ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର
ସମ୍ବଲପୁର,ତା:ଆଜି ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ଆନୁକୂଲ୍ୟରେ ଆୟୋଜିତ ‘ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି’ ଶିବିରର ଅଷ୍ଟମ ରବିବାସରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ୨୪ ଟି ବିଦ୍ୟାଳୟର ୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଆଜି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାର୍ଥନାସଭା ପରେ ସ୍ୱଳ୍ପ ସମୟ ପାଇଁ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଡଃ ଗିରିଧାରୀ ହୋତା ଅଙ୍କକୁହୁକ ଉପରେ ଶିକ୍ଷାଦାନକରି କାଗଜ କଲମର ବିନା ସହାୟତାରେ କିପରି ବଡ଼ ବଡ଼ ଗୁଣନ ଅଙ୍ଗୁଳି ମାଧ୍ୟମରେ କରାଯାଇପାରିବ ତା ଉପରେ ସୁନ୍ଦର ଭାବରେ ଆଲୋଚନା ଥିଲେ l
ପ୍ରଥମ ଅଧିବେଶନରେ ‘ଜୀବନ କୌଶଳ ଶିକ୍ଷା’ ଅନ୍ତର୍ଗତ ‘ସହାନୁଭୂତି, ସମାନୁଭୂତି ଓ କରୁଣା’ଉପରେ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଶ୍ରୀ କାମଦେବ ସାହୁ ବିଭିନ୍ନ ଉଦାହରଣ ମାଧ୍ୟମରେ ମଣିଷ ଜୀବନରେ ସହାନୁଭୂତି,ସମାନୁଭୂତି ଓ କରୁଣାର କିଭଳି ଆବଶ୍ୟକତା ରହିଛି ତାହା ଆଲୋଚନା କରିଥିଲେ।
ଦ୍ଵିତୀୟ ଅଧିବେଶନରେ ସ୍ବାସ୍ଥ୍ୟସଚେତନତା ଶିକ୍ଷା ଉପରେ ଆଲୋଚନାକରି “ପରିବେଶ ପ୍ରଦୂଷଣ: କାରଣ ଓ ନିରାକରଣ ବିଷୟରେ’ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁରର ଆଞ୍ଚଳିକ ଅଧିକାରୀ ଡକ୍ଟର ସତ୍ୟନାରାୟଣ ନନ୍ଦ ପରିବେଶ ପ୍ରଦୂଷଣ ଉପରେ ବିଭିନ୍ନ ଉଦାହରଣ ମାଧ୍ୟମରେ ସମ୍ୟକ୍ ଆଲୋଚନା କରିଥିଲେ।ସେହି ପ୍ରଦୂଷଣ ମାନବସମାଜ ତଥା ଜୀବଜଗତ ପାଇଁ କି ପ୍ରକାର ଭୟଙ୍କର ପ୍ରଭାବ ପକାଉଛି ଏବଂ ପ୍ରଦୂଷଣ ନିୟନ୍ତ୍ରଣର କେତେ ଆବଶ୍ୟକତା ରହିଛି, ତା ଉପରେ ମଧ୍ୟ ସବିଶେଷ ଆଲୋଚନାକରି ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
ଏହି ଅବସରରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଆୟୋଜିତ ତର୍କ ଓ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ,ସମ୍ବଲପୁର ଶାଖା ତରଫରୁ ସାର୍ଟିଫିକେଟ୍ ଏବଂ ଚଳିତ ବର୍ଷ ପାଇଁ ଗ୍ରୁମିଂ କ୍ଲାସର ସମସ୍ତ ଛାତ୍ରଛାତ୍ରୀଙ୍କୁ ସେହି ବିଭାଗ ତରଫରୁ ମଧ୍ୟ ଟି ସାର୍ଟ(ୟୁନିଫର୍ମ)ପ୍ରଦାନ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭ୍ୟ-ସଂପାଦକ ରଘୁନାଥ ମିଶ୍ର,ଇଂ ସୁଶାନ୍ତ କୁମାର ଗୁରୁ, ଶ୍ରୀମତୀ ନିଳେନ୍ଦ୍ରୀ ପଣ୍ଡା, ଅଶୋକ ମିଶ୍ର, ପୃଥ୍ଵୀରାଜ ମିଶ୍ର,ଡକ୍ଟର ଅଶୋକ କୁମାର ହୋତା,ଯୋଗଗୁରୁ ଡାକ୍ତର ଜୟଦେବ ମେହେର ତଥା ସମ୍ବଲପୁର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କର୍ମକର୍ତ୍ତା ଉପସ୍ଥିତ ରହି ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ ।କାର୍ଯ୍ୟକ୍ରମ-ସଂଯୋଜକ
ଶିବ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଗ୍ରନ୍ଥାଗାରର ସଦସ୍ୟ ଉଦିତ ଚନ୍ଦ୍ର ପାଟଯୋଶୀ, ପୃଥ୍ୱୀରାଜ ମିଶ୍ର,ହରି ନାରାୟଣ ପଣ୍ଡା ତଥା ସହକାରୀ ବିଜୟ କୁମାର ସାହୁ।ଭୁବନ କୁମୁରା ଏଥିରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ।

