Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାବାଳିକା ଅପହରଣ ଘଟଣାର ପର୍ଦ୍ଦାଫାସ; ଛତ୍ରପୁରରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପୋଲିସ ଜଣେ ଅପହୃତା ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ଜୁନ୍ ୨୨ ତାରିଖରେ ନିମିଖେତା ଗ୍ରାମର ଲକ୍ଷ୍ମୀଧର ସେଠୀଙ୍କ ସ୍ତ୍ରୀ ପୁଷ୍ପଲତା ସେଠୀ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କ ନାବାଳିକା ଭାଣିଜୀଙ୍କୁ ଘରୁ ଅପହରଣ କରାଯାଇଛି। ଅଭିଯୋଗ ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ଜାନୁ ଖାଁ (୨୨) ଘରକୁ ଆସି ନାବାଳିକାଙ୍କୁ ନେଇ ପଳାଇଥିଲା। ପରିବାର ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଥିଲା ଯେ, ଅଭିଯୁକ୍ତ ପୂର୍ବରୁ ତାଙ୍କୁ ଜୀବନରୁ ମାରିଦେବା ସହ ନାବାଳିକାଙ୍କୁ ଅପହରଣ କରିବାକୁ ଧମକ ଦେଇଥିଲା।

ଅଭିଯୋଗ ଆଧାରରେ ବାଲୁଗାଁ ଥାନାରେ କେସ୍ ନଂ–୨୮୧/୨୬ ରୁଜୁ ହେବା ପରେ ଖୋର୍ଦ୍ଧା ଏସପି ପରମାର ସ୍ମିତ ପର୍ଶୋତ୍ତମଦାସ ଓ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଇଆଇସି ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପୋଲିସ ତଦନ୍ତ ଜାରି ରଖି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବସ୍‌ଷ୍ଟାଣ୍ଡରୁ ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା।

ଏହି ମାମଲାରେ ଟାଙ୍ଗୀ ଥାନା ସୋରଣ ଗ୍ରାମର ମୁସଲିମ ସାହିର ଆୟୁବ ଖାଁଙ୍କ ପୁଅ ଜାନୁ ଖାଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଉଦ୍ଧାର ଅଭିଯାନରେ ଆଇଆଇସି ଶ୍ରଦ୍ଧା ନାୟକ, ଏଏସଆଇ ଏସ୍‌.କେ. ବେହେରା, କନେଷ୍ଟବଳ ତାରେଶ୍ୱର ରାଓ ଓ ଅନୀଲ କୁମାର ଦାସ ପ୍ରମୁଖ ସାମିଲ ଥିଲେ। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories