“କଂଗ୍ରେସ ଆଇସିୟୁରେ ଅଛି, ସାଲାଇନ୍ ଲାଗି ବଞ୍ଚିଛି” : କହ୍ନେୟା କୁମାରଙ୍କୁ କଡ଼ା ଜବାବ ଦେଲେ ଜୟନାରାୟଣ ମିଶ୍ର
ସମ୍ବଲପୁର: ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି କଂଗ୍ରେସ ପକ୍ଷରୁ ସମ୍ବଲପୁରରେ ଆୟୋଜିତ ଜନ ଆକ୍ରୋଶ ରାଲିକୁ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହା ବାସ୍ତବରେ “କଂଗ୍ରେସ ବଞ୍ଚାଅ ଅଭିଯାନ” ଥିଲା ଏବଂ ଏହା ଦ୍ୱାରା ସ୍ପଷ୍ଟ ହୋଇଯାଇଛି ଯେ କଂଗ୍ରେସ ଏବେ ଆଇସିୟୁରେ ସାଲାଇନ୍ ଲାଗି ବଞ୍ଚି ରହିଛି।
ଜୟନାରାୟଣ ମିଶ୍ର କହିଛନ୍ତି ଯେ, କଂଗ୍ରେସ ଯେଉଁ ପେପର ଲିକ୍ ପ୍ରସଙ୍ଗ ଉଠାଉଛି, ତାହାର ରେକର୍ଡ ସଂଖ୍ୟକ ଘଟଣା କଂଗ୍ରେସ ଶାସନ କାଳରେ ହୋଇଥିଲା। ବର୍ତ୍ତମାନ କୌଣସି ଘଟଣା ଘଟିଲେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ଏବଂ ଦୋଷୀଙ୍କୁ ଗିରଫ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ, ଦୋଷୀ କେହି ହେଉନାହିଁ ତାଙ୍କୁ ଛାଡ଼ାଯିବ ନାହିଁ ଏବଂ ଭବିଷ୍ୟତରେ ଏପରି ଘଟଣା ନ ଘଟିବା ପାଇଁ ମଧ୍ୟ ବ୍ୟବସ୍ଥା ହେବ। ରାଲିରେ ଲୋକଙ୍କ ସଂଖ୍ୟାକୁ ନେଇ ସେ କହିଥିଲେ ଯେ, ପୁଲିସ ଅଟକାଇଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ଯଦି ଅଟକାଇଥାନ୍ତା, ତେବେ ଶହ ଶହ ଲୋକ ରାଲିରେ ଯୋଗ ଦେଇପାରୁ ନଥାନ୍ତେ। ସେ ଦାବି କରିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଫ୍ଲପ୍ ସୋ ପ୍ରମାଣିତ ହୋଇଛି।
କହ୍ନେୟା କୁମାରଙ୍କ ଉପରେ ମଧ୍ୟ ଜୟନାରାୟଣ ମିଶ୍ର ତୀବ୍ର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଜେଏନୟୁ ସମୟରେ କହ୍ନେୟା କୁମାର “ଟୁକଡେ ଟୁକଡେ ଗ୍ୟାଙ୍ଗ”ର ନେତୃତ୍ୱ ନେଉଥିଲେ ଏବଂ ଆଜି ଦେଶଭକ୍ତିର କଥା କହୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କହ୍ନେୟା କେବଳ ନିଜର ରାଜନୈତିକ ପ୍ରଚାର ପାଇଁ ସମ୍ବଲପୁର ଆସିଥିଲେ। ଅନ୍ୟପଟେ ମୋଦୀ ସରକାର ଶିକ୍ଷା କ୍ଷେତ୍ରରେ ବିପୁଳ ଉନ୍ନତି କରିଥିବା, ନୂତନ ଆଇଆଇଏମ୍ ଓ ମେଡିକାଲ କଲେଜ ସ୍ଥାପନ କରିଥିବା ଦାବି କରି ସେ କହିଛନ୍ତି ଯେ, ଦେଶର ଜନତା ବର୍ତ୍ତମାନ ସବୁକିଛି ବୁଝୁଛନ୍ତି ଏବଂ କଂଗ୍ରେସର ପୁରୁଣା ରାଜନୀତିକୁ ଆଉ ବିଶ୍ୱାସ କରୁନାହାନ୍ତି।

