ସମ୍ବଲପୁର ଜିଲ୍ଲାରେ ଡବଲ ମର୍ଡର : ମା, ଝିଅଙ୍କ ଜୀବନ ଗଲା
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଘଟିଛି ଡବଲ ମର୍ଡର। ଏହି ଘଟଣାରେ ୨ଟି ନିରୀହ ଜୀବନ ଯାଇଛି। ସୂଚନା ପାଇ ମଧ୍ୟରାତ୍ରିରୁ ଶାସନ ପୋଲିସ ଘଟଣା ସ୍ଥଳରେ ରହିଛନ୍ତି।
ମିଳିଥିବା ସୂଚନା ମତେ ଯୁଯୁମୁରା ବ୍ଲକର କୁକୁଡାପାଲି ପଞ୍ଚାୟତ ଅନ୍ତର୍ଗତ ଗିରିପାଲିର ଖଡ଼ିଆପଡ଼ାରେ ମା’ ଓ ଝିଅଙ୍କୁ ବୀଭତ୍ସ ହତ୍ୟା ଭଳି ଏକ ଚାଞ୍ଚଲ୍ୟକର ଖବର ମିଳିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତ ବେଳେ କୁହାଯାଉଛି। ଏହି ହତ୍ୟାର ଶିକାର ହୋଇଛନ୍ତି ମା’ ଉର୍ମିଳା ପାତ୍ର(୬୦) ଓ ଝିଅ ଲିଳିମା କୁଦେଇ(୩୫)। ପ୍ରତ୍ୟକ୍ଷ ଅନୁସନ୍ଧନ ବେଳେ ଜଣାପଡିଥିଲାଯେ, ପ୍ରବଳ ରୌଦ୍ରତାପ ଯୋଗୁଁ ଉଭୟ ମା’ ଓ ଝିଅ ଘର ବାହାର ବାରଣ୍ଡାରେ ଶୋଇଥିବା ସମୟରେ କେତେଜଣ ପଡ଼ୋଶୀ ଯୁବକ ମିଳିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ବାଇକର ଚେନ କ୍ରାଙ୍କ ଓ ବିଭିନ୍ନ ମରଣାସ୍ତ୍ରରେ ସେମାନଙ୍କୁ ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତ ସମୟରେ ସ୍ପଷ୍ଟ ହୋଇଛି । ମୃତ ମହିଳାମାନଙ୍କର ସେଭଳି କେହି ସମ୍ପର୍କୀୟ ନଥିବା ବେଳେ ପୂର୍ବରୁ ରହିଥିବା କୌଣସି ବିବାଦ ଯୋଗୁ ଏହି ଡବଲ ମର୍ଡର ଘଟିଥିବା ପୋଲିସ ସନ୍ଧେହ କରୁଛି । ଘଟଣାସ୍ଥଳରେ ଦିନ ୧୦ଟା ସୁଦ୍ଧା ମୃତଦେହ ପଡ଼ି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଉଚ୍ଚ ସ୍ତରୀୟ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି। ତେବେ ଏଭଳି ମର୍ମଦୁନ୍ତ ଦୁର୍ଭାଗ୍ୟଜନକ ହତ୍ୟାକାଣ୍ଡ ଏକ ବିରଳ ଘଟଣା। ଯିଏ ଏହାର ଶିକାର ହୋଇଛନ୍ତି ସେହି ମା ଝିଅ ନିରୀହ ଓ ତାଙ୍କର ଆଉ କେହି ନଥିବାରୁ ଘଟଣାକୁ ଚପାଇ ନଦେଇ ଦୋଷୀକୁ ତୁରନ୍ତ ପୋଲିସ ଗିରଫ କରି ଘଟଣାର ପର୍ଦାଫାଶ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

