ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପ୍ରବେଶିକାରେ ବଡ଼ ସଫଳତା, ସପ୍ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଲେ ଜ୍ୟୋତି ପଧାନ
ଝାରସୁଗୁଡ଼ା ୨୭/୬ (ଓଡ଼ିଶା ନ୍ୟୁଜ୍): ନିଜର ପ୍ରତିଭା, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳର ଉଦୀୟମାନ ଗାୟିକା ଜ୍ୟୋତି ପଧାନ ସଙ୍ଗୀତ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଭୁବନେଶ୍ୱର ସ୍ଥିତ ସୁନାମଧନ୍ୟ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ +୨ ବୈଷୟିକ ଓ କଳା ବିଭାଗରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ଜ୍ୟୋତି ସମଗ୍ର ଓଡ଼ିଶାରୁ ସପ୍ତମ ସ୍ଥାନ (Rank-7) ଅଧିକାର କରି ମନୋନୀତ ହୋଇଛନ୍ତି । ଲଖନପୁର ବ୍ଲକ ଅନ୍ତର୍ଗତ ଲୋକ କଳା ଗ୍ରାମ ପଞ୍ଚଗାଁ ମହିମା ସାଂସ୍କୃତିକ ପରିଷଦର ଏହି ପ୍ରତିଭାବାନ କୁନି ଗାୟିକା ଆଗାମୀ ଦିନରେ ଉତ୍କଳ ସଙ୍ଗୀତ ମହା ବିଦ୍ୟାଳୟରେ ହିନ୍ଦୁସ୍ଥାନୀ ଭୋକାଲ୍ ବିଷୟରେ ଅଧ୍ୟୟନ କରିବେ।
ସୂଚନା ଅନୁଯାୟୀ, ଜ୍ୟୋତି ଦେଓପାଲି ଗ୍ରାମର ସଙ୍ଗୀତ ଗୁରୁ ସ୍ୱର୍ଗତ ତରଣୀସେନ ଧୁରୁଆଙ୍କ ଠାରୁ ସଙ୍ଗୀତର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ନିଜର ମଧୁର କଣ୍ଠ, ନିୟମିତ ଅଭ୍ୟାସ ଓ ସଙ୍ଗୀତ ପ୍ରତି ଗଭୀର ଆଗ୍ରହ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଜ୍ୟୋତି ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ଗତ ଶିକ୍ଷାବର୍ଷରେ ସେ ବାଘମୁଣ୍ଡା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପରୀକ୍ଷାରେ ବି-୧ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ସହିତ ବାଘମୁଣ୍ଡା ହାଇସ୍କୁଲ ପକ୍ଷରୁ ଜିଲ୍ଲା ଶିଶୁ ମହୋତ୍ସବରେ ଅଂଶଗ୍ରହଣ କରି ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ଏବଂ ପରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ଯ ଭାଗ ନେଇଥିଲେ। ଜ୍ୟୋତିଙ୍କ ଏହି ସଫଳତାରେ ମହିମା ସାଂସ୍କୃତିକ ପରିଷଦର ସଂଯୋଜକ ସୁରଙ୍ଗ ପ୍ରଧାନଙ୍କ ସହ କର୍ମକର୍ତ୍ତା, ବାଘମୁଣ୍ଡା ହାଇସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ ଓ ପରିବାର ବର୍ଗ ଖୁସି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ସେ ସଙ୍ଗୀତ ଜଗତରେ ଜିଲ୍ଲା ଓ ରାଜ୍ୟର ନାମ ଉଜ୍ଜ୍ୱଳ କରିବେ ବୋଲି ଶୁଭେଚ୍ଛା ଜଣାଇଛନ୍ତି।
ପ୍ରକାଶ ଥାଉ କି, ମେଧାବୀ ଛାତ୍ରୀ ଜ୍ୟୋତି ପଧାନ ଲଖନପୁର ବ୍ଲକ ବାଘମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଂହାରପୁର ଗ୍ରାମର ନର ପଧାନ ଓ ଅଞ୍ଜଳୀ ପଧାନଙ୍କ କନ୍ୟା। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ସିଂହାରପୁର ଗ୍ରାମ ସମେତ ସମଗ୍ର ଲଖନପୁର ବ୍ଲକ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

