ନେହେରୁଙ୍କ କାର୍ଯ୍ୟକାଳ ରେକର୍ଡ ଅତିକ୍ରମ କରିବା ପରେ ମୋଦୀଙ୍କୁ କଂଗ୍ରେସର ତୀବ୍ର ସମାଲୋଚନା; ‘ସନ୍ଦେହଜନକ ମାଇଲଖୁଣ୍ଟ’ ବୋଲି କହିଲା ଦଳ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ସର୍ବାଧିକ ସମୟ ଧରି ଲଗାତାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ କଂଗ୍ରେସ ତାଙ୍କ ଉପରେ ତୀବ୍ର ଆକ୍ରମଣ କରିଛି। କଂଗ୍ରେସ କହିଛି ଯେ ମୋଦୀ ଏକ “ସ୍ୱଘୋଷିତ ଓ ସନ୍ଦେହଜନକ ଭାବେ ନିର୍ମିତ ମାଇଲଖୁଣ୍ଟ” ଅତିକ୍ରମ କରିଥାଇପାରନ୍ତି, କିନ୍ତୁ ସେହି ମାଇଲଖୁଣ୍ଟ ଭାରତର ଗଣତନ୍ତ୍ରର ହତ୍ୟା ସଦୃଶ ।
ବୁଧବାର ମୋଦୀ ଭାରତର ସର୍ବାଧିକ ସମୟ ଧରି ଲଗାତାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନୂଆ ରେକର୍ଡ ସ୍ଥାପନ କରିଥିଲେ। ୧୯୫୨ ସାଧାରଣ ନିର୍ବାଚନ ପରେ ନେହେରୁଙ୍କ ୪,୩୯୯ ଦିନର ରେକର୍ଡକୁ ମୋଦି ଅତିକ୍ରମ କରିଛନ୍ତି। ଏହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ସୋସିଆଲ ମିଡିଆ ମାଧ୍ୟମରେ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି।
ଜୟରାମ ରମେଶ କହିଛନ୍ତି ଯେ ୧୫ ଅଗଷ୍ଟ ୧୯୪୭ରେ ଜବାହରଲାଲ ନେହେରୁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ତାଙ୍କ ନେତୃତ୍ୱରେ ଏକ ଐତିହାସିକ ମନ୍ତ୍ରିମଣ୍ଡଳ କାର୍ଯ୍ୟ କରୁଥିଲା। ତାଙ୍କ ମତରେ, ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ଆଧୁନିକ ଭାରତର ଭିତ୍ତି ପ୍ରସ୍ତୁତ ହୋଇଥିଲା। ୫୬୦ରୁ ଅଧିକ ଗଡ଼ଜାତ ରାଜ୍ୟ ର ଶାନ୍ତିପୂର୍ଣ୍ଣ ଏକୀକରଣ, ଭାରତୀୟ ସଂବିଧାନର ପ୍ରଣୟନ ଓ ଜମିଦାରୀ ପ୍ରଥାର ଉଚ୍ଛେଦ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା, ବହୁ ଜଳସେଚନ ଓ ବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରର ଭିତ୍ତି ସ୍ଥାପନ ଏହି ସମୟରେ ସମ୍ଭବ ହୋଇଥିଲା।
ସେ ଆହୁରି କହିଛନ୍ତି ଯେ ପରମାଣୁ ଶକ୍ତି ସମେତ ବୈଜ୍ଞାନିକ କ୍ଷମତା ବିକାଶର ଭିତ୍ତି ସେହି ସମୟରେ ତିଆରି ହୋଇଥିଲା ଏବଂ ବିଶ୍ୱ ରାଜନୀତିରେ ଭାରତ ଏକ ପ୍ରଭାବଶାଳୀ ଶକ୍ତି ଭାବେ ଉଭା ହୋଇଥିଲା। ୧୭ କୋଟି ମତଦାତାଙ୍କ ନାମ ସମ୍ବଳିତ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ସର୍ବଜନୀନ ପ୍ରାପ୍ତବୟସ୍କ ମତାଧିକାରକୁ ସୁନିଶ୍ଚିତ କରାଯାଇଥିଲା ଏବଂ ୧୯୫୧ ଅକ୍ଟୋବରରୁ ୧୯୫୨ ଫେବୃଆରୀ ମଧ୍ୟରେ ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
କଂଗ୍ରେସ ଅଭିଯୋଗ କରିଛି ଯେ ନେହେରୁଙ୍କ ନେତୃତ୍ୱରେ ୧୯୪୭ରୁ ୧୯୫୨ ମଧ୍ୟରେ ହାସଲ ହୋଇଥିବା ଏହି ସବୁ ଐତିହାସିକ ସଫଳତାକୁ ମୋଦୀ ସରକାର ଇତିହାସରୁ ମିଟାଇବାକୁ ଚେଷ୍ଟା କରୁଛି। ଏହି ଅବଧିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡ଼. ବି.ଆର. ଆମ୍ବେଦକର, ଡ଼. ରାଜେନ୍ଦ୍ର ପ୍ରସାଦ, ସି. ରାଜଗୋପାଳାଚାରୀ ଏବଂ ମୌଲାନା ଅବୁଲ କଲାମ ଆଜାଦଙ୍କ ଭଳି ନେତାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କର ନେହେରୁଙ୍କ ପ୍ରତି ଏକ “ଅସ୍ୱାଭାବିକ ଆସକ୍ତି” ରହିଛି ଏବଂ ସେଥିପାଇଁ ଏହି ଇତିହାସକୁ ମିଟାଇବାର ଚେଷ୍ଟା କରାଯାଉଛି।
କଂଗ୍ରେସ ନେତା ଆହୁରି ଦାବି କରିଛନ୍ତି ଯେ ଭାରତର ଗଣତନ୍ତ୍ରର ମୂଳ ସଂସ୍ଥାଗୁଡ଼ିକ ବର୍ତ୍ତମାନ ବିପଦରେ ପଡ଼ିଛି। ସ୍ୱାଧୀନ ନିର୍ବାଚନ ଆୟୋଗ ଓ ଭୋଟର ତାଲିକାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି ବୋଲି ସେ କହିଛନ୍ତି। ଶିକ୍ଷା ସଂସ୍ଥାଗୁଡ଼ିକର ଅବକ୍ଷୟ ଯୋଗୁଁ ବୈଜ୍ଞାନିକ ଚିନ୍ତାଧାରା କ୍ଷତିଗ୍ରସ୍ତ ହୋଇଛି ଏବଂ ନିଟ୍ ଓ ସିବିଏସଇ ସମ୍ବନ୍ଧୀୟ ବିବାଦ ଏହାର ପ୍ରମାଣ ବୋଲି ସେ ଅଭିଯୋଗ କରିଛନ୍ତି। ବେସରକାରୀକରଣ ଏବଂ ‘ନଟ୍ ଫାଉଣ୍ଡ ସୁଟେବଲ୍’ ପରି ବ୍ୟବସ୍ଥା ମାଧ୍ୟମରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂରକ୍ଷଣ ଅଧିକାର ଦୁର୍ବଳ କରାଯାଇଥିବା ସେ ଦାବି କରିଛନ୍ତି।
ରମେଶ କହିଛନ୍ତି ଯେ ନେହେରୁ ୧୯୫୨, ୧୯୫୭ ଓ ୧୯୬୨ର ନିର୍ବାଚନରେ ବିପୁଳ ଜନସମର୍ଥନ ସହିତ ବିଜୟୀ ହୋଇଥିଲେ। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନରେ ମୋଦୀ ସରଳ ସଂଖ୍ୟାଗରିଷ୍ଠତା ମଧ୍ୟ ପାଇପାରି ନଥିଲେ ଏବଂ ଏନଡିଏର ସମର୍ଥନରେ ସରକାର ଗଠନ କରିଥିଲେ। ତେଣୁ ୨୦୨୪ର ଜନାଦେଶକୁ ମୋଦୀଙ୍କ ବ୍ୟକ୍ତିଗତ ବିଜୟ ବୋଲି କୁହାଯାଇପାରିବ ନାହିଁ ବୋଲି ସେ ମତ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନରେନ୍ଦ୍ର ମୋଦୀ ୨୬ ମେ ୨୦୧୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ୨୦୧୯ରେ ସେ ଅଧିକ ବଡ଼ ଜନାଦେଶ ସହ ପୁନର୍ବାର କ୍ଷମତାକୁ ଫେରିଥିଲେ ଏବଂ ୩୦ ମେ ୨୦୧୯ରେ ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ୯ ଜୁନ ୨୦୨୪ରେ ତାଙ୍କ ତୃତୀୟ ଲଗାତାର କାର୍ଯ୍ୟକାଳ ଆରମ୍ଭ ହୋଇଥିଲା।
ମୋଦୀ ବର୍ତ୍ତମାନ ନେହେରୁଙ୍କ ୪,୩୯୯ ଦିନର ରେକର୍ଡ ଅତିକ୍ରମ କରି ଭାରତର ସର୍ବାଧିକ ସମୟ ଧରି ଲଗାତାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଇତିହାସ ରଚିଛନ୍ତି। ତେବେ ଏହି ସଫଳତାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଜୋର ଧରିଛି।

