Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ଦିନ ବ୍ୟାପି ଭାରତମାତା ବୈଦିକ ସେବାଶ୍ରମରେ ସପ୍ତବିଂଶତି (ତମ) ମହୋତ୍ସବ ସହ ଯଜୁର୍ବେଦ ପାରାୟଣ ମହାଯଜ୍ଞ ଅନୁଷ୍ଠିତ ; ଉଦଯାପନୀ ରେ ପଶ୍ଚିମ ଓଡ଼ିଶା ପାଲା ପରିଷଦର ବାର୍ଷିକ ସମ୍ମିଳନୀ….ପ୍ରାଚୀନ କଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷାରେ ‘ପାଲା’ର ଭୂମିକା ଅତୁଳନୀୟ – ମନ୍ତ୍ରୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଡିମିରୀମୁଣ୍ଡା ପଞ୍ଚାୟତ ସ୍ଥିତ ଭାରତମାତା ବୈଦିକ ସେବାଶ୍ରମରେ ୩ଦିନ ବ୍ୟାପି ସପ୍ତବିଂଶତି (ତମ) ମହୋତ୍ସବ ସହ ଯଜୁର୍ବେଦ ପାରାୟଣ ମହାଯଜ୍ଞ ଏବଂ ପଶ୍ଚିମ ଓଡ଼ିଶା ପାଲା ପରିଷଦ ପକ୍ଷରୁ ପାଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଆଶ୍ରମର ମଠାଧୀଶ ସ୍ୱାମୀ ଶିବାନନ୍ଦ ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ ଉଦଘାଟନୀ ଉତ୍ସବରେ କଳସ ଯାତ୍ରା, ଯଜ୍ଞର ଶୁଭାରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ତୃତୀୟ ଉଦଯାପନୀ ସମାରୋହରେ ପୂର୍ଣ୍ଣାହୁତି ପରେ ପାଲା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ସଭାରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ପାଲା କଳା ଓ କଳାକାରଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, ବିଡିଓ ରବୀନ୍ଦ୍ର ସେଠୀ, ଭୋଜପୁର ସରକାରୀ ଏସଏସଡି ହାଇସ୍କୁଲର ପ୍ରଧାନଶିକ୍ଷକ ନିକୁଞ୍ଜ ବିହାରୀ ରଣା, ବିଶିଷ୍ଟ ପାଲା ଗାୟକ ମହେନ୍ଦ୍ର ନାୟକ, ରାଧେଶ୍ୟାମ ପଣ୍ଡା, ଡ଼.ହୃଦାନନ୍ଦ ନାୟକ, କୁଚିଣ୍ଡା ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼. ସୁବୋଧ କୁମାର ନାୟକ , ଅଜିତ ଖାଖା, ସୀମାଞ୍ଚଳ ପ୍ରଧାନ, ଦେବାଶିଷ ମିଶ୍ର (ଛତିଶଗଡ଼), ଉମାକାନ୍ତ ନାୟକ (ଚିପିଲିମା), ଶାନ୍ତିଲତା ସିଂହ, ନଳିନୀ ଦାସ, ଝୁନୁ ବେହେରା, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପ୍ରସାଦ ଦାନୀ, ଡାକ୍ତର ସୁବୋଧ କୁମାର ନାୟକ, ପି.ଆର୍. ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଆରମ୍ଭରେ ପାଲା କଳାକାରଙ୍କ ପୁଅ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବାରୁ ପଶ୍ଚିମ ଓଡ଼ିଶା ପାଲା ପରିଷଦ ପକ୍ଷରୁ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ଆଲୋଚନାରେ ବକ୍ତାମାନେ କହିଥିଲେ ଯେ, ପାଲା କଳା ପ୍ରାଚୀନ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଛି। କିନ୍ତୁ ଏହି କଳାକୁ ଜୀବନ୍ତ ରଖିଥିବା କଳାକାରମାନେ ଆଜି ଅବହେଳିତ ଓ ଆର୍ଥିକ ସଂକଟରେ ଜୀବନ ବିତାଉଛନ୍ତି। ଅନ୍ୟ କଳାକାରଙ୍କୁ ସରକାରୀ ସହାୟତା ଓ ଭତ୍ତା ମିଳୁଥିବା ବେଳେ ପାଲା କଳାକାରମାନେ ବଞ୍ଚିତ ରହିଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା। ପାଲା କଳାକାରଙ୍କ ପାଇଁ ସ୍ଥାୟୀ କଳାମଣ୍ଡପ, ସଭାଗୃହ ଓ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ସରକାରୀ ଅନୁଦାନ ମଞ୍ଜୁର କରିବା ସହିତ ବାର୍ଦ୍ଧକ୍ୟ କଳାକାରଙ୍କୁ ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଥିଲା। ଏହାସହ ଦିବଙ୍ଗତ ପାଲା କଳାକାରଙ୍କ ସ୍ମୃତିକୁ ଅମର କରିବା ନିମନ୍ତେ ସେମାନଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ କରାଯିବ ବୋଲି ପଶ୍ଚିମ ଓଡ଼ିଶା ପାଲା ପରିଷଦ ପକ୍ଷରୁ ଘୋଷଣା କରାଯାଇଥିଲା। ମନ୍ତ୍ରୀ ନାଏକ କହିଥିଲେ ଯେ, ପାଲା କଳାକାରଙ୍କ ପୁଅ ହୋଇଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି। ପାଲା କଳାକାରମାନେ ଗାଁ ଗାଁ ବୁଲି ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଘରେ ଘରେ ପହଞ୍ଚାଇ ଆସିଛନ୍ତି। ସେମାନଙ୍କ ଏହି ତ୍ୟାଗ ଓ ସାଧନାକୁ ଓଡ଼ିଆ ଜାତି କେବେ ଭୁଲିପାରିବ ନାହିଁ। ପାଲା କଳାକାରଙ୍କ ପାଇଁ କଳାମଣ୍ଡପ ନିର୍ମାଣ ପ୍ରସଙ୍ଗକୁ ସରକାର ସକାରାତ୍ମକ ଭାବେ ବିଚାର କରିବେ ବୋଲି ସେ ଆଶ୍ୱାସନା ଦେଇଥିଲେ। ଏହି ଅବସରରେ ଓଁ ସେବା ବୃଦ୍ଧାଶ୍ରମ ପ୍ରତିଷ୍ଠା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନେଇ ପ୍ରାୟ ୨୦୦ ଜଣଙ୍କୁ ଶପଥ ପାଠ କରାଯାଇଥିଲା। ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଦେବଗଡ଼ ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ପାଲା କଳାକାର ଓ ପ୍ରତିନିଧିମାନେ ସମ୍ମିଳନୀରେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଶେଷରେ ପାଲା, ସାହିତ୍ୟ, ଶିକ୍ଷା, ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୧୨ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମନ୍ତ୍ରୀ ନାଏକ ଓ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ଗାମୁଛା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସଭାକୁ ବିଶିଷ୍ଟ ପାଲା ଗାୟିକା କୁମୁଦିନୀ ପଟେଲ ସଞ୍ଚାଳନା କରିଥିଲେ। ବିପିନ ଗଡ଼ନାୟକ, ଡାକ୍ତର ପି.ଆର୍. ମଙ୍ଗରାଜ ଓ ଅନ୍ୟାନ୍ୟ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ