ଏନ୍ଇଇଟି ପେପର ଲିକ୍ ପରେ ଭାଙ୍ଗିପଡ଼ିଲେ ଛାତ୍ରୀ, ସୁଇସାଇଡ୍ ନୋଟ୍ରେ ଲେଖିଗଲେ ହୃଦୟବିଦାରକ କଥା
ମେଡିକାଲ ପ୍ରବେଶିକା ପରୀକ୍ଷା NEET-UG ପାଇଁ ଦୀର୍ଘ ଦିନ ଧରି ପ୍ରସ୍ତୁତି କରୁଥିବା ମଧ୍ୟପ୍ରଦେଶର ୧୮ ବର୍ଷୀୟା ଆକାଂକ୍ଷା ଚତୁର୍ବେଦୀଙ୍କ ମୃତ୍ୟୁ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ନାଗପୁରର ଏକ କୋଚିଂ ସେଣ୍ଟରରେ ପଢ଼ୁଥିବା ଆକାଂକ୍ଷା ମେ ୩ ତାରିଖରେ ଅନୁଷ୍ଠିତ NEET-UG ପରୀକ୍ଷା ଦେଇଥିଲେ ଏବଂ ନିଜ ପ୍ରଦର୍ଶନକୁ ନେଇ ଖୁବ୍ ଆଶାବାଦୀ ଥିଲେ। କିନ୍ତୁ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ପରୀକ୍ଷା ବାତିଲ୍ ହେବାର ଖବର ତାଙ୍କୁ ମାନସିକ ଭାବେ ଭାଙ୍ଗି ଦେଇଥିବା କୁହାଯାଉଛି।
ମେ ୨୦ ତାରିଖରେ ଆକାଂକ୍ଷା ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ଲେଖିଥିବା ଏକ ଚିଠିରେ ସେ ନିଜ ବାପା-ମାଆଙ୍କୁ କ୍ଷମା ମାଗି ଲେଖିଥିଲେ ଯେ, ପୁଣିଥରେ NEET ପରୀକ୍ଷା ଦେବା ପାଇଁ ତାଙ୍କର ଆଉ ସାହସ ନାହିଁ। ସେ ଲେଖିଥିଲେ, “ବାପା-ବୋଉ, ତୁମେ ଭାବିଥିଲା ମୁଁ ଡାକ୍ତର ହେବି। କିନ୍ତୁ ପୁଣି ଥରେ ପରୀକ୍ଷା ଦେବାର ଶକ୍ତି ମୋ ପାଖରେ ନାହିଁ। ମୋତେ କ୍ଷମା କରିଦିଅ।” ଏହି ଚିଠି ସାମ୍ନାକୁ ଆସିବା ପରେ ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପରିଚାଳନାକୁ ନେଇ ନୂଆ ପ୍ରଶ୍ନ ଉଠିଛି।
ଆକାଂକ୍ଷାଙ୍କ ପିତା କୃଷ୍ଣ କୁମାର ଚତୁର୍ବେଦୀ କହିଛନ୍ତି ଯେ, ପରୀକ୍ଷା ବାତିଲ୍ ହେବା ପରେ ତାଙ୍କ ଝିଅର ବ୍ୟବହାରରେ ବଡ଼ ପରିବର୍ତ୍ତନ ଆସିଥିଲା ଏବଂ ସେ ମାନସିକ ଚାପରେ ରହୁଥିଲେ। ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହା କେବଳ ଆତ୍ମହତ୍ୟା ନୁହେଁ, ବରଂ ଭୁଶୁଡ଼ି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାର ଏକ ଦୁଃଖଦ ପରିଣାମ।

