ଧର୍ମେନ୍ଦ୍ର ପ୍ରଧାନ ବୀର ସୁରେନ୍ଦ୍ର ସାଏଙ୍କ ମାଟିକୁ ବଦନାମ କରିଛନ୍ତି : କହ୍ନେୟା କୁମାର
ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ କଂଗ୍ରେସର ହୁଙ୍କାର; ‘ସମ୍ବଲପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ’
ସମ୍ବଲପୁର: ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ସମ୍ବଲପୁରରେ କଂଗ୍ରେସ ପକ୍ଷରୁ ବିଶାଳ ‘ଛାତ୍ରଯୁବ ଆକ୍ରୋଶ ସମାବେଶ’ ଅନୁଷ୍ଠିତ ହୋଇଛି। ଏହି ସମାବେଶରେ ଯୋଗ ଦେଇ ଏନ୍ଏସ୍ୟୁଆଇର ପ୍ରଭାରୀ କହ୍ନେୟା କୁମାର କେନ୍ଦ୍ର ସରକାର ଓ ଶିକ୍ଷାମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ପେପର ଲିକ୍ ଦେଶର କୋଟିକୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଧ୍ୱଂସ କରୁଛି ଏବଂ ଏହା ପାଇଁ କେନ୍ଦ୍ର ସରକାର ଦାୟୀ। ଧର୍ମେନ୍ଦ୍ର ପ୍ରଧାନ ନିଜ ଚୌକି ବଞ୍ଚାଇବାରେ ବ୍ୟସ୍ତ ଥିବା ବେଳେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ବୋଲି ସେ କହିଥିଲେ।
କହ୍ନେୟା କୁମାର କହିଥିଲେ ଯେ ମୋଦୀ ସରକାର ଅମଳରେ ୮୦ରୁ ଅଧିକଥର ପେପର ଲିକ୍ ଘଟଣା ଘଟିଛି। ପ୍ରଶ୍ନପତ୍ର ହ୍ୱାଟ୍ସଆପ୍, ଟେଲିଗ୍ରାମ୍ ଓ ଅନ୍ୟ ମାଧ୍ୟମରେ ଭାଇରାଲ୍ ହେଉଥିବା ସତ୍ତ୍ୱେ ସରକାର ଏହାକୁ ହାଲୁକା ଭାବେ ନେଉଛନ୍ତି। ସେ ଅଭିଯୋଗ କରିଥିଲେ ଯେ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ଯୁବପିଢ଼ିର ଭବିଷ୍ୟତ ସହ ଖେଳ ଖେଳାଯାଉଛି। ଏହା ସହିତ ସେ କହିଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସମ୍ବଲପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଏହି ଅବସରରେ କହିଥିଲେ ଯେ ପେପର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ଦେବା ଉଚିତ। ଛାତ୍ର କଂଗ୍ରେସର ଜାତୀୟ ସଭାପତି ବିନୋଦ ଝାଖଡ଼ ମଧ୍ୟ କହିଥିଲେ ଯେ ସରକାରୀ ସହଯୋଗ ବିନା ଏପରି ବ୍ୟାପକ ପେପର ଲିକ୍ ସମ୍ଭବ ନୁହେଁ। ସମାବେଶ ପୂର୍ବରୁ ଅଇଁଠାପାଲିରୁ ଧନକଉଡ଼ା ପର୍ଯ୍ୟନ୍ତ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର କଂଗ୍ରେସ କର୍ମୀ ଓ ନେତାମାନେ ସାମିଲ ହୋଇଥିଲେ।

