ଏବଂ କୌଣସି ବେଆଇନ କାର୍ଯ୍ୟ କରିବେ ନାହିଁ। ମାନବାଧିକାର କର୍ମୀ ଅସିମ ସରୋଦେଙ୍କ କହିବା ଅନୁଯାୟୀ, ଅଭିଜିତ ତାଙ୍କ ଆନ୍ଦୋଳନ ପାଇଁ ସମର୍ଥନ ମାଗିଥିବା ବେଳେ ଆବଶ୍ୟକ ହେଲେ ଗିରଫ ହେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।
ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ଅଭିଜିତ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ, ଅଭିନେତା ପ୍ରକାଶ ରାଜ, ସାମାଜିକ କର୍ମୀ ବିଶ୍ୱମ୍ଭର ଚୌଧୁରୀ ଏବଂ ସାମ୍ବାଦିକ ନିଖିଲ ବାଗଲେଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ସମୟରେ କଂଗ୍ରେସ ସାଂସଦ ଶଶି ଥରୁର କକ୍ରୋଚ ଜନତା ପାର୍ଟିର ଉଦୟକୁ ଯୁବପିଢ଼ିର ଅସନ୍ତୋଷର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଯୁବମାନଙ୍କ ହତାଶା ଓ କ୍ଷୋଭକୁ ମୁଖ୍ୟଧାରା ରାଜନୀତିରେ ସାମିଲ କରିବା ଆବଶ୍ୟକ।

