ଜିଲ୍ଲାପାଳଙ୍କ ସଡ଼କ ସୁରକ୍ଷା କମିଟି ଓ ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ସମୀକ୍ଷା ବୈଠକ,ସଡ଼କ ସୁରକ୍ଷାକୁ ପ୍ରାଥମିକତା ,ଦୁର୍ଘଟଣା ହ୍ରାସ ପାଇଁ ସମନ୍ୱିତ ପଦକ୍ଷେପ, ଏନ୍ଏଚ୍ ଓ ଏସ୍ଏଚ୍ରେ ଅତିକ୍ରମଣ ଉଚ୍ଛେଦ, ରମ୍ବଲ୍ ଷ୍ଟ୍ରିପ୍ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ ଉପରେ ଗୁରୁତ୍ୱ
ଝାରସୁଗୁଡ଼ା, ତା. ୩୦/୬ (ଓଡ଼ିଶା ନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲାରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ଗ୍ରହଣ କର ାଯାଉଥିବା ପଦକ୍ଷେପର ସମୀକ୍ଷା ନିମନ୍ତେ ଜିଲ୍ଲା ସଡ଼କ ସୁରକ୍ଷା କମିଟି (DRSC) ଓ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସର ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟଳୟ ସ୍ଥିତ ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି।
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚୱାଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଡିଏସ୍ପି ଶ୍ରୀମତୀ ମଧୁ ହାନ୍ସଦା, ଆର୍ଟିଓ ପ୍ରଣୟ କୁମାର ମିଶ୍ର, ଏମଭିଆଇ ଅମିୟ ରଞ୍ଜନ ପାତ୍ର, ସହକାରୀ ଆର୍ଟିଓ ତପନ କୁମାର ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାପାଳ ସଡ଼କ ଦୁର୍ଘଟଣା କମାଇବା ପାଇଁ ସମସ୍ତ ବିଭାଗ ଓ ସମ୍ପୃକ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଗୁରୁତ୍ୱାରୋପ କରିଥିଲେ। ଆଲୋଚନା ପରେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା।ଜିଲ୍ଲାରେ ରାସ୍ତା ପାର୍ଶ୍ୱରେ ବେଆଇନ ପାର୍କିଂ ରୋକିବା ପାଇଁ କଡ଼ା ଏନଫୋର୍ସମେଣ୍ଟ କରିବାକୁ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ଶିଳ୍ପ ସଂସ୍ଥା ମାନଙ୍କୁ ରାସ୍ତା ପାର୍ଶ୍ୱରେ ନିୟମିତ ଡି-ଡଷ୍ଟିଂ ଓ ସଫେଇ କରି ଧୂଳି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପରାମର୍ଶ ଦେଇଥିଲେ।
ସେହିଭଳି ଇବ୍ ନଦୀ ବ୍ରିଜ୍ ନିକଟରେ ବିଭିନ୍ନ ସମୟରେ ବ୍ରେକ୍ ଡାଉନ୍ ହେଉଥିବା ଗାଡ଼ି ଗୁଡ଼ିକୁ ଶୀଘ୍ର ହଟାଇବା ପାଇଁ ଏନ୍ଏଚ୍ଏଆଇ, ସମ୍ବଲପୁର ଓ ଓଏମ୍ପିଏଲ୍ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ସମୟରେ କ୍ରେନ୍ ସେବା ଉପଲବ୍ଧ କରାଇବାକୁ କୁହା ଯାଇଥିଲା।
ଏହାସହ ପ୍ରସନ୍ନ ପଣ୍ଡା ଛକରୁ ଓଏଭି, ଏଚ୍. କଣ୍ଟାପାଲି ଛକ ପର୍ଯ୍ୟନ୍ତ ହାର୍ଡ ପ୍ଲାଷ୍ଟିକ୍ ରମ୍ବଲ୍ ଷ୍ଟ୍ରିପ୍ ସ୍ଥାପନ ସହ କୁଡ଼ାଲୋଇ ଛକରେ ହାଇମାକ୍ସ ଲାଇଟ୍ ସ୍ଥାପନ ପାଇଁ ଏନ୍ଏଚ୍ଏଆଇକୁ ନିର୍ଦ୍ଦେଶ ଦିଆ ଯାଇଥିଲା।
ସେହିପରି ପ୍ରସନ୍ନ ପଣ୍ଡା ଛକରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରମ୍ବଲ୍ ଷ୍ଟ୍ରିପ୍ ଓ ଆର୍ଟିଓ ଛକରୁ ଇବ ନଦୀ ବ୍ରିଜ୍ ପର୍ଯ୍ୟନ୍ତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ପାଇଁ ଏନ୍ଏଚ୍ଏଆଇ ଓ ଆର୍ଟିଓଙ୍କୁ ମିଳିତ ସ୍ଥଳ ପରିଦର୍ଶନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଜାତୀୟ ଓ ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବେଆଇନ ଢ଼ାବା, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅତିକ୍ରମଣ ଉଚ୍ଛେଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏନ୍ଏଚ୍ଏଆଇ ଓ ରାଜ୍ୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହା ଯାଇଥିଲା । ଶେଷରେ ସଡ଼କ ସୁରକ୍ଷାକୁ ଜନ ଆନ୍ଦୋଳନର ରୂପ ଦେବା ସହ ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରଖି ନିଷ୍ପତ୍ତି ଗୁଡ଼ିକର ଶୀଘ୍ର ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ।

